ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ପୁଣି ଥରେ କାୟା ମେଲାଇବା ଆରମ୍ଭ କରିଥିବା ବେଳେ ଶିକ୍ଷାନୁଷ୍ଠାନରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜଧାନୀର କେତେକ ଶିକ୍ଷାନୁଷ୍ଠାନରୁ ପଜିଟିଭି ବାହାରିବା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି।
ଆଜି ଭୁବନେଶ୍ୱରର ମୈତ୍ରୀ ବିହାର ସ୍ଥିତ ଆଲେନ୍ ଇନ୍ଷ୍ଟିଚ୍ୟୁଟ୍ରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଟଣୀ ନିକଟ ଅରୁଗୁଳରେ ଥିବା ଆଇଆଇଟିରେ ପଜିଟିଭ ସଂଖ୍ୟା ୧୦ରେ ପହଞ୍ଚିଛି।
ଅରୁଗୁଳରେ ଥିବା ଆଇଆଇଟି ଶିକ୍ଷାନୁଷ୍ଠାନର ୧୦ ଜଣ ଛାତ୍ରଛାତ୍ରୀଙ୍କୁ କରୋନା ହୋଇଥିବା ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି। ଜିଲ୍ଲାପାଳ କହିଛନ୍ତି, ୪୦ ଛାତ୍ରଙ୍କ RTPCR ଟେଷ୍ଟ କରାଯାଇଥିଲା, ରିପୋର୍ଟ ଆସିଛି। ପୂର୍ବରୁ ୮ ପଜିଟିଭ ଚିହ୍ନଟ ହୋଇଥିଲେ। ଆଜି ଆଉ ୨ ଚିହ୍ନଟ ହୋଇଛନ୍ତି । ସଂକ୍ରମିତମାନେ ବାହାର ରାଜ୍ୟର ହୋଇଥିବା ବେଳେ ସେମାନେ ଆଇସୋଲେସନରେ ଥିବା ସେ ସୂଚନା ଦେଇଛନ୍ତି ।
ଆଇଆଇଟି କ୍ୟାମ୍ପସରେ ଥିବା ମେଡିକାଲ ଟିମ୍ ସେମାନଙ୍କ ଚିକିତ୍ସା କରୁଥିବା ବେଳେ ପ୍ରଶାସନିକ ଅଧିକାରୀ ସେମାନଙ୍କ ସହ ଯୋଗାଯୋଗରେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜିଲ୍ଲାପାଳ କହିଛନ୍ତି।
ସୂଚନାଯୋଗ୍ୟ, ୨୦ ପଜିଟିଭ ଚିହ୍ନଟ ପରେ ଆଲେନ ଇନଷ୍ଟିଚ୍ୟୁଟକୁ ଆଜି ସିଲ୍ କରିଛି ପ୍ରଶାସନ। ଏହି କୋଚିଂ ସେଣ୍ଟର ଏବଂ ଏହାର ହଷ୍ଟେଲ/ମେସ୍ ଭିତରକୁ କେହି ଯାଇପାରିବେ ନାହିଁ। ସେହିପରି ଏହା ଭିତରୁ କେହି ବାହାରି ପାରିବେ ନାହିଁ। କେବଳ ବିଏମ୍ସିର ସ୍ୱୀକୃତିପ୍ରାପ୍ତ କର୍ମଚାରୀ ଏହା ଭିତରକୁ ଯା’ଆସ କରିପାରିବେ ବୋଲି କଟକଣା ଜାରି କରାଯାଇଛି।
The post ଶିକ୍ଷାନୁଷ୍ଠାନରେ ମହାମାରୀ; ଆଇଆଇଟିରୁ ଚିହ୍ନଟ ହେଲେ ୧୦ ପଜିଟିଭ appeared first on Odisha Reporter.
from Odisha Reporter https://ift.tt/3u0fSVB
No comments:
Post a Comment