ବାରିପଦା(ମାଣିକଲାଲ ପାଣି): ପ୍ରାୟ ୨ ସପ୍ତାହ ହେବ ନିଆଁର ଆଁରେ ଫସି ରହିଛି ଶିମିଳିପାଳ ଜାତୀୟ ଉଦ୍ୟାନ। ଯେଉଁ ଅନୁପାତରେ ନିଆଁ ଲିଭୁଛି ତା’ଠୁ ଅଧିକ ବେଗରେ ପୁଣି ନିଆଁ ବ୍ୟାପୁଛି। ଏହି ବିପତ୍ତିର ଅନ୍ତ ଘଟିବା ନାଁ ଧରୁନି।
ଉତ୍ତର ଶିମିଳିପାଳର ୧୮ଟି ସ୍ଥାନରେ ଲାଗିଛି ନିଆଁ । ନିଆଁ ଲିଭାଇବା କାର୍ଯ୍ୟରେ ୬ଟି ଅଗ୍ନିଶମ ବିଭାଗ ନିୟୋଜିତ ଥିବା ବେଳେ ୧୧ ଶହରୁ ଅଧିକ ବନ ସୁରକ୍ଷା କର୍ମୀ ଏବଂ କର୍ମଚାରୀ ନିୟୋଜିତ ଥିବା ନେଇ ସୂଚନା ମିଳିଛି । ସରକାରୀ ସ୍ତରରେ ଉଦ୍ୟମ ଜାରି ଥିଲେ ସୁଦ୍ଧା ଶିମିଳିପାଳକୁ ନିଆଁ କବଳରୁ ରକ୍ଷା କରିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୟୂରଭଞ୍ଜ ମହାରାଣୀ।
ମୟୂରଭଞ୍ଜ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଓ ରାଜଜେମା ଅକ୍ଷିତା ଭଞ୍ଜଦେଓ ଗତକାଲି ବାଙ୍ଗିରିପୋଷି ରେଞ୍ଜ ତାଳବନ୍ଧ ଗାଁରେ ପହଁଚିଥିଲେ । ଜଙ୍ଗଲରେ ଲାଗିଥିବା ନିଆଁ ବାବଦରେ ଲୋକଙ୍କ ସହ ଆଲୋଚନା କରିଥିଲେ । ଜଙ୍ଗଲ ସୁରକ୍ଷା ପାଇଁ କାମ କରିବା ସହ ଜଙ୍ଗଲରେ ନିଆଁ ନଲଗାଇବାକୁ ଲୋକଙ୍କୁ ଅନୁରୋଧ କରିଥିଲେ । ଏହାପରେ ଟଙ୍ଗାଧୁଆ, ରାଇପାଳ, ବାଦାମପୁର ଏବଂ ତାଳବନ୍ଧ ଯାଇ ସେଠାରେ ନିଆଁ ଲିଭାଇଥିଲେ।
ସୂଚନାଯୋଗ୍ୟ, ଉତ୍ତର ଶିମିଳିପାଳର ୧୮ଟି ସ୍ଥାନରେ ଲାଗିଛି ନିଆଁ । ଉତ୍ତର ଡିଭିଜନର ୫ଟି ରେଞ୍ଜରେ ଲାଗିଛି ନିଆଁ। ତାଳବନ୍ଧ ରେଞ୍ଜର ୪ ଟି,କେନ୍ଦୁମୁଣ୍ଡି ରେଞ୍ଜର ୬ ଟି, ଗୁରୁଗୁଡ଼ିଆ ରେଞ୍ଜର ୪ଟି, ବରହେଇପାଣି ରେଞ୍ଜରେ ୩ଟି ଏବଂ ନଅଣା ରେଞ୍ଜରେ ଗୋଟିଏ ସ୍ଥାନରେ ଲାଗିଛି ନିଆଁ । ତେବେ ଶିମିଳିପାଳ ଅଭୟାରଣ୍ୟରେ ଆହୁରି ଅନେକ ସ୍ଥାନରେ ନିଆଁ ଲାଗିଥିଲେ ବି ସମ୍ପୂର୍ଣ୍ଣ ତଥ୍ୟ ମିଳି ପାରିନି ।
ଏଥିଯୋଗୁ ଲକ୍ଷ ଲକ୍ଷ ସଂଖ୍ୟାରେ ବୃହତ୍ତ ଗଛ ପାଉଁଶ ହୋଇଯାଇଛି। କେବଳ ସେତିକି ନୁହେଁ, ବହୁ ସଂଖ୍ୟାରେ ଔଷଧୀୟ ବୃକ୍ଷଲତା ନେଟ ହେବା ସହ ବହୁସଂଖ୍ୟକ ବନ୍ୟପ୍ରାଣୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କେବଳ ସେତିକି ନୁହେଁ, ଏଥିଯୋଗୁ ରାଜ୍ୟର ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ବଣ, ପାହାଡ଼ଘେରା ଗାଁ ଓ ସହର ଧୂଆଁମୟ ହୋଇଯାଉଛି।
The post ଜଳୁଛି ଶିମିଳିପାଳ;ନିଆଁ ଲିଭାଇବାକୁ ପହଞ୍ଚିଲେ ମହାରାଣୀ appeared first on Odisha Reporter.
from Odisha Reporter https://ift.tt/3ca8tvI
No comments:
Post a Comment