ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ରେକର୍ଡ ପରେ ରେକର୍ଡ ସୃଷ୍ଟି କରିବା ପରେ ଦେଶର ରାଜଧାନୀ ଦିଲ୍ଲୀରେ ସପ୍ତାହ ବ୍ୟାପୀ ସଂପୂର୍ଣ୍ଣ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ କେବଳ ନାଇଟ କର୍ଫ୍ୟୁ ଓ ସପ୍ତାହାନ୍ତ ଶଟଡାଉନ ଲାଗୁ ହେଉଥିବା ବେଳେ ଆଜି ରାତିରୁ ସମଗ୍ର ଦିଲ୍ଲୀରେ କର୍ଫ୍ୟୁ ଆରମ୍ଭ ହେବ। ଆଜି ମଧ୍ୟରାତିରୁ ଆରମ୍ଭ ହୋଇ ଏହା ଆସନ୍ତା ସୋମବାର ସକାଳ ଯାଏ ବଳବତ୍ତର ରହିବ।
କର୍ଫ୍ୟୁ ବେଳେ କେହି ବି ଘରୁ ବାହାରିପାରିବେ ନାହିଁ। ସେହିପରି କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ନିଜର ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ।
କରୋନା ସଂକ୍ରମଣ ବଢ଼ୁଥିବାରୁ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ବେଳେ ଦିଲ୍ଲୀରେ ସଂପୂର୍ଣ୍ଣ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଧିବଦ୍ଧ ଘୋଷଣା କରିବେ।
ସୂଚନାଯୋଗ୍ୟ, ଦିଲ୍ଲୀରେ ରବିବାର କରୋନା ସବୁ ରେକର୍ଡ ଭାଙ୍ଗିଥିଲା। ଦିନକରେ ୨୫ ହଜାର ୪୬୨ଜଣ ସଂକ୍ରମିତ ଚିହ୍ନଟ ହେବା ସହ ୧୪୧ ଜଣଙ୍କ ଜୀବନ ଯାଇଥିଲା। ଦିନକୁ ଦିନ ସ୍ଥିତି ବିଗୁଡ଼ୁଥିବାରୁ ଦିଲ୍ଲୀରେ ବେଡ୍ର ଅଭାବ ଦେଖିବାକୁ ମିଳିଛି। ସେହିପରି ଅମ୍ଳଜାନ ମଧ୍ୟ ଲୋକଙ୍କୁ ମିଳିପାରୁନାହିଁ।
ପଜିଟିଭିଟି ରେଟ୍ ୩୦% ବଢ଼ିଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି। ଏବେ କରୋନା ସଂକ୍ରମଣର ଚେନ୍କୁ ଭାଙ୍ଗିବା ପାଇଁ ଦିଲ୍ଲୀ ସରକାର ଶେଷରେ କର୍ଫ୍ୟୁ ଲାଗୁ କରିଥିବା ଜଣାପଡ଼ିଛି।
ଏହାପୂର୍ବରୁ ମହାରାଷ୍ଟ୍ର ସରକାର କରୋନା ସଂକ୍ରମଣ ପାଇଁ ପୂରା ରାଜ୍ୟରେ ୧୫ ଦିନ ପାଇଁ କର୍ଫ୍ୟୁ ଲାଗୁ କରିଥିଲେ। ଦିଲ୍ଲୀ ଦ୍ୱିତୀୟ ରାଜ୍ୟ ଭାବେ ସଂପୂର୍ଣ୍ଣ କର୍ଫ୍ୟୁ ଲାଗୁ କରିଛି।
The post ରାଜଧାନୀରେ ଆଜି ମଧ୍ୟରାତ୍ରରୁ ସୋମବାର ଯାଏ କର୍ଫ୍ୟୁ, ଘରୁ ବାହାରିବା ମନା appeared first on Odisha Reporter.
from Odisha Reporter https://ift.tt/32patfd
No comments:
Post a Comment