ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନର ବିବାଦ ନେଲା ରକ୍ତାକ୍ତ ସଂଘର୍ଷର ରୂପ। ତାହା ପୁଣି ଥାନା ପରିସରରେ। ପୁଲିସ୍ ଆଖି ଆଗରେ ଗୋଟିଏ ଗୋଷ୍ଠିର ଲୋକ ଅଭିଯୋଗ ନେଇ ଥାନାକୁ ଆସିଥିବା ପତିପତ୍ନୀଙ୍କୁ ହାଣି ଦେଇଥିଲେ। ପୁଲିସ୍ ବର୍ଦ୍ଦିରେ ବି ଲାଗିଛି ରକ୍ତର ଛିଟା। ପତିପତ୍ନୀ ଏବେ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଏନେଇ କେହି ଅଭିଯୋଗ କରି ନ ଥିବାରୁ ପୁଲିସ୍ କାହାକୁ ଗିରଫ କରିପାରି ନାହିଁ। ଏପରି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଭିତରେ ପୁଲିସ୍ ସମ୍ମୁଖରେ ଘଟିଯାଇଥିବା ବେଳେ ଏବେବି ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି।
ପୁଲିସ୍ ସୂଚନାନୁଯାୟୀ, ରେମୁଣା ମନ୍ଦାରପୁର ଓ ନିଆଁବାଗ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲ। । ଗତ କାଲି ରାତି ପ୍ରାୟ ୧୧ଟା ପରେ ଗୋଟିଏ ଗୋଷ୍ଠୀର କିଛି ଲୋକ ଥାନାରେ ପହଞ୍ଚିଥିଲେ। ସେହି ସମୟରେ ବାଦଲ ଦାସ ନାମକ ଯୁବକ ନିଜ ବାପାମା’ ରଘୁ ଦାସ ଓ ପ୍ରମିତା ଦାସଙ୍କ ସହ ଥାନାରେ ପହଞ୍ଚି ତାଙ୍କ ଘରକୁ କିଛି ଲୋକ ଭାଙ୍ଗି ଦେଉଥିବା ଅଭିଯୋଗ କରିଥିଲେ।
ଉକ୍ତ ସମୟରେ ଅପରପକ୍ଷର କିଛି ଲୋକ ସେମାନଙ୍କ ପିଛା କରି ଥାନାରେ ପହଞ୍ଚିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ସେଠାରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଗୋଟିଏ ପକ୍ଷକୁ ଅତର୍କିତ ଆକ୍ରମଣ ହେଉଥିବାରୁ ପୁଲିସ୍ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ମାତ୍ର କିଛି ଉତ୍ତ୍ୟକ୍ତ ଲୋକ ଥାନା ଭଙ୍ଗାରୁଜା କରିବା ସହ ତେଲେଙ୍ଗା କଟୁରିରେ ଉଭୟ ରଘୁ ଦାସ ଓ ତାଙ୍କ ପତ୍ନୀ ପ୍ରତିମାଙ୍କୁ ଆକ୍ରମଣ କରିଥିଲେ।
ପୁଲିସ୍ ପ୍ରଥମେ ଉଭୟଙ୍କୁ ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ଅବସ୍ଥା ଗୁରୁତର ଥିବାରୁ ପରେ ଜିଲ୍ଲା ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ପୁଲିସ୍ ସାମ୍ନାରେ ଏଭଳି ଘଟଣା ଘଟିଥିବାରୁ ଆହତ ହୋଇଥିବା ଗୋଷ୍ଠୀର ଲୋକଙ୍କ ମଧ୍ୟରେ ରାତି ତମାମ ଥାନା ପରିସରରେ ଉତ୍ତେଜନା ଦେଖାଯାଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରୁ ଥାନାରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇ ନାହିଁ କିମ୍ବା ପୁଲିସ୍ କାହାକୁ ଅଟକ ରଖିନାହଁ ।
ମାତ୍ର ପୁଲିସ୍ ସିସି କ୍ୟାମେରାରେ କଏଦ ହୋଇଥିବା ଫୁଟେଜ ଆଧାରରେ ଗଣ୍ଡଗୋଳକାରୀଙ୍କୁ ଖୋଜୁଥିବା କହୁଛି । ଉତ୍ତେଜନାକୁ ଦେଖି ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ଥାନାଧିକାରୀ ଶ୍ରୀବଲ୍ଲଭ ସାହୁ କହିଛନ୍ତି ।
ଏନେଇ ଥାନାଧିକାରୀ କହିଛନ୍ତି, ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ବିବାଦ ଥିବା ନେଇ ଥାନାକୁ ଅଭିଯୋଗ ଆସିଥିଲା। ଗତରାତିରେ ନିଆଁପୁରର ବାଦଲ ଦାସ ଓ ତାଙ୍କ ବାପାମା’ ଆସି କିଛି ଲୋକ ତାଙ୍କ ଘର ଭାଙ୍ଗୁଥିବା କହିଥିଲେ। ଏହାପରେ ଘଟଣାସ୍ଥଳକୁ ବାହାରିବାରୁ ପ୍ରାୟ ୧୫୦ ଲୋକ ଆସି ପହଞ୍ଚିଗଲେ। ଭିଡକୁ ଦେଇ ଅଭିଯୋଗକାରୀଙ୍କୁ ଗେଟ ବନ୍ଦ କରି ଥାନା ମଧ୍ୟରେ ପଶାଇ ଦେଇଥିଲୁ। ହେଲେ ଏହା ମଧ୍ୟରେ କିଛି ଲୋକ ରଘୁ ଦାସଙ୍କୁ ଆକ୍ରମଣ କରିଥିଲେ। ନିଆଁବାଗ, ଅଙ୍ଗାରପୁର ଗାଁକୁ ପୁଲିସ୍ ଯାଇଥିବା ବେଳେ ତାହା ପୁରୁଷଶୂନ୍ୟ ହୋଇଯାଇଛି। ଏନେଇ ମାମଲା ହୋଇନି। ସିସିଟିଭି ଆଧାରରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
The post ଥାନା ପାଲଟିଲା ରଣକ୍ଷେତ୍ର, ପୁଲିସ୍ ଆଖି ଆଗରେ ପତିପତ୍ନୀଙ୍କୁ ହାଣିଦେଲେ appeared first on Odisha Reporter.
from Odisha Reporter https://ift.tt/3fPbmpk
No comments:
Post a Comment