ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରୀୟ ସମ୍ମାନ ସହ ହେବ ସାହିତ୍ୟ ଜଗତର ଅନ୍ୟତମ ଯୁଗପୁରୁଷ ମନୋଜ ଦାସଙ୍କ ଶେଷକୃତ୍ୟ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି । ଏହି ଶେଷକୃତ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେବେ ବୋଲି ସିଏମ୍ଓ ଟ୍ୱିଟ୍ କରିଛି ।
ଗତକାଲି ପୁଡୁଚେରୀ ଅରବିନ୍ଦ ଆଶ୍ରମ ନର୍ସିଂହୋମରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବିଶିଷ୍ଟ ସାରସ୍ୱତ ସାଧକ ମନୋଜ ଦାସ । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରୁ ଚିକିତ୍ସାଧୀନ ଥିବା ମନୋଜ ଦାସଙ୍କ ହାତ ଭାଙ୍ଗିଯିବାରୁ ସେ ଗୁରୁତର ହୋଇପଡ଼ିଥିଲେ ।
ଉଭୟ ଓଡ଼ିଆ ଓ ଇଂରାଜୀ ସାହିତ୍ୟରେ ମନୋଜ ଦାସଙ୍କର ଥିଲା ଶତାଧିକ ଅନବଦ୍ୟ କୃତି । ସେ ଗଳ୍ପ, କ୍ଷୁଦ୍ରଗଳ୍ପ, ଉପନ୍ୟାସ, କବିତା, ଭ୍ରମଣ ସାହିତ୍ୟ ଓ ଇତିହାସ ଏବଂ ସଂସ୍କୃତିକୁ ନେଇ ବହୁ ଉଚ୍ଚକୋଟୀର ସାହିତ୍ୟ ସାଧନା କରିଛନ୍ତି । ଗୋଧୂଳିର ବାଘ, ଅମୃତ ଫଳ, କନକ ଉପତ୍ୟକାର କାହାଣୀ, ଆରଣ୍ୟକ ଓ ଶେଷ ତାନ୍ତ୍ରିକ ସନ୍ଧାନରେ ତାଙ୍କର ପ୍ରମୁଖ ଉପନ୍ୟାସ ।
ସେହିଭଳି ଲକ୍ଷ୍ମୀର ଅଭିସାର ଓ ଶେଷ ବସନ୍ତର ଚିଠି ତାଙ୍କର ଚର୍ଚ୍ଚିତ କ୍ଷୁଦ୍ରଗଳ୍ପ ସଂକଳନରୁ ଅନ୍ୟତମ । ସାହିତ୍ୟରେ ଜୀବନ ବ୍ୟାପୀ ସାଧନା ଲାଗି ମନୋଜ ଦାସ ପାଇଥିଲେ ପଦ୍ମଭୂଷଣ ଓ ପଦ୍ମଶ୍ରୀ ସମ୍ମାନ । ସେହିଭଳି ଥରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ସେ । ଜାତୀୟ ସ୍ତରରେ ଜଣେ ସୁନାମଧନ୍ୟ ସ୍ତମ୍ଭକାର ଭାବରେ ତାଙ୍କର ବେଶ୍ ପରିଚୟ ମଧ୍ୟ ରହିଥିଲା। ପତ୍ରିକା ସମ୍ପାଦନା ସହ ଦେଶର ପ୍ରତିଷ୍ଠିତ ଇଂରାଜୀ ଦୈନିକରେ ତାଙ୍କର ନିୟମିତ ଲେଖା ପ୍ରକାଶ ପାଉଥିଲା । ତାଙ୍କ ବିୟୋଗରେ କେବଳ ଓଡ଼ିଆ ନୁହେଁ, ଇଂରାଜୀ ସାହିତ୍ୟ ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।
ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ଶୋକ ପ୍ରକାଶ କରିଛନ୍ତି। ମନୋଜ ଦାସଙ୍କ ବିୟୋଗ ଓଡ଼ିଆ ସାହିତ୍ୟ ଜଗତରେ ଏକ ଯୁଗର ଅବସାନ। ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର ଓ ଅନେକ ସମ୍ମାନଜନକ ପୁରସ୍କାରପ୍ରାପ୍ତ ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ବୋଲି ଟ୍ୱିଟ କରି ଜଣାଇଛନ୍ତି ବୈଜୟନ୍ତ।
ମନୋଜ ଦାସଙ୍କ ବିୟୋଗରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
The post ପୁଡୁଚେରୀରେ ରାଷ୍ଟ୍ରୀୟ ସମ୍ମାନ ସହ ହେବ ମନୋଜ ଦାସଙ୍କ ଶେଷକୃତ୍ୟ appeared first on Odisha Reporter.
from Odisha Reporter https://ift.tt/2QBsMeJ
No comments:
Post a Comment