ଭୁବନନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ରହିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସେମାନଙ୍କୁ ରେମେଡେସିଭର ଇଞ୍ଜେକସନ୍ ଓ ଫାଭିଫ୍ଲୁ ଔଷଧ ଦିଆଯାଉଛି । ହେଲେ ରାଜ୍ୟରେ ଏବେ ଦୈନିକ ୬ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରେମେଡେସିଭରର ଅଭାବ ଦେଖାଦେଇଛି। ଆବଶ୍ୟକତା ଅନୁପାତରେ ଏହି ମେଡିସିନ କମ୍ ମିଳୁଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଡ୍ରଗସ୍ କଣ୍ଟ୍ରୋଲର୍ ଅନ୍ନଦା ଶଙ୍କର ଦାସ ।
ପ୍ରତିଦିନ ରାଜ୍ୟରେ ୨ ହଜାର ରେମେଡେସିଭର ଇଞ୍ଜେକସନ୍ ଆବଶ୍ୟକ ପଡ଼ୁଥିଲା ବେଳେ ବହୁ କମ୍ ସଂଖ୍ୟାରେ ଏହା ପହଞ୍ଚାଯାଉଛି । ଗତକାଲି କେବଳ ୯୨ଟି ରେମେଡେସିଭର ଆସିଛି । ଯାହାକୁ ବିଭିନ୍ନ ଘରୋଇ ହସ୍ପିଟାଲ୍କୁ ପଠାଯାଇଛି ।
ଗତ ଏପ୍ରିଲ ୨୧ରୁ ୩୦ ଯାଏ ରାଜ୍ୟକୁ ୨୧ ହଜାର ରେମେଡେସିଭର ଭାଇଲ୍ ମିଳିଛି । ଏହାକୁ ଅଧିକ ସଂଖ୍ୟାରେ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରାଯିବ ବୋଲି ରାଜ୍ୟ ଡ୍ରଗସ୍ କଣ୍ଟ୍ରୋଲର କହିଛନ୍ତି । ସେପଟେ ଫାଭିଫ୍ଲୁ ଔଷଧ ପର୍ଯ୍ୟାପ୍ତ ପରିମାଣର ରହିଛି । ଅନୁମତି ମିଳିଥିବା ୧୧୨୦ଟି ଔଷଧ ଦୋକାନରେ ଏହାକୁ ବିକ୍ରି କରାଯାଉଛି ବୋଲି ସେ ଦୋହରାଇଛନ୍ତି । ରାଜ୍ୟ ଡ୍ରଗସ୍ କଣ୍ଟ୍ରୋଲର୍ ରେମେଡେସିଭର ଘରୋଇ ହସ୍ପିଟାଲ୍କୁ ଯୋଗାଉଥିବା ବେଳେ ସରକାରୀ ହସ୍ପିଟାଲ୍କୁ ଔଷଧ ନିଗମ ଯୋଗାଉଛି ।
ସୂଚନାଯୋଗ୍ୟ, ରାଜ୍ୟରେ ଆଜି ରାଜ୍ୟରେ ୬,୦୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲିର ସଂଖ୍ୟାଠାରୁ ଆଜି ସାମାନ୍ୟ କମିଥିଲେ ମଧ୍ୟ ୬ ହଜାର ତଳକୁ ଖସୁନି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଲଗାତାର କିଛି ଦିନ ଧରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତକାଲି ଏହି ଜିଲ୍ଲାରୁ ୯୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ହଜାରେ ଟପି ଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୯୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ ଆଜି ୧୦ କରୋନା ସଂକ୍ରମିତ ଆଖି ବୁଜିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଏପରି ସାଂଘାତିକ ସ୍ଥିତିରୁ ନିକଟ ଭବିଷତ୍ୟରେ ବି ବର୍ତ୍ତିବା ପରି ଲାଗୁନି। ଆହୁରି ପ୍ରାୟ ୨୦ ଦିନ ଦେଖିବାକୁ ମିଳିପାରେ ମହାମାରୀର କୋପ। ଅର୍ଥାତ ଏବେ ପ୍ଲାଟ ଫେଜ୍ ଚାଲିଥିବା ବେଳେ ମେ’ ଦ୍ୱିତୀୟ ସପ୍ତାହ ବେଳକୁ ଆସିପାରେ କରୋନା ପିକ୍ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । ସେ କହିଛନ୍ତି, ଆଇଆଇଟି କାନପୁରର ଗବେଷଣା ଅନୁସାରେ ମେ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ କରୋନା । କିନ୍ତୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆଶ୍ୱାସନା ଦେଇ କହିଛନ୍ତି, ରାଜ୍ୟରେ ଟେଷ୍ଟିଂ କମିନି କିମ୍ବା ଟେଷ୍ଟିଂ କିଟ୍ର କୌଣସି ଅଭାବ ନାହିଁ । ଏବେ ଲୋକେ ନିଜେ ନିଜେ ଆସି ଟେଷ୍ଟିଂ କରାଉଛନ୍ତି ।
କିଛି ଲୋକ ରେମଡେସିଭିରକୁ ଘରେ ଅଯଥାରେ ମହଜୁଦ କରି ରଖୁଥିବା ଅଭିଯୋଗ କରି ନିରଂଜନ ମିଶ୍ର କହିଛନ୍ତି, ଏହି ଔଷଧ କରୋନା ପାଇଁ ଅବ୍ୟର୍ଥ ନୁହେଁ । କିଛି ଲୋକେ ଏହାକୁ ମହଜୁଦ ରଖି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି । ସରକାରୀ ସ୍ତରରେ ଦରକାର ମୁତାବକ ମେଡିସିନ ଅଛି । ବେଡର ମଧ୍ୟ ଅଭାବ ରହିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । କାରଣ ୪ଟି ଲେଖାଏଁ ଜିଲ୍ଲାକୁ ନେଇ କ୍ଲଷ୍ଟର କରାଯାଉଛି । ସେହି ଜିଲ୍ଲା ଭିତରେ ରୋଗୀଙ୍କୁ ବେଡ୍ ଯୋଗାଇ ଦିଆଯିବ ।
The post ରାଜ୍ୟରେ ଦେଖାଦେଲାଣି ରେମେଡେସିଭର ଅଭାବ, ଆବଶ୍ୟକତାଠୁ କମ୍ ମିଳୁଛି appeared first on Odisha Reporter.
from Odisha Reporter https://ift.tt/3veGanM
No comments:
Post a Comment