ଅଳସୁଆ ମନ୍ଦିର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 27, 2021

ଅଳସୁଆ ମନ୍ଦିର

ଦୀନବନ୍ଧୁ ନାୟକ

ଗୋଟିଏ ଦେଶରେ ଜଣେ ଦୟାଳୁ ପ୍ରଜାବତ୍ସଳ ରାଜା ଥିଲେ। ପ୍ରଜାମାନଙ୍କ ହିତଚିନ୍ତାରେ ଅହରହ ବ୍ୟସ୍ତ ରହୁଥିଲେ। ଛଦ୍ମବେଶରେ ରାଜ୍ୟସାରା ଭ୍ରମଣ କରି ଜାଣିପାରିଲେ ଯେ କେତେଜଣ ନିପଟ ଅଳସୁଆ ଜୀଅନ୍ତା କାଠଗଣ୍ଡି ପରି କାଳାତିପାତ କରୁଛନ୍ତି। ଦୟା ପରବଶ ହୋଇ ସେ ରାଜ୍ୟର ସବୁ ଅଳସୁଆମାନଙ୍କୁ ଆଣି ନଗର ବାହାରେ ସେମାନଙ୍କର ରହିବା ଖାଇବା ପିଇବାର ବନ୍ଦୋବସ୍ତ କରିଦେଲେ। ଆଉ ଯଦି କୌଣସି ଅଳସୁଆ ଆସନ୍ତି, ସେମାନଙ୍କୁ ମଧ୍ୟ ଏଠାରେ ରହିବାର ସୁଯୋଗ ଦେବାକୁ କର୍ମଚାରୀମାନଙ୍କୁ ଆଦେଶ ଦେଲେ।

ରାଜାଙ୍କର ଏତାଦୃଶ ଆଦେଶ ଯୋଗୁଁ ରାଜ୍ୟର ଯେତେ ଅଳସୁଆ, ଠକ, ଠାପୁଆ, କର୍ମକୁଣ୍ଠ ଲୋକଥିଲେ, ବିନା ପରିଶ୍ରମରେ ଖାଇପିଇ ଗଡିବା ପାଇଁ ସେମାନେ ପ୍ରତିଦିନ ଅଳସୁଆ ପରିଚୟ ଦେଇ ଏଠାକୁ ଆସିବାକୁ ଲାଗିଲେ। ଅଳସୁଆଙ୍କ ସଂଖ୍ୟା ଏତେ ବଢ଼ିଗଲା ଯେ ସେମାନଙ୍କ ଦାୟିତ୍ୱ ବୁଝିବା କର୍ମଚାରୀମାନଙ୍କର ତଥା ମନ୍ତ୍ରୀଙ୍କର ମୁଣ୍ଡବ୍ୟଥାର କାରଣ ହୋଇଗଲା। ମନ୍ତ୍ରୀ ଚିନ୍ତା କଲେ, ଯଦି ପ୍ରତିଦିନ ଏ ନକଲି ଅଳସୁଆଙ୍କ ସୁଅ ଛୁଟେ, ତେବେ ରାଜ୍ୟର ପ୍ରଜାମାନେ କାମଧନ୍ଦା ଛାଡ଼ି ଏଠାରେ ଖାଇପିଇ ଆରାମରେ ଗଡ଼ିବେ। ପ୍ରଜାମାନେ କର୍ମକୋଢ଼ି ହୋଇଯିବେ, ଆଦୌ କାମଧନ୍ଦା କରିବେନି। ରାଜ୍ୟ ଉଚ୍ଛନ୍ନ ହୋଇଯିବ, ରାଜକୋଷ ଶୂନ୍ୟ ହୋଇଯିବ। ରାଜାଙ୍କ ନିକଟରେ ବହୁବାର ଏ ଚିନ୍ତା ପ୍ରକଟ କଲେ ବି ଦୟାଳୁ ରାଜା କିଛି ଶୁଣିବାକୁ ନାରାଜ ଥିଲେ, ବରଂ ପ୍ରଜାମାନଙ୍କ ହିତ କରୁଛନ୍ତି ବୋଲି ସନ୍ତୁଷ୍ଟ ଥିଲେ।

କଥାରେ ଅଛି, ରାଜା ଷୋଳକଳା ହେଲେ ମନ୍ତ୍ରୀ ବତିଶକଳା, ଚୋର ଚୌଷଠି କଳା। ଦିନେ ମନ୍ତ୍ରୀ ସମସ୍ତଙ୍କ ଅଜାଣତରେ ଅଳସୁଆମାନଙ୍କ ରହିବା ଘରେ, ଯାହାକୁ ପ୍ରଜାମାନେ ଥଟ୍ଟାରେ ‘ଅଳସୁଆ ମନ୍ଦିର’ ବୋଲି କହୁଥିଲେ, ସେଥିରେ ନିଆଁ ଲଗାଇ ଦେଲେ। ନିଆଁ ଲାଗିବା ମାତ୍ରେ ସମସ୍ତେ ଜୀବନ ବିକଳରେ ଅଳସୁଆ ମନ୍ଦିର ଛାଡ଼ି ପଳାଇଲେ। କେବଳ ଦୁଇଟି ଲୋକ ନିଶ୍ଚଳଭାବେ ଶୋଇରହି ଥିଲେ। ମନ୍ତ୍ରୀ ସେମାନଙ୍କ ପାଖରେ ପହଂଚିବାବେଳକୁ ନିଆଁ ଧାସ ଲାଗୁଥିବା ଲୋକଟି କହୁଛି – “ଘ. ପୋ.” ଅର୍ଥାତ ‘ଘର ପୋଡ଼ିଯାଉଛି’। ଏତକ କଥା କହିବାକୁ ବି ସେ ଅଳସାଉଛି। ଆରଜଣକ କହୁଛି – “ବୁ.ଶୋ.” – ଅର୍ଥାତ୍ ‘ବୁଲିକି ଶୋ’। ମନ୍ତ୍ରୀ ଜାଣିଗଲେ ଯେ ଏଇ ଦି’ଟା ହେଉଛନ୍ତି ଖାଂଟି ଅଳସୁଆ। ସେମାନଙ୍କୁ ଟାଣି ବାହରକୁ ବାହାର କରିଦେଲେ। କେବଳ ସେହି ଦୁଇଜଣଙ୍କ ନିମନ୍ତେ ଅଳସୁଆ ମନ୍ଦିରର ସମସ୍ତ ବନ୍ଦୋବସ୍ତ କରିଦେଲେ। ରାଜାଜ୍ଞା ପାଳନ ହେଲା, ଉଦ୍ଦେଶ୍ୟ ବି ସାଧିତ ହେଲା।

ଏହା ଏକ କାଳ୍ପନିକ କାହାଣୀ। କିନ୍ତୁ ଏହାର ମଞ୍ଜ କଥାଟିକୁ ଲକ୍ଷ୍ୟ କଲେ ତାହା ଆମର ବର୍ତ୍ତମାନ ସମାଜ ସହିତ ମିଳିଗଲା ପରି ଲାଗୁଛି।

ମାତୃଗର୍ଭରେ ଭୃଣଟିଏ ସଂଚରିତ ହେବା ଦିନଠାରୁ ମା’ ଓ ଗର୍ଭସ୍ଥ ସନ୍ତାନର ଯତ୍ନ, ରୋଗ ପ୍ରତିଷେଧକ ଟୀକା, ରକ୍ତହୀନତା ଦୂରୀକରଣ, ଗର୍ଭବତୀର ସାମୟିକ ପରୀକ୍ଷା, ନିରାପଦ ପ୍ରସବ ଏବଂ ପରେ ପରେ ମା’ ଓ ଶିଶୁର ସୁସ୍ଥ ଜୀବନ ପାଇଁ ବିଭିନ୍ନ ଯୋଜନା କରାଯାଇଛି। ପିଲାଟିର ଅଙ୍ଗନବାଡ଼ିଠାରୁ ସ୍କୁଲଶିକ୍ଷା ପର୍ଯ୍ୟନ୍ତ ପୁଷ୍ଟିକର ଖାଦ୍ୟ, ମଧ୍ୟାହ୍ନଭୋଜନ, ବହିଖାତା, ଜାମାପ୍ୟାଂଟ୍‌, ଜୋତା, ସାଇକେଲ, ଲାପ୍‌ଟାପ୍ ଇତ୍ୟାଦି ଯୋଗାଇ ଦିଆଯାଉଛି। ଉଚ୍ଚଶିକ୍ଷା ପାଇଁ ବ୍ୟବସ୍ଥା, ଋଣ, ପ୍ରୋତ୍ସାହନ ଦିଆଯାଉଛି। ବଡ଼ ହେଲେ ଜୀବନ ନିର୍ବାହ ନିମନ୍ତେ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ପ୍ରୋତ୍ସାହନ, ରିହାତି ସୁଧରେ ଋଣ ଇତ୍ୟାଦି ଦିଆଯାଉଛି। ସାମୂହିକ ଭାବେ ସମିତି, ମଣ୍ଡଳି ପାଇଁ ବହୁତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଚାଳଘରକୁ ପକ୍କାଘର, ସୁଲଭ ଶୌଚାଳୟ, ମୋ ବଗିଚା, ମୋ ପୋଖରୀ ଠାରୁ ଆରମ୍ଭ କରି ପ୍ରତି ଘରକୁ ପାଇପ୍ ଯୋଗେ ପାନୀୟଜଳ, ବିଜୁଳୀ, ରୋଷେଇ ପାଇଁ ରନ୍ଧନଗ୍ୟାସ ଯୋଗାଇ ଦିଆଯାଉଛି। ମହିଳା ସଶକ୍ତିକରଣ ନିମନ୍ତେ ଅନେକ ସାହାଯ୍ୟ, ପ୍ରୋତ୍ସାହନ ମଧ୍ୟ ମିଳୁଛି। ଯାତାୟତ, ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ, ଚାଷ ଇତ୍ୟାଦି ନିମନ୍ତେ ସମସ୍ତ ପ୍ରକାର ସାହାଯ୍ୟ, ସହଯୋଗ, ପ୍ରୋତ୍ସାହନ, ରିହାତି, ଋଣଛାଡ଼ ମଧ୍ୟ ମିଳୁଛି। ଦୈବୀଦୁର୍ବିପାକ ପାଇଁ ଅନୁଦାନ ରାଶି ମିଳୁଛି। ଏପରିକି ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନାରେ ଶେଷକୃତ୍ୟ ପାଇଁ ସାହାଯ୍ୟ ମିଳୁଛି। ମୋଟ ଉପରେ ଜରାୟୂରୁ ଜୁଇ ପର୍ଯ୍ୟନ୍ତ ଜନସାଧାରଣ କିପରି ସୁବିଧାରେ, ଭଲରେ ରହିବେ, ତା’ର ବ୍ୟବସ୍ଥାମାନ କରାଯାଇଛି। ଏହା ବାଦ୍ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା ଇତ୍ୟାଦି ଅନେକ ପ୍ରକାର ଭତ୍ତାର ବ୍ୟବସ୍ଥା କରାଯାଇଛି। ବିଶେଷକରି ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଗରିବଲୋକମାନଙ୍କୁ ଟଙ୍କିକିଆ ଚାଉଳ ମିଳୁଛି।

ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାଗୁଡିକୁ ଲକ୍ଷ୍ୟ କଲେ ଜଣାପଡ଼େ, ଜନସାଧାରଣଙ୍କର ସାମାନ୍ୟତମ ଦୁଃଖକଷ୍ଟ ନ ହେଉ, ଏଥିପାଇଁ ସରକାର ସଦା ଜାଗ୍ରତ। ଏହା ଅତି ଉତ୍ତମ କଥା। ଏଥିରେ ସଦ୍‌ଭାବନା, ସଦିଚ୍ଛା, ପ୍ରଗତି, ବିକାଶର ଭାବ ଭରପୂର ହୋଇ ରହିଛି। ଏଥିପାଇଁ ସରକାର ପ୍ରକୃତରେ ଧନ୍ୟବାଦର ପାତ୍ର। ପରନ୍ତୁ, ଏହା ମୁଦ୍ରାର ଗୋଟିଏ ପାର୍ଶ୍ୱ, ଉଜ୍ଜ୍ୱଳ ପାର୍ଶ୍ୱ।

ଅପର ପାଶ୍ୱର୍ଟି କିନ୍ତୁ … ବହୁ କିନ୍ତୁର ସମାହାର। ଅଧିକାଂଶ ଯୋଜନାର କାର୍ଯ୍ୟାନ୍ୱୟନ ପଛରେ ‘କିନ୍ତୁ’ଟିଏ ଲଗାଯାଇପାରେ। ଏହାର ବର୍ଣ୍ଣନା ନିଷ୍ପ୍ରୟୋଜନ। ନିରପେକ୍ଷ ଭାବେ ନିଜ ସାହିରେ, ଗ୍ରାମରେ, ଗ୍ରାମ ପଂଚାୟତରେ, ମହଲାରେ ଲକ୍ଷ୍ୟ କରନ୍ତୁ … ସରକାରଙ୍କ ବିଭିନ୍ନ ଯୋଜନାରେ ଲାଭାନ୍ୱିତ ହେଉଥିବା ହିତାଧିକାରୀମାନଙ୍କ ମଧ୍ୟରୁ କେତେଜଣ ପ୍ରକୃତ ହିତାଧିକାରୀ ଓ କେତେଜଣ ନକଲି। ଖବରକାଗଜରେ ପ୍ରକାଶିତ ଏଇ କେତେ ମାସ ତଳର ଖବରଟିଏ … ସରକାରଙ୍କର ଜଣେ ବିଭାଗୀୟ କର୍ତ୍ତା ଏକ ଧାନମଣ୍ଡିରେ ଅଚାନକ ପହଂଚିଗଲେ। ଜଣେ ସାଧାରଣ ଛୋଟ ଚାଷୀଠାରୁ ପଚାରି ବୁଝିଲେ ଯେ ସେ ଚାଷୀଟି ଅମଳ କରିଥିବା ସବୁଯାକ ଧାନ ମଣ୍ଡିରେ ବିକ୍ରି କରିଦେଇ ଟଙ୍କିକିଆ ଚାଉଳ ଓ ଭତ୍ତାରେ ଚଳିଯାଉଛି। ଜଣେ ଚାଷୀ ଧାନ କ୍ୱିଂଟାଲ ପାଖାପାଖି ଦେଢ଼ହଜାର ଟଙ୍କାରେ ବିକି ମାସକୁ ମାସ ଟଙ୍କିକିଆ ୩୫ କିଲୋ ଚାଉଳ ପାଉଛି। ଏଥିପାଇଁ ଚାଷୀଟିକୁ ଦୋଷ ଦେଇ ହେବନି। ଏହା ବର୍ତ୍ତମାନ ସାଧାରଣ ଜନତାଙ୍କ ମାନସିକତା ହୋଇଯାଇଛି। ଅଳ୍ପ ପରିଶ୍ରମରେ ବା ବିନା ପରିଶ୍ରମରେ କଳେବଳେକୌଶଳେ, ବାହୁବଳେ ବା ବୁଦ୍ଧିବଳେ ମିଳୁଥିବା ସବୁ ସୁବିଧା ସୁଯୋଗ ହାତେଇ ନେବା। ନୈତିକତାର ପ୍ରଶ୍ନ ଉଠୁନି, ସେ ସବୁ ଚୁଲିକୁ ଗଲାଣି। କେଉଁଟା ଅନୈତିକ, ଏକଥା ବି ଅନେକଙ୍କର ଚିନ୍ତାର ବହିର୍ଭୂତ ବିଷୟ।

ଦୈନିକ ଖବରକାଗଜ, ଟି.ଭି. ନ୍ୟୁଜ ଦେଖିଲେ, କେତେ ଯେ ଅନୈତିକ କାର୍ଯ୍ୟକଳାପ, ଦୁର୍ନୀତି, ଚୋରୀଡକାୟତି, ଉତ୍ପାତ, ଲୁଣ୍ଠନ, ଦିନ ଦି’ପହରେ ବିଚ୍ ରାସ୍ତାରେ ଲୁଟ୍‌ତରାଜ, ହତ୍ୟା, ବ୍ୟଭିଚାର, ଅନାଚାର ଦେଖିବାକୁ ମିଳୁଛି, ଯାହା ସାଧାରଣ ନାଗରିକର ‘ତାଜୁବ୍‌’କୁ ମଧ୍ୟ ତାଜୁବ୍ କରିଦେଉଛି। ଏପରି ଅକଳ୍ପନୀୟ ବ୍ୟକ୍ତିଙ୍କ ସଂପର୍କରେ ଅଦ୍ଭୁତ ଖବରକୁ ବିଶ୍ୱାସ କରି ହେଉନି, କିନ୍ତୁ ତାହା ଘଟୁଛି। କେବଳ ‘ହେ ଭଗବାନ!’ କହି ମୁଣ୍ଡରେ ହାତ ମାରିବା ଛଡ଼ା ଉପାୟ ନାହିଁ। ଏବେ ଏବେ ଉଦ୍ଭାବିତ ସାଇବର ଅପରାଧ ତ ‘ଛୂ ମନ୍ତର’ କୁହୁକ ପରି ଲାଗୁଛି। ଏପରି ମାନସିକତା ନେଇ ଆମେ କେଉଁଆଡ଼େ ମୁହାଁଉଛେ, ସହଜେ ଅନୁମେୟ। ମନେହୁଏ, ମଣିଷର ମନ ଅପେକ୍ଷା ଉତ୍କୃଷ୍ଟତର ବୁଦ୍ଧିର ଏ ଖେଳ। କିନ୍ତୁ ଏହା ସୁବୁଦ୍ଧି ନୁହେଁ, କୁବୁଦ୍ଧି, ଦୁର୍ବୁଦ୍ଧି, ଶୈତାନୀ ବୁଦ୍ଧି।

ତେଣୁ ସାଧୁ ସାବଧାନ! ପ୍ରତ୍ୟେକ ଯୁଗରେ, କାଳରେ ଦୟାଳୁ ରାଜାଙ୍କ ପାଖରେ ବୁଦ୍ଧିମାନ ମନ୍ତ୍ରୀ ଥିଲେ, ଏବେ ଅଛନ୍ତି, ଭବିଷ୍ୟତରେ ବି ରହିବେ। ଦିନେ ନା ଦିନେ ଅଳସୁଆ ମନ୍ଦିରରେ ନିଶ୍ଚୟ ନିଆଁ ଲାଗିବ। କୁମନ, କୁବୁଦ୍ଧିର ଅନ୍ତ ଘଟିବ।

ସା : ତରାପୁର, ପୋ.ଅ.: ଲକ୍ଷ୍ମୀନଗର, ଜିଲ୍ଲା : ଯାଜପୁର

ମୋ : ୯୯୩୭୫୯୩୪୯୩

The post ଅଳସୁଆ ମନ୍ଦିର appeared first on Odisha Reporter.



from Odisha Reporter https://ift.tt/3t40JSx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages