ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୋର ଆର୍ଥିକ ସ୍ଥିତି ଭଲ ନାହିଁ। ହାଇକୋର୍ଟ ମୋ ପାଇଁ ଓକିଲ ନିଯୁକ୍ତ କରନ୍ତୁ। ମୋତେ ନ୍ୟାୟ ମିଳୁ।” ଦୀର୍ଘ ୨୨ ବର୍ଷ ହେଲା ନ୍ୟାୟ ଅପେକ୍ଷାରେ ଥିବା ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ପୀଡ଼ିତା ଅଞ୍ଜନା ମିଶ୍ର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି।
ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଛି । ତାକୁ ପଚରାଉଚରା କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦିଅନ୍ତୁ ହାଇକୋର୍ଟ । ଏହା ଦ୍ୱାରା ଷଡ଼ଯନ୍ତ୍ରର ଗୁମର ଖୋଲିବ ବୋଲି ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଅଞ୍ଜନା ମିଶ୍ର । ଏଥିସହ ଗଣଦୁଷ୍କର୍ମ ଷଡ଼ଯନ୍ତ୍ରର ଅଧିକ ତଦନ୍ତ କରି ଏହି ଷଡ଼ଯନ୍ତ୍ର ପଛରେ କିଏ ଥିଲା, ତାର ପର୍ଦ୍ଦାଫାସ କରିବାକୁ ଚିଠିରେ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ୧୯୯୯ ମସିହା ଜାନୁଆରୀ ୯ ତାରିଖର ରାତିରେ କଟକ-ବାରଙ୍ଗ ଥାନା ଅଞ୍ଚଳର ଘଟିଥିଲା ଜଘନ୍ୟକାଣ୍ଡ। ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଶିକାର ହୋଥିବା ବେଳେ ଏଥିରେ ସଂପୃକ୍ତ ଥିଲେ ତିନି ଅଭିଯୁକ୍ତ । ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି ।
ଘଟଣାର ୧୭ଦିନ ପରେ ଗିରଫ ହୋଇଥିଲେ ପ୍ରଦୀପ ଓ ଧିରେନ୍ଦ୍ର । ହେଲେ ମୁଖ୍ୟ ଅଭିଯୁକ୍ତ ବିବନ୍ କିନ୍ତୁ ହୋଇଯାଇଥିଲା ଫେରାର। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ନେଇଥିଲା ତଦନ୍ତ ଭାର । ମେ ୫, ୧୯୯୯ରେ ସିବିଆଇ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା । ୨୯ ଏପ୍ରିଲ, ୨୦୦୨ରେ ଖୋର୍ଦ୍ଧା ଜିଲ୍ଲା ଜଜ୍ ରାୟ ଶୁଣାଇ ୨ ଦୋଷୀ ପ୍ରଦୀପ ଓ ଧିରେନ୍ଦ୍ରଙ୍କୁ ଆଜୀବନ ଜେଲ ଦଣ୍ଡ ଦେଇଥିଲେ। ତେବେ ପ୍ରଦୀପ ସାହୁର ମୃତ୍ୟୁ ଘଟିଥିବା ବେଳେ ଧିରେନ୍ଦ୍ର ଏବେ ଜେଲରେ।
ସେହି ଲୋମହର୍ଷଣକାରୀ ଘଟଣାକୁ ନେଇ ସେତେବେଳେ ରାତାରାତି ବଦଳି ଯାଇଥିଲା ରାଜ୍ୟରେ ରାଜନୈତିକ ଚିତ୍ର । ଘଟଣାର କିଛି ଦିନ ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା ଓ କଂଗ୍ରେସ ସରକାର ବି କ୍ଷମତାରୁ ହଟିଥିଲା ।
ଏହି ଘଟଣାର ଦୀର୍ଘ ୨୨ ବର୍ଷ ପରେ ପୁଣି ଥରେ ଖୋଳତାଡ଼ କରି ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପୁଲିସ୍ ପାଇଁ ଥିଲା ଏକ ବହୁତ ବଡ଼ ଚ୍ୟାଲେଞ୍ଜ। ନାଁ ବଦଳାଇ ପୁନେରେ ରହୁଥିବା ବିବନ ବିଶ୍ୱାଳକୁ ଧରିବାକୁ ୩ ମାସ ପୂର୍ବରୁ ଜାଲ ବିଛାଇଥିଲା କମିଶନରେଟ ପୁଲିସ୍। ଏଥିନିମନ୍ତେ ଖୋଦ୍ ଟ୍ୱିନ୍ ସିଟି କମିଶନର, କଟକ ଡିସିପିଙ୍କୁ ନେଇ ଏକ ୪ ଜଣିଆ ଟିମ୍ ଗଠନ ହୋଇଥିଲା ।
ବିବନକୁ ଗିରଫ ସମ୍ପର୍କରେ ଖୁଲାସା କରିବାକୁ ଯାଇ ପୂର୍ବତନ ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ,“ ଚୌଦ୍ୱାର ଜେଲରେ ଥିବା ଦୋଷୀ ଧିରେନ୍ଦ୍ରକୁ ଥରେ ଭେଟିବା ପରେ ବିବନକୁ ଖୋଜି ବାହାର କରିବାକୁ ଚିନ୍ତା କଲୁ। ସହଯୋଗୀମାନେ ବିବନକୁ ବିକେ ନାଁରେ ଡାକୁଥିବା ଜାଣିବାକୁ ପାଇଲୁ। ବିକେର ଫୁଲ୍ଫର୍ମ ବାରଙ୍ଗ କିଙ୍ଗ ବୋଲି ଜାଣିବାକୁ ପାଇଲୁ। ”
ଏଥିସହ ସେ କହିଥିଲେ “ବଛା ବଛା ଅଫିସରଙ୍କୁ ନେଇ ଅପରେସନ ସାଇଲେଣ୍ଟ ଭାଇପର କଲୁ। ମଝିରେ ଶୁଣିଲୁ ଯେ ବିବନ ତ୍ରିଶୁଳିଆରେ ଆସି କିଛି ଦିନ ରହୁଥିଲା। ବିବନ ପୁଅମାନେ ତାଠାରୁ କେମିତି ପଇସା ପାଉଛନ୍ତି ଖୋଳତାଡ଼ କଲୁ। ପରେ ଜଣାପଡ଼ିଲା ଯେ ନାଁ ବଦଳାଇ ସେ ଆମ୍ବିଭ୍ୟାଲିରେ ଜଳନ୍ଧର ସ୍ୱାଇଁ ନାଁରେ ରହୁଛି। ସେଠାରେ ସେ ପାଣି ମିସ୍ତ୍ରୀ ଭାବେ ଆତ୍ମଗୋପନ କରି ନକଲି ନାଁ ଜଳନ୍ଧର ସ୍ୱାଇଁ ଦେଇଥିଲା । ଭୋଟର ପରିଚୟ ପତ୍ର, ଆଧାର କାର୍ଡ ସମେତ ବ୍ୟାଙ୍କ ପାସ୍ବୁକ୍ ବି ଜଳନ୍ଧର ନାଁରେ ଥିଲା।”
ଆମ୍ବି ଭ୍ୟାଲିରେ ଥିବା ବିବନ୍ ପରିବାର ଲୋକଙ୍କ ସହ ସମ୍ପର୍କରେ ଥିଲା । ଟଙ୍କା ପଠାଇବାଠୁ ଆରମ୍ଭ କରି କଥାବାର୍ତ୍ତା ଯାଏ ସବୁ ଚାଲିଥିଲା । ଏହାକୁ ଟ୍ରାକ୍ କରି ବିବନକୁ ଧରିବାକୁ କମିଶନରେଟ ପୁଲିସ୍ ଆରମ୍ଭ କରିଥିଲା ଅପରେସନ୍ ସାଇଲେଣ୍ଟ ବାଇପର୍ । ପୁଣେ ପୁଲିସ୍ ଜରିଆରେ ଆମ୍ବି ଭ୍ୟାଲିରେ ବିବନ୍ ଓରଫ୍ ଜଳନ୍ଧର ସମ୍ପର୍କରେ ସବୁ ତଥ୍ୟ ସଂଗ୍ରହ କରାଗଲା ।
ଏହାପରେ ଆମ୍ବି ଭ୍ୟାଲିରୁ ଅଢ଼େଇ କିଲୋମିଟର୍ ଦୂରରେ ରହୁଥବା ଜଳନ୍ଧରକୁ ଧରିବାକୁ ଧରିବାକୁ ଯିବା ବେଳେ ପୁଲିସ୍କୁ ଦେଖି ସେ ଦୌଡ଼ିଥିଲା । ଏହାପରେ ତାକୁ କାବୁ କରି ଭୁବନେଶ୍ୱର ଅଣାଗଲା। ବିବନ ଖସିଯିବା ପଛରେ କିଛି ଲୋକଙ୍କ ହାତ ଥିବା ସନ୍ଦେହ କଲେ ସିପି। କିଛି ଲୋକଙ୍କ ସହଯୋଗ ଥିବ, ନହେଲେ ସେ ଓଡ଼ିଶାରୁ ପଳାଇଲା କେମିତି। ମୁଁ ଆଶା କରିବି ବିବନ ଆଉ ଜେଲରୁ ନ ବାହାରୁ, ସାରାଜୀବନ ରହୁ। ମହିଳାଙ୍କୁ ନ୍ୟାୟ ଦେବାକୁ ଅଧିକ ସତର୍କ ହେବାକୁ ପଡ଼ିବ ବୋଲି କହିଥିଲେ ସିପି।
The post ‘ମୋର ଆର୍ଥିକ ସ୍ଥିତି ଭଲ ନାହିଁ, ହାଇକୋର୍ଟ ମୋ ପାଇଁ ଓକିଲ ନିଯୁକ୍ତ କରନ୍ତୁ’ appeared first on Odisha Reporter.
from Odisha Reporter https://ift.tt/3uaxn6e
No comments:
Post a Comment