କଟକ (ଓଡ଼ିଶା ରିପୋର୍ଟର): ଏସ୍ସିବିରେ ଚିକିତ୍ସାଧୀନ ଥିବା ବେଳେ ଫେରାର ହୋଇ ଗିରଫ ହୋଇଥିବା ଗ୍ୟାଙ୍ଗଷ୍ଟର ହାଇଦର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଜେଲ୍ କର୍ତ୍ତୃପକ୍ଷ ଚାହିଁଲେ ତାକୁ ହସ୍ପିଟାଲ୍ରେ ଭର୍ତ୍ତି କରିପାରିବେ ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂହ।
ଡିସିପି କହିଛନ୍ତି, ଗତକାଲି ରାତିରେ ହାଇଦରକୁ ଜେଲ୍କୁ ପଠାଯିବା ପରେ ସେ କରୋନା ପଜିଟିଭ୍ ବୋଲି ଜଣାପଡ଼ିଥିଲା। ତାକୁ ଜେଲ୍ରେ ଆଇସୋଲେସନ୍ରେ ରଖାଯାଇଛି ଓ ଚିକିତ୍ସା କରାଯାଉଛି। ଜେଲ୍ କର୍ତ୍ତୃପକ୍ଷ ତାର ଯତ୍ନ ନେବେ।
ହାଇଦରକୁ ହସ୍ପିଟାଲ୍ ନିଆଯିବ କି ନାହିଁ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରେ ଡିସିପି ଶ୍ରୀ ସିଂହ କହିଛନ୍ତି ଯେ ଯେହେତୁ ସେ ଜେଲ୍କୁ ଯିବା ପରେ ରିପୋର୍ଟ ପଜିଟିଭ୍ ଆସିଛି, ତେଣୁ ଜେଲ୍ କର୍ତ୍ତୃପକ୍ଷ ଏ ସଂପର୍କରେ ନିଷ୍ପତ୍ତି ନେବେ। ଯଦି ଅଧିକ ଚିକିତ୍ସା ଆବଶ୍ୟକ ହୁଏ, ତା’ହେଲେ ଜେଲ୍ କର୍ତ୍ତୃପକ୍ଷ ଚାହିଁଲେ ତାକୁ ହାସ୍ପିଟାଲ୍ ପଠାଇ ପାରିବେ।
ଡିସିପି ଆହୁରି କହିଛନ୍ତି, ହାଇଦର ସୁସ୍ଥ ହେବା ପରେ ତାକୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ପୁଣି ଆବେଦନ କରାଯିବ।
ହାଇଦର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତା’ ରିମାଣ୍ଡକୁ ସ୍ଥଗିତ ରଖାଯାଇଛି। କଟକ ମଙ୍ଗଳାବାଗ ପୁଲିସ୍ ତାକୁ ଆଜିଠୁ ଚୌଦ୍ୱାର ଜେଲ୍ରୁ ୭ ଦିନ ପାଇଁ ରିମାଣ୍ଡରେ ନେଇଥା’ନ୍ତା। ଆଜି ସକାଳ ୭ଟାରୁ ତା’ର ରିମାଣ୍ଡ ଅବଧି ଆରମ୍ଭ ହୋଇଥା’ନ୍ତା ଓ ୨୩ ତାରିଖ ସକାଳ ୭ଟା ସରିଥା’ନ୍ତା।
ଅସୁସ୍ଥତା ହେତୁ ମାର୍ଚ୍ଚ ୨୩ ତାରିଖରେ ସମ୍ବଲପୁର ଜେଲ୍ରୁ କଟକ ବଡ଼ ଡାକ୍ତରଖାନାକୁ ଆସିଥିଲା ହାଇଦର। ତେବେ ଏପ୍ରିଲ୍ ୧୦ ତାରିଖ ଅପରାହ୍ଣ ୪ଟାରୁ ସାଢ଼େ ୪ଟା ମଧ୍ୟରେ କଟକ ବଡ଼ ଡାକ୍ତରଖାନାରୁ ସେ ଫେରାର ହୋଇଯାଇଥିଲା।
ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଅନୁଯାୟୀ, ଜଗିଥିବା ଗାର୍ଡଙ୍କୁ ନିଶାଗ୍ରସ୍ତ କରି ସେ ଖସି ପଳାଇଥିଲା। ତେବେ ୧୨୦ ଘଣ୍ଟାର ଅପରେସନ୍ ପରେ ତାକୁ ଗୁରୁବାର ଦିନ ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ କରାଯାଇଥିଲା। ତାକୁ ଗତକାଲି ହାଇଦ୍ରାବାଦରୁ ଭୁବନେଶ୍ୱର ଅଣାଯାଇଥିଲା ଏବଂ କୋର୍ଟରେ ହାଜର କରାଯାଇ ୧୦ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା। ତେବେ କୋର୍ଟ ୭ ଦିନ ପାଇଁ ତାକୁ ରିମାଣ୍ଡରେ ନେବାକୁ ମଙ୍ଗଳାବାଗ ପୁଲିସ୍କୁ ଅନୁମତି ଦେଇଥିଲେ।
ହାଇଦର ଫେରାର ଘଟଣାରେ ୬ ଜଣ ପୁଲିସ୍ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଛି। ଏହି ୬ ଜଣ ଡାକ୍ତରଖାନାରେ ହାଇଦରକୁ ଜଗିବା ଦାୟିତ୍ୱରେ ନିୟୋଜିତ ହୋଇଥିଲେ। ସେହିପରି ହାଇଦରର ଜଣେ ସହଯୋଗୀ ୟାକୁବ ଓରଫ ସଲ୍ଲୁକୁ ଗିରଫ କରାଯାଇଛି। ଗତକାଲି ୩ ଯୁବତୀଙ୍କ ସମେତ ୮ ଜଣଙ୍କୁ ମଧ୍ୟ ପୁଲିସ୍ ପଚରାଉଚରା କରିଥିଲା।
The post ପୁଣି ହସ୍ପିଟାଲ୍ ଯିବ ହାଇଦର! appeared first on Odisha Reporter.
from Odisha Reporter https://ift.tt/3srcm5w
No comments:
Post a Comment