ନୂଆଦିଲ୍ଲୀ: ଗୃହମନ୍ତ୍ରୀ ପଦବୀରେ ଥିବା ବେଳେ ପୁଲିସ ଅଧିକାରଙ୍କୁ ବଟି ଆଦାୟ କରିବା ମାମଲାରେ ବଢ଼ିଲା ଏନସିପି ବିଧାୟକ ଅନୀଲ ଦେଶମୁଖଙ୍କ ଅଡୁଆ। ଶନିବାର ସିବିଆଇ ମହାରାଷ୍ଟ୍ରର ଏହି ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ମାମଲା ଦାୟର କରିଛି। ଏଥିସହ ଦେଶମୁଖଙ୍କ ସହ ଜଡିତ ମାମଲାରେ ସିବିଆଇ ବିଭିନ୍ନ ଦେଶରେ ରେଡ୍ କରୁଥିବା ସୂଚନା ରହିଛି।
ବମ୍ୱେ ହାଇକୋର୍ଟରେ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ଆଣିଥିଲେ ମୁମ୍ୱାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ। ଏହାପରେ କୋର୍ଟ ସିବିଆଇକୁ ପ୍ରାଥମିକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ଏବେ ମାମଲା ରୁଜୁ କରିବା ପରେ ମୁମ୍ବାଇର ଅନେକ ସ୍ଥାନରେ ଚଢ଼ାଉ କରିଛି।
ସିବିଆଇ ପ୍ରାଥମିକ ତଦନ୍ତ କରିବା ବେଳେ ଦେଶମୁଖଙ୍କ ବିରୋଧରେ ଅନେକ ପ୍ରମାଣ ପାଇଥିବା ଜଣାପଡ଼ିଛି। ଏହି ମାମଲାରେ ଆହୁରି ଅନେକ ଲୋକଙ୍କ ସଂପୃକ୍ତ ରହିଛି। ଯେଉଁମାନଙ୍କୁ ପ୍ରାଥମିକ ତଦନ୍ତ ବେଳେ ଚିହ୍ନଟ କରାଯାଇ ପାରିନାହିଁ। ତେଣୁ ଦେଶମୁଖଙ୍କ ସହିତ କିଛି ଅଜଣା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ସିବିଆଇ ମାମଲା ରୁଜୁ କରିଛି।
ପରମବୀର ସିଂହ ଦେଶମୁଖଙ୍କ ବିରୋଧରେ ସିବିଆଇ ଯାଞ୍ଚ ପାଇଁ ଏକ ଅଭିଯୋଗ ଦାଖଲ କରିଥିଲେ। ଦେଶମୁଖ ନିଲମ୍ବିତ ଏପିଆଇ ସଚିନ୍ ବାଜେଙ୍କ ସମେତ ଆଉ କିଛି ପୁଲିସ କର୍ମଚାରୀଙ୍କୁ ବାର ଏବଂ ରେଷ୍ଟୁରାଣ୍ଟରୁ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ କହିଥିଲେ ବୋଲି ପରମବୀର ଅଭିଯୋଗ କରିଥିଲେ। ଏ ନେଇ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଫିସକୁ ଏକ ଚିଠି ମଧ୍ୟ ପଠାଇଥିଲେ।
ପ୍ରଥମେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରମବୀର। ହେଲେ କୋର୍ଟ ଏହି ମାମଲାରୁ ଗମ୍ଭୀର ବୋଲି କହିବା ସହିତ ବମ୍ୱେ ହାଇକୋର୍ଟଙ୍କ ଯିବାକୁ କହିଥିଲେ। ଏହାପରେ ଦେଶମୁଖଙ୍କ ବିରୋଧରେ ପିଆଇଏଲ ଦାଖଲ କରିଥିଲେ। ଆଉ କୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଅନୀଲ ଦେଶମୁଖ ଏବଂ ମହାରାଷ୍ଟ୍ର ସରକାର। ହେଲେ କୋର୍ଟ ଖାରଜ କରି ହାଇକୋର୍ଟଙ୍କ ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ବଳବତ୍ତର ରଖିଥିଲେ।
ସୂଚନାଯୋଗ୍ୟ, ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଏକ ପ୍ରେସ କନଫରେନସ କରିଥିଲେ। ଯେଉଁଥିରେ ସେ ଦେଶମୁଖଙ୍କୁ କ୍ଲିନଚିଟ୍ ଦେଇଥିଲେ। ପରମବୀରଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିଥିଲେ।
The post ଅନୀଲ ଦେଶମୁଖଙ୍କ ବିରୋଧରେ ସିବିଆଇ ରୁଜୁ କଲା ମାମଲା appeared first on Odisha Reporter.
from Odisha Reporter https://ift.tt/3sRJRhn
No comments:
Post a Comment