ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନକୁ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଲା ରୋକ୍। ଆସନ୍ତାକାଲି ଠାରୁ କୌଣସି ଲୋକ ଧାର୍ମିକ ଅନୁଷ୍ଠାନ ଗୁଡ଼ିକରେ ପ୍ରବେଶ କରିପାରିବେ ନାହିଁ। କରୋନା ସଂକ୍ରମଣ ବଢ଼ି ଚାଲିଥିବା ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବିଏମ୍ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ।
ସେ କହିଛନ୍ତି, ଭୁବନେଶ୍ୱରରେ କରୋନା ପଜିଟିଭ୍ ସଂଖ୍ୟା ବଢ଼ିଛି। ଏହାକୁ ଦୃଷ୍ଟି ରଖି ଓ ରାଜ୍ୟ ସରକାର ସ୍ଥାନୀୟ ପ୍ରଶାସନକୁ ଦେଇଥିବା କ୍ଷମତାର ଉପଯୋଗ କରି ଆମେ ବିଏମ୍ସି ଅଞ୍ଚଳରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନର ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛୁ।
ଶ୍ରୀ ଚୌଧୁରୀ କହିଛନ୍ତି, ବର୍ତ୍ତମାନ ପାଇଁ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାର ଆଦି ସମସ୍ତ ଧର୍ମାନୁଷ୍ଠାନରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଛି। ତେବେ ସବୁ ଧର୍ମାନୁଷ୍ଠାନରେ ଦୈନନ୍ଦିନ ନୀତିକାନ୍ତି ସଂପନ୍ନ କରିବାକୁ ଅନୁମତି ଦିଆଯାଇଛି। ଆଗାମୀ ଦିନରେ ସ୍ଥିତିକୁ ଦେଖି ପୁଣି ଶ୍ରଦ୍ଧାଳୁଙ୍କ ନିମନ୍ତେ ଧର୍ମାନୁଷ୍ଠାନ ଗୁଡ଼ିକୁ ଖୋଲିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।
ବିଏମ୍ସି ପକ୍ଷରୁ ଏନେଇ ଗାଇଡ୍ ଲାଇନ୍ ମଧ୍ୟ ଜାରି କରାଯାଇଛି। ଧର୍ମାନୁଷ୍ଠାନ ଗୁଡ଼ିକରେ ନୀତିକାନ୍ତି ସଂପନ୍ନ କରିବାକୁ ଉପସ୍ଥିତ ରହୁଥିବା ପୂଜକ ଓ କର୍ମଚାରୀମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ସେମାନେ ସାମାଜିକ ଦୂରତ୍ୱ ମଧ୍ୟ ରକ୍ଷା କରିବେ। ପୂଜକ ଓ ଅନ୍ୟ କର୍ମଚାରୀ ଧର୍ମାନୁଷ୍ଠାନରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରିବାକୁ ତଥା ହାତ ଧୋଇବାକୁ ହ୍ୟାଣ୍ଡୱାସ୍ ରଖିବାକୁ ପରିଚାଳନା କମିଟିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଗତକାଲି ଆସିଥିବା ରିପୋର୍ଟ ଅନୁସାରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୪୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮୨ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୩୮୬ଟି ଲୋକାଲ୍ କେସ୍ ଥିଲା। ଏ ସଂଖ୍ୟା ଆଜି ଆହୁରି ଅଧିକ ହୋଇପାରେ। କାରଣ ଆଜି ଯେଉଁ ରିପୋର୍ଟ ଆସିଛି, ସେଥିରେ ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୮୨୦ ଜଣ ଚିହ୍ନଟ ହୋଇଥିବା କୁହାଯାଇଛି।
ଏପ୍ରିଲ ୧୪ ତାରିଖରୁ ଗତକାଲି ପର୍ଯ୍ୟନ୍ତ ଭୁବନେଶ୍ୱରରେ ପ୍ରତ୍ୟେକ ଦିନ ୩୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପ୍ରିଲ ୧୫ ତାରିଖରେ ଏହି ସଂଖ୍ୟା ୪୫୧ ରହିଥିଲା।
The post ଭୁବନେଶ୍ୱରରେ ଶ୍ରଦ୍ଧାଳୁଙ୍କୁ ଧର୍ମାନୁଷ୍ଠାନରେ ପ୍ରବେଶ ମନା appeared first on Odisha Reporter.
from Odisha Reporter https://ift.tt/3xdgslw
No comments:
Post a Comment