ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ଅସୁସ୍ଥ ଜ୍ୱାଇଁଙ୍କୁ ଦେଖିବାକୁ ଯାଉଥିଲେ। ହେଲେ ବାଟରେ ଘଟିଲା ଦୁର୍ଘଟଣା। ପ୍ରଥମେ ଗଲା ପୁଅର ଜୀବନ। ତା’ପରେ ଗଲା ତାଙ୍କ ଜୀବନ। ଆଉ ଗାଁରେ ମୃତଦେହ ପହଞ୍ଚିବା ପରେ ଏକା ସାଙ୍ଗରେ ଜଳିଥିଲା ମା’ପୁଅଙ୍କ ଜୁଇ। ଏମିତି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କିଆକଟା ଥାନା ଧୁଢ଼ିଆପଢ଼ା ଗାଁରେ।
ମୃତକ ଦ୍ୱୟ ହେଲେ ବିଳାସୀନି ବିଶ୍ୱାଳ ଓ ତାଙ୍କ ପୁଅ ଅଶୋକ ବିଶ୍ୱାଳ। ଶୁକ୍ରବାର ଅପରାହ୍ଣରେ ବିଳାସୀନି ପୁଅ ଅଶୋକ ସହିତ ବାଇକ୍ ଯୋଗେ ରେଢ଼ାଖୋଲ ଆସୁଥିଲେ। ସେ ତାଙ୍କ ଅସୁସ୍ଥ ଜ୍ୱାଇଁଙ୍କୁ ଦେଖିବାକୁ ଆସୁଥିଲେ। ତେବେ ସୁଣ୍ଡିମୁଣ୍ଡା ଛକରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ ବାଇକ୍ ସେମାନଙ୍କୁ ଧକ୍କା ଦେଇଥିଲା।
ଉଭୟ ମା’ ଓ ପୁଅଙ୍କୁ ଉଦ୍ଧାର କରି ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଅଶୋକଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଗୁରୁତର ବିଳାସୀନିଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ଭର୍ତ୍ତି ହେବାର କିଛି ଘଣ୍ଟା ପରେ ତାଙ୍କର ବି ମୃତ୍ୟୁ ଘଟିଥିଲା।
ଗତକାଲି ସନ୍ଧ୍ୟାରେ ଉଭୟ ମା’ପୁଅଙ୍କ ମୃତଦେହ ଧୁଢ଼ିଆପଢ଼ାରେ ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ମହାନଦୀ କୂଳରେ ଗାଁ ଶ୍ମଶାନରେ ଉଭୟ ମା’ପୁଅଙ୍କ ଅନ୍ତିମସଂସ୍କାର କରାଯାଇଥିଲା। ମା’ପୁଅ ଜୁଇ ଗାଁ ଶ୍ମଶାନରେ ଏକା ସାଙ୍ଗରେ ଜଳିଥିଲା।
ମୃତ ଅଶୋକ ବାହା ହୋଇଥିଲେ। ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି।
The post ଏକା ସାଙ୍ଗରେ ଜଳିଲା ମା’ପୁଅଙ୍କ ଜୁଇ appeared first on Odisha Reporter.
from Odisha Reporter https://ift.tt/2QYnLwp
No comments:
Post a Comment