ଚେନ୍ନାଇ: ମହମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ଏହାକୁ ନେଇ ବୈଜ୍ଞାନିକଙ୍କ ପରୀକ୍ଷାନୀରିକ୍ଷା ଜାରି ରହିଛି। କରୋନା ଟିକା ଜଣେ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ସାରା ଜୀବନ ପାଇଁ ବୃଦ୍ଧି କରିପାରୁଛି କି ନାହିଁ, ତାହା ଜାଣିବା ପାଇଁ ଏବେ ଭାରତୀୟ ବୈଜ୍ଞାନିକମାନେ ପ୍ରୟାସ ଆରମ୍ଭ କରିଛନ୍ତି।
ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୭ ଜଣଙ୍କୁ କରୋନା ଟିକା କୋଭାକ୍ସିନର ତୃତୀୟ ଡୋଜ୍ ଦିଆଯାଇଛି। କରୋନାରୁ ବର୍ତ୍ତିବା ପାଇଁ ମାସକ ବ୍ୟବଧାନରେ ଟିକାର ଦୁଇଟି ଡୋଜ୍ ନେବାର ପ୍ରାବଧାନ ରହିଛି। ହେଲେ ଏସଆରଏମ ମେଡିକାଲ କଲେଜ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ସୋମବାର ୭ ଜଣକୁ କୋଭାକ୍ସିନର ତୃତୀୟ ଡୋଜ୍ ଦିଆଯାଇଛି। ସେମାନେ ୬ ମାସ ତଳେ ଟିକାର ୨ୟ ଡୋଜ୍ ନେଇଥିଲେ। ତୃତୀୟ ଡୋଜ୍ ନେଲେ ରୋଗ ପ୍ରତିରୋଧକ ଶକ୍ତି କେତେ ବଢ଼ୁଛି ଓ ଏହା ସାରା ଜୀବନ ରହୁଛି କି ନାହିଁ, ସେକଥା ଜାଣିବା ପାଇଁ ଏଭଳି ଟିକାକରଣ ଆରମ୍ଭ ହୋଇଛି।
ମୋଟ ୧୯୦ ଜଣ ଲୋକଙ୍କୁ ଦିଲ୍ଲୀ, ପାଟନା ଓ ହାଇଦ୍ରାବାଦ ସମେତ ମୋଟ ୮ଟି ସ୍ଥାନରେ ଟିକାର ତୃତୀୟ ଡୋଜ୍ ଦିଆଯିବ। କେବଳ ଏସଆରଏମରେ ୨୦ରୁ ୨୫ ଜଣ ଲୋକ ତୃତୀୟ ଡୋଜ୍ ନେବେ। କୋଭାକ୍ସିନ ଟିକାକୁ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ପକ୍ଷରୁ ଆଇସିଏମଆର ଓ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ସହ ମିଶି ତିଆରି କରାଯାଇଛି। ଭାରତରେ ଏହି ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି।
ତୃତୀୟ ଡୋଜ୍ ଟିକାର ପରୀକ୍ଷଣ ଉପରେ ନଜର ରଖିଥିବା ଡା ସତ୍ୟଜିତ ମହାପାତ୍ର କହିଛନ୍ତି, ଏହି ପରୀକ୍ଷାରେ ୧୮ରୁ ୫୫ ବର୍ଷ ବୟସର ଲୋକ ରହିଛନ୍ତି। ତୃତୀୟ ଡୋଜ୍ ନେବାକୁ ଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ୬ ମାସ ଯାଏ ନଜର ରଖାଯିବ। ତୃତୀୟ ଡୋଜ୍ ଟିକା ନେବା ପରେ ସେମାନେ ୩ ମାସ ଓ ୬ ମାସ ଦୁଇଥର ହସ୍ପିଟାଲ ଆସି ନିଜର ଚେକଅପ କରିବେ। ଏହି ସମୟରେ ସେମାନଙ୍କ ରକ୍ତ ସଂଗ୍ରହ କରାଯାଇ ପରୀକ୍ଷା କରାଯିବ ଓ ରୋଗ ପ୍ରତିରୋଧକ ଶକ୍ତି ମପାଯିବ।
ଯଦି ପରୀକ୍ଷା ସଫଳ ହେବ, ତା’ହେଲେ ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି ସାରା ଜୀବନ ବା ଦୀର୍ଘ ସମୟ ଧରି ଜାରି ରଖିବା ପାଇଁ ତୃତୀୟ ଡୋଜ୍ ଟିକା ଦିଆଯିବ। ଦ୍ୱିତୀୟ ଡୋଜ୍ ଟିକା ନେବାରୁ ୪ରୁ ୬ ମାସ ପରେ ହିଁ ତୃତୀୟ ଡୋଜ୍ ଟିକା ମିଳିବ ବୋଲି ସେ କହିଛନ୍ତି।
ନିକଟରେ ଭାରତ ବାୟୋଟେକ ପକ୍ଷରୁ କୁହାଯାଇଥିଲା ଯେ କରୋନା ବିରୋଧରେ କୋଭାକ୍ସିନ ୭୮% ଫଳପ୍ରଦ। ତେବେ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲର ବିସ୍ତୃତ ରିପୋର୍ଟ ଆସନ୍ତା ମାସରେ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।
The post ଏହି କାରଣ ପାଇଁ ୭ ଜଣଙ୍କୁ ଦିଆଗଲା କରୋନା ଟିକାର ତୃତୀୟ ଡୋଜ୍ appeared first on Odisha Reporter.
from Odisha Reporter https://ift.tt/2Pp88Oe
No comments:
Post a Comment