କଟକ (ଓଡ଼ିଶା ରିପୋର୍ଟର): କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର କଟକ ବଡ଼ ଡାକ୍ତରଖାନାରୁ ଫେରାର ହେବା ପଛରେ ରହିଛି ତା’ ସହଯୋଗୀ ସେକ୍ ୟାକୁବ ଓରଫ ସଲ୍ଲୁର ହାତ। ଆଜି କଟକ ଡିସିପି ପ୍ରତୀକ ସିଂହ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ସଲ୍ଲୁ ଏ ଷଡ଼ଯନ୍ତ୍ରରେ ସାମିଲ ଥିବା ମାନିଛି। ତାକୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ।
ଡିସିପି ଆହୁରି କହିଛନ୍ତି, ହାଇଦରକୁ ଧରିବା ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଚାଲିଛି। ଏହି କେସ୍ରେ ତଦନ୍ତ ଠିକ୍ ଦିଗରେ ଆଗେଇ ଚାଲିଛି।
କଟକ ମହାନଦୀ ବିହାରର ଅଞ୍ଚଳର ସଲ୍ଲୁ ଗତକାଲି ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲା। ଏହା ପରେ ତାକୁ ମଙ୍ଗଳବାଗ ପୁଲିସ୍ ଗିରଫ କରିଛି। ହାଇଦର ଏସ୍ସିବିରେ ଚିକିତ୍ସାଧୀନ ଥିବା ବେଳେ ସେ ବାରମ୍ବାର ସେଠାକୁ ଯାଇ ତାକୁ ଭେଟିଥିଲା। ଏମିତିକି ସେ ହାଇଦର ପାଇଁ ବିରିୟାନୀ ମଧ୍ୟ ନେଇ ଯାଉଥିଲା।
ହାଇଦରର ଅପରାଧିକ କାର୍ଯ୍ୟକଳାପକୁ ବୁଝୁଥିଲା ୟାକୁବ। ତା ନାଁରେ କଟକର ବିଭିନ୍ନ ଥାନାରେ ଦାଦାବଟି ଓ ଡକାୟତି ଭଳି ଅନେକ ମାମଲା ରହିଛି।
ଅନ୍ୟପକ୍ଷରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ସଙ୍ଗିନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ହାଇଦର ଫେରାର ପଛରେ ବଡ଼ ଅଫିସରଙ୍କ ସଂପୃକ୍ତି ରହିଛି। ସୁପରିକଳ୍ପିତ ଓ ଯୋଜନାବଦ୍ଧ ଭାବେ ତାକୁ ଫେରାର କରାଯାଇଛି। ଆଉ ସତକୁ ଲୁଚେଇବାକୁ ଚେଷ୍ଟା କରାଯାଉଛି। ପ୍ରଥମେ ଏସ୍ଟିଏଫ୍ ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ।
ସେ ଆହୁରି ଅଭିଯୋଗ କରିଛନ୍ତି, ହାଇଦରକୁ ଖସାଇ ଦେବା ପାଇଁ ଡିସେମ୍ବର ମାସରୁ ପ୍ରସ୍ତୁତି ଚାଲିଥିଲା। ଏଥିରେ ରାଜ୍ୟର କିଛି ବଡ଼ ବଡ଼ ଅଫିସରଙ୍କ ସଂପୃକ୍ତି ରହିଛି। ସେହିପରି ତାକୁ ଏସ୍ସିବିରେ କ୍ୟାବିନ୍ କେମିତି ମିଳିଥିଲା ବୋଲି ବିଜୟ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ଗତ ଶନିବାର ସନ୍ଧ୍ୟାରେ ହାଇଦର କଟକ ବଡ଼ ଡାକ୍ତରଖାନାରୁ ଫେରାର ହୋଇଯାଇଥିଲା।
The post ହାଇଦର ଫେରାର ପଛରେ କିଏ? ପୁଲିସ୍ ଆଗରେ ମାନିଛି ସତ! appeared first on Odisha Reporter.
from Odisha Reporter https://ift.tt/3tgkxmi
No comments:
Post a Comment