ନୂଆଦିଲ୍ଲୀ: ରୁଷରେ ନିର୍ମାଣ ହୋଇଥିବା କରୋନା ଟିକା ସ୍ପୁଟନିକ ଭିର ଜରୁରୀକାଳୀନ ବ୍ୟବହାର ଭାରତରେ କରିବା ପାଇଁ ଡିସିଜିଆଇ ବିଧିବଦ୍ଧ ଭାବେ ମଞ୍ଜୁରୀ ପ୍ରଦାନ କରିଛି। ଗତକାଲି ସରକାରଙ୍କ ବିଶେଷଜ୍ଞ ଟିମ୍ ସ୍ପୁଟନିକ-ଭିର ଜରୁରୀକାଳୀନ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଥିଲେ।
ଏବେ ଏହାକୁ ମଞ୍ଜରୀ ମିଳିଥିବାରୁ ଭାରତୀୟମାନେ ଏହାର ଡୋଜ୍ ପାଇବେ। ତେବେ କେବେଠାରୁ ସ୍ପୁଟନିକ-ଭିର ଡୋଜ୍ ଲୋକଙ୍କୁ ମିଳିବ, ତା’ର ତଥ୍ୟ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଏପ୍ରିଲ ଶେଷ ଭାଗରୁ ହିଁ ଏହାର ଡୋଜ୍ ଭାରତରେ ଉପଲବ୍ଧ ହେବ। ରୁଷର ଗାମେଲିୟା ଇନଷ୍ଟିଚ୍ୟୁଟ ଏହାକୁ ତିଆରି କରିଥିଲେ ହେଁ ଭାରତରେ ୫ଟି ଫାର୍ମା କମ୍ପାନୀ ଏହାର ଉତ୍ପାଦନ କରିବେ। ବାର୍ଷିକ ୮୫୦ ନିୟୁତ ଡୋଜ୍ ଉତ୍ପାଦନ ହେବ ବୋଲି ଜଣାପଡ଼ିଛି। ଡା ରେଡ୍ଡୀ ପକ୍ଷରୁ ସ୍ପୁଟନିକ-ଭିର ମାନବ ପରୀକ୍ଷଣ ଭାରତରେ କରାଯାଇଥିଲା। ଏବେ ବି ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଦେଶରେ ଜାରି ରହିଛି।
ଆରଡିଆଇଏଫ(ରୁଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ) କହିଛି ଯେ ଭାରତ ଭଳି ଜନସଂଖ୍ୟା ବହୁଳ ରାଷ୍ଟ୍ରରେ ରୁଷିଆନ ଟିକାକୁ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି। ୬୦ଟି ଦେଶରେ ସ୍ପୁଟନିକ ଭିର ବ୍ୟବହାରକୁ ଅନୁମୋଦନ ମିଳିଛି। ପ୍ରାୟ ୩ ବିଲିୟନ ବା ବିଶ୍ୱ ଜନସଂଖ୍ୟାର ୪୦% ଲୋକ ଏହି ଟିକାର ଡୋଜ୍ ନେବେ। ଗ୍ଲାଣ୍ଡ ଫାର୍ମା, ହେଟ୍ରୋ ବାୟୋଫାର୍ମ, ପାନାସେଆ ବାୟୋଟେକ, ଷ୍ଟେଲିସ ବାୟୋଫାର୍ମ ଓ ବିରଚୋୱ ବାୟୋଟେକ୍ ସହ ସ୍ପୁଟନିକ ଭିର ଉତ୍ପାଦନ ପାଇଁ ଆରଡିଆଇଏଫ ଚୁକ୍ତି କରିଛି।
ଭାରତରେ ଏହି ଫାର୍ମ ଗୁଡ଼ିକ ବାର୍ଷିକ ୮୫୦ ମିଲିୟନ ଡୋଜ୍ ଟିକା ଉତ୍ପାଦନ କରିବେ। ଏହାଦ୍ୱାରା ଭାରତ ସମେତ ସମଗ୍ର ବିଶ୍ୱକୁ ଟିକା ରପ୍ତାନୀ ହୋଇପାରିବ। ଆମର ଆଶା ଏପ୍ରିଲ ଶେଷ ଭାଗ କିମ୍ବା ଅତି ବେଶୀରେ ମେ’ ପ୍ରଥମରୁ ସ୍ପୁଟନିକ ଭିର ଡୋଜ୍ ଭାରତରେ ଲୋକଙ୍କୁ ମିଳିବ। ଜୁନ୍ ସୁଦ୍ଧା ଟିକାର ଡୋଜ୍ ବିପୁଳସଂଖ୍ୟାରେ ଉତ୍ପାଦନ ହୋଇପାରିବ ବୋଲି ଆରଡିଆଇଏଫ ପକ୍ଷରୁ କୁହାଯାଇଛି।
ମର୍ଡନା ଓ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକା ପରେ ସ୍ପୁଟନିକ ଭି ମହାମାରୀ ଭାଇରସ ଉପରେ ୯୧.୬% ପ୍ରଭାବଶାଳୀ ବୋଲି ବିଭିନ୍ନ ପରୀକ୍ଷାରୁ ଜଣାପଡ଼ିଛି। ତେଣୁ ଭାରତରେ ଏହା ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ସ୍ପୁଟନିକ-ଭି ପୂର୍ବରୁ ଭାରତ ସରକାର ଦେଶରେ ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା କୋଭିସିଲ୍ଡ ଓ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ଏବେ ତୃତୀୟ ଟିକା ଭାବେ ସ୍ପୁଟନିକ ଭିକୁ ବ୍ୟବହାର ପାଇଁ ଅନୁମତି ମିଳିଛି।
The post କେବେଠୁ ଭାରତୀୟଙ୍କୁ ମିଳିବ ରୁଷ କରୋନା ଟିକାର ଡୋଜ୍? appeared first on Odisha Reporter.
from Odisha Reporter https://ift.tt/3e4CJJw
No comments:
Post a Comment