ୱାଶିଂଟନ: ଭାରତୀୟ ବଂଶୋଦ୍ଭବ ତଥା ଆମେରିକାର ଉପରାଷ୍ଟ୍ରପତି କମଳା ହାରିସଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଜଣେ ନର୍ସଙ୍କୁ ପୁଲିସ୍ ଫ୍ଲରିଡାରୁ ଗିରଫ କରିଛି। କମଳା ହାରିସଙ୍କୁ ହତ୍ୟା ଧମକ ମିଳିବା ପରେ ଆମେରିକା ସିକ୍ରେଟ ସର୍ଭିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା।
ଏହି ସମୟରେ ନର୍ସ ନିଭିଆନେ ପେଟିଟ ଫେଲପ୍ସଙ୍କୁ ଗିରଫ କରାଯାଇଛି। ୫୬ ବର୍ଷୀୟ ହାରିସ ପ୍ରଥମ ମହିଳା ଭାବେ ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଏଥିସହ ସେ ପ୍ରଥମ କୃଷ୍ଣକାୟ ଓ ଦକ୍ଷିଣ ଏସିଆନ୍ ଆମେରିକୀୟ ଭାବେ ମଧ୍ୟ ଉପ ରାଷ୍ଟ୍ରପତିରେ ଅବସ୍ଥାପିତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ନର୍ସ ନିଭିଆନେ ଫେବୃଆରୀ ୧୩ରୁ ୧୮ ମଧ୍ୟରେ କମଳା ହାରିସଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏଥିସହ ତାଙ୍କ ଶରୀରକୁ କ୍ଷତି ପହଞ୍ଚାଇବାକୁ ମଧ୍ୟ ଚେତାବନୀ ଦେଇଥିଲେ। ସେ ଜ୍ୟାକସନ ହେଲଥ ସିଷ୍ଟମ ପାଇଁ ୨୦୦୧ରୁ କାର୍ଯ୍ୟ କରୁଛନ୍ତି।
ସେ ଜେଲ୍ରେ ଥିବା ନିଜ ସ୍ୱାମୀଙ୍କ ପାଖକୁ ଜେପେ ଜରିଆରେ ଭିଡିଓ ପଠାଇଥିଲେ। ଏହି ଭିଡିଓରେ କମଳା ହାରିସ, ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ସେ କେତେ ରାଗ ରଖିଛନ୍ତି, ସେକଥା ତାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ। ଖାଲି ସେତିକି ନୁହେଁ, ସେ ଭିଡିଓରେ କମଳା ହାରିସଙ୍କୁ ଜୀବନରେ ମାରିବାକୁ ମଧ୍ୟ ଧମକ ଦେଇଥିଲେ।
ଗୋଟିଏ ଭିଡିଓରେ ସେ କହିଛନ୍ତି, “କମଳା ହାରିସ ତୁମେ ମରିବାକୁ ଯାଉଛି। ତୁମ ପାଖରେ ମାତ୍ର ଆଉ କିଛି ଦିନ ସମୟ ରହିଛି।” ୧୮ ତାରିଖରେ ନିଭିଆନେ ଭିଡିଓରେ କହିଛନ୍ତି ଯେ “ଆଜି ମୁଁ ବନ୍ଧୁକ ଦୋକାନକୁ ଯାଉଛି। ମୁଁ ଭଗବାନଙ୍କ ପାଖରେ ପ୍ରତିଜ୍ଞା କରିଛି ଯେ ଆଜି ହେଉଛି ତୁମର(କମଳା ହାରିସ) ଶେଷ ଦିନ। ଆଜି ହିଁ ତୁମେ ମରିବ।”
ପୁଲିସ୍ ତାଙ୍କ ନିକଟରୁ କମଳା ହାରିସଙ୍କୁ ପ୍ରତିକାତ୍ମକ ଭାବେ ଗୁଳି ମାଡ଼ କରିବା ବେଳର ଫଟୋ ମଧ୍ୟ ଜବତ କରିଛି। ମାର୍ଚ୍ଚ ୩ରେ ପୁଲିସ୍ ତାଙ୍କ ପାଖରେ ପହଞ୍ଚିଥିଲା। ସେ ପୁଲିସ୍କୁ କହିଛନ୍ତି ଯେ “କମଳା ହାରିସ ଉପ ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ମୁଁ ପ୍ରବଳ ରାଗିଥିଲି। ହେଲେ ସବୁ କିଛି ଶେଷ ହୋଇଯାଇଛି। ତାଙ୍କ ଉପରେ ମୋର କୌଣସି ରାଗ ନାହିଁ।” ତଥାପି ପୁଲିସ୍ ତାଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି।
The post ଆମେରିକା ଉପ ରାଷ୍ଟ୍ରପତି କମଳା ହାରିସଙ୍କୁ ହତ୍ୟା ଧମକ ଦେଇ ନର୍ସ ଗିରଫ appeared first on Odisha Reporter.
from Odisha Reporter https://ift.tt/3v0kaNf
No comments:
Post a Comment