କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): “ଆଉ ବରଦାସ୍ତ କରାଯିବନି। ଏଣିକି ଖଳନାୟକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। କୋରାପୁଟ ଜିଲ୍ଲା ପ୍ରଶାସନ ଅନ୍ୟ ରାଜ୍ୟର ଜମି ଉପରେ ଆଖି ପକାଇ ଅକ୍ତିଆର କରିବା ପାଇଁ ଚାହେଁ ନାହିଁ । ହେଲେ ଓଡ଼ିଶା ମାଟିରେ ରହି ଯିଏ ଏପରି ଘୃଣ୍ୟ କାମ କରିବ, କୋଟିଆରେ ରହି ଆନ୍ଧ୍ର ପାଇଁ କାମ କରିବ, ନିରୀହ ଆଦିବାସୀଙ୍କୁ ଆନ୍ଧ୍ର ପ୍ରତି ଆକର୍ଷିତ କରିବାକୁ ଚେଷ୍ଟା କରିବ ସେମାନଙ୍କୁ ଆଉ ଛଡ଼ା ଯିବନି।” ଏପରି ଚେତାବନୀ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦଲ ଅକତର।
ଏ ନେଇ ସୂଚନା ଦେଇ କୋରାପୁଟ ଜିଲ୍ଲାପାଳ କହିଛନ୍ତି, କୋରାପୁଟ ଜିଲ୍ଲା ପ୍ରଶାସନ ଅନ୍ୟ ରାଜ୍ୟର ଜମିକୁ ଅକ୍ତିଆର କରି ହକ୍ ଜାହିର କରିବାକୁ ଚାହେଁ ନାହିଁ । ସେହିଭଳି ପଡୋଶୀ ରାଜ୍ୟ ଗୁଡିକଠାରୁ ମଧ୍ୟ ଅନୁରୂପ ବ୍ୟବହାର ଆଶା କରାଯାଉଛି ।
ଆନ୍ଧ୍ର ପ୍ରଦେଶର ଜିଲ୍ଲା ପରିଷଦ ନିର୍ବାଚନରେ କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର, ଫଗୁଣସିନେରୀ ଓ ଫାଟୁସିନେରୀର ଲୋକଙ୍କୁ ଆକର୍ଷିତ କରିବା ପାଇଁ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଅନେକ ଚେଷ୍ଟା କରିଥିଲେ । ନରେଡିବାଲାସାରେ ଖୋଲାଯାଇଥିବା ଭୋଟିଂ କେନ୍ଦ୍ରରେ କୋଟିଆ ପଞ୍ଚାୟତର ସମୁଦାୟ ୧୯୨୧ ଭୋଟରଙ୍କ ମଧ୍ୟରୁ କେବଳ ୨୨୩ ଜଣ ମତଦାନ କରିଥିବା ବେଳେ ତୋନମଠାରେ ଫାଟୁସିନେରୀର ୧୦୨୫ ଜଣ ଭୋଟରଙ୍କ ମଧ୍ୟରୁ ୩୮୨ ଜଣ ଓ ଫଗୁଣସିନେରିରୁ ୨୧୭ ଜଣ ମତଦାନ କରିଥିବା ସୂଚନା ରହିଛି ।
ଏନେଇ ଜିଲ୍ଲାପାଳ କହିଛନ୍ତି କୋଟିଆବାସୀଙ୍କୁ କୋରୋନା ଦାଉରୁ ମୁକ୍ତ ରଖିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯିବା ସହ ଲୋକଙ୍କ ଯିବା ଆସିବା ଉପରେ ରୋକ ଲଗାଯାଇଛି । ଏହା ବ୍ୟତୀତ କୋଟିଆ ଅଞ୍ଚଳର ପ୍ରତି ଗାଁକୁ ରାସ୍ତା ସଂଯୋଗ କରାଯାଉଛି। ବହୁ ଖଳ ପ୍ରକୃତିର ଲୋକ ଗାଁ ଲୋକଙ୍କୁ ଫୁସଲାଇ ଆନ୍ଧ୍ର ପ୍ରତି ଢଳାଇବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।
The post ଆଉ ବରଦାସ୍ତ କରାଯିବନି! ‘ଆନ୍ଧ୍ର ପାଇଁ କାମ କରୁଥିବା ଖଳାନାୟକଙ୍କୁ ଚିହ୍ନଟ କରାଯିବ’ appeared first on Odisha Reporter.
from Odisha Reporter https://ift.tt/3t2ZeEF
No comments:
Post a Comment