ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ପ୍ରାୟ ୧୨ ଏକର ଜମିରେ ଫଳିଛି ସୁନାର ଫସଲ। ତା’ ପୁଣି ସୁଗାର ଫ୍ରି ଧାନ। ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ। ଧାନ ତ ଧାନ, ପୁଣି ସୁଗାର ଫ୍ରି ଧାନ କ’ଣ? ଏଭଳି ସୁଗାର ଫ୍ରି ଧାନ ଚାଷ କରି ଦେଖାଇଛନ୍ତି ଜଗତସିଂହପୁର ରଘୁନାଥପୁର ବ୍ଲକ୍ ରେଢୁଆ ପଞ୍ଚାୟତ ଅରେଇକଣା ଗାଁର ଶରତ ଚନ୍ଦ୍ର ମହାପାତ୍ର।
ସାଧାରଣତଃ ଡାଇବେଟିସ ତଥା ମଧୁମେହ ରୋଗରେ ପୀଡ଼ିତ ହେଲେ ଭାତ ଖାଇବାକୁ ମନା କରାଯାଇଥାଏ। କାରଣ ଭାତରେ କାର୍ବୋହାଇଡ୍ରେଟ ପରିମାଣ ଅଧିକ ଥାଏ। ଏହା ଶରୀରରେ ବ୍ଲଡ ସୁଗାର ପରିମାଣ ବଢ଼ିବାର ଆଶଙ୍କା ଥାଏ। ଏ ସମସ୍ୟାରୁ ମୁକ୍ତି ଦେବା ପାଇଁ ଅବସରପ୍ରାପ୍ତ ସେନା କର୍ମଚାରୀ ଶରତ ଚନ୍ଦ୍ର ମହାପାତ୍ର ଏବେ ତାଙ୍କର ୨୦ ଏକର ଜମିରୁ ୧୨ ଏକରରେ କରିଛନ୍ତି ସୁଗାର ଫ୍ରି’ ଧାନ ଚାଷ।
ସେନାରୁ ଅବସର ନେବା ପରେ ଜଣେ ବନ୍ଧୁଙ୍କଠାରୁ ଏହି ସୁଗାର ଫ୍ରି ଧାନଚାଷ ସମ୍ପର୍କରେ ସୂଚନା ପାଇବା ପରେ ତାଙ୍କ ସହାୟତାରେ ବିହନ ଆଣି ଚାଷ କରିଥିଲେ ଶରତ। ଏମିତିକି ଜମିକୁ ପାଣି ମଡାଇବା ପାଇଁ ୩ ଲକ୍ଷ ଟଙ୍କା ସବ୍ସିଡିରେ ସୋଲାର ପମ୍ପିଂ ସିଷ୍ଟମ ମଧ୍ୟ କରିଛନ୍ତି। ଏଥିପାଇଁ ତାଙ୍କୁ ବିଦ୍ୟୁତ୍ ଶକ୍ତିର ଆବଶ୍ୟକତା ପଡୁ ନାହିଁ। ଏହି ସୁଗାର ଫ୍ରି ଧାନ କେଜି ପିଛା ଶହେ ଟଙ୍କା ଦରରେ ବିକ୍ରି ପାଇଁ ଚୁକ୍ତି ହୋଇଥିବା କହିଛନ୍ତି ଶରତ। ସେପଟେ ଚାକିରୀ କଲା ବେଳେ ବି ଶରତଙ୍କ ଚାଷ ପ୍ରତି ତାଙ୍କର ଆଗ୍ରହ ରହିଥିଲା। ଏଥିପାଇଁ ପଞ୍ଜାବ ଓ ହରିଆଣାରେ କିପରି ନୂଆ ନୂଆ କିସମର ଚାଷ ହେଉଛି ତାହା ଦେଖିବାକୁ ଯାଉଥିବା ତାଙ୍କ ପତ୍ନୀ କହିଛନ୍ତି।
ସୁଗାର ଫ୍ରି ଧାନ ଚାଷ ସହ କଦଳୀ, ନଡିଆ, ଆମ୍ବ ଏବଂ ମାଛ ଚାଷ ମଧ୍ୟ କରିଛନ୍ତି ଏହି ଅବସର ପ୍ରାପ୍ତ ସେନା କର୍ମଚାରୀ। ସେପଟେ ଏହି ଧାନ ଚାଷ କରି ଶରତ ନିଜେ ସ୍ୱାବଲମ୍ବି ହେବା ସହ ୩୦ରୁ ୩୫ ଜଣଙ୍କୁ ରୋଜଗାର କ୍ଷମ ମଧ୍ୟ କରାଇଛନ୍ତି। ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଚାଷ କରିବା ପାଇଁ ଆଗେଇ ଆସିବାକୁ ସେ ଯୁବପିଢ଼ିଙ୍କୁ ଆହ୍ୱାନ କରିଛନ୍ତି। ଏଭଳି ଧାନ ଚାଷ ଯୋଗୁ ମଧୁମେହ ରୋଗୀ ବେଶୋ ଉପକୃତ ହେବେ ବୋଲି ଅନେକ ମତ ଦେଇଛନ୍ତି ।
ଅନ୍ୟପଟେ ସରକାର ସୁଗାର ଫ୍ରି ଧାନ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇଦେଲେ ଅଧିକରୁ ଅଧିକ ଚାଷୀ ଏହି କିସମର ଧାନ ଚାଷ କରିବାକୁ ଆଗେଇ ଆସନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
The post ଜମିରେ ହସୁଛି ସୁଗାର ଫ୍ରି’ ଧାନ, କିଲୋ ପିଛା ୧୦୦ appeared first on Odisha Reporter.
from Odisha Reporter https://ift.tt/3tUyred
No comments:
Post a Comment