ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପରମୁହାଁ କରୋନା ଗ୍ରାଫ୍କୁ ଦେଖି କିଛି ଦିନ ପୂର୍ବେ ମାଟ୍ରିକ ପରୀକ୍ଷାକୁ ବାତିଲ କରି ଦିଆଯାଇଥିବା ବେଳେ ଏବେ ଯୁକ୍ତ ୨ ପରୀକ୍ଷା ବାତିଲ ଦାବି କରିଛନ୍ତି ଛାତ୍ରଛାତ୍ରୀ। ପରୀକ୍ଷା ବାତିଲ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଚଳାଇଛନ୍ତି ଛାତ୍ରଛାତ୍ରୀ।
ହେଲେ ପିଲାମାନେ ଏବେ ପାଠପଢ଼ାରେ ମନୋନିବେଶ କରନ୍ତୁ। ଜୁନ୍ରେ ସ୍ଥିତି ଦେଖି ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସଫା ସଫା କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ।
ମନ୍ତ୍ରୀ କହିଛନ୍ତି, ମାଟ୍ରିକ ପରୀକ୍ଷା ବନ୍ଦ ହେଉ ବୋଲି କାହାର ଇଚ୍ଛା ନ ଥିଲା। ପରୀକ୍ଷା କରାଇବା ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ହେଲେ ଦୁର୍ଭାଗ୍ୟବଶଃତ ହୋଇପାରି ନ ଥିଲା। କିନ୍ତୁ ଯୁକ୍ତ ୨ ପିଲା ପାଠ ପଢ଼ାରେ ମନୋନିବେଶ କରନ୍ତୁ। ସେତେବେଳେ ବାତାବରଣ ଠିକ୍ ହେଲେ ପରୀକ୍ଷା ହେବା ସ୍ୱାଭାବିକ।
ତେଣୁ ଜୁନ୍ ପର୍ଯ୍ୟନ୍ତ ସେମାନେ ପାଠ ପଢ଼ିବା ଦରକାର। ତାଙ୍କ ପାଠ ତାଙ୍କ ନିକଟରେ ରହିବ। କେହି ନେଇ ଯିବେ ନାହିଁ। ଜୁନ୍ ପ୍ରଥମ ସପ୍ତାହରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ। ବିଭାଗ ପକ୍ଷରୁ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ। ଏହାବ୍ୟତୀତ ଯୁକ୍ତ ୨ ଛାତ୍ରଛାତ୍ରୀ ଦଶମ ଛାତ୍ରଛାତ୍ରୀଙ୍କଠାରୁ ବୟସରେ ବଡ଼। ତେଣୁ ସେମାନେ ପରୀକ୍ଷା ବାତିଲ ଦାବି ନ କରି ପାଠପଢ଼ାରେ ମନୋନିବେଶ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, କରୋନାର କୋପ ଦେଖି ଆସନ୍ତା ମାସ ୩ ତାରିଖରେ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଗଲା ବୋଲି ଗତ ୨୧ ତାରିଖରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଘୋଷଣା କରିଥିଲେ। ଏହାବ୍ୟତୀତ ଗ୍ରେଡେସନ ବା ମାର୍କି କିପରି ହେବ ତାହା ବୋର୍ଡ ନିର୍ଦ୍ଧାରିତ କରିବ ବୋଲି କହିଥିଲେ।
ଏହାବ୍ୟତୀତ, ଓଡ଼ିଶା ରାଜ୍ୟ ମାଦ୍ରାସା ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ପରୀକ୍ଷାଗୁଡ଼ିକୁ ମଧ୍ୟ ବାତିଲ କରି ଦିଆଯାଇଛି। ଏହି ବୋର୍ଡମାନଙ୍କ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ, ଛାତ୍ରୀଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶିତ ହେବ। ଯେଉଁମାନେ ଅସହମତି ପ୍ରକାଶ କରିବେ, କୋଭିଡ ମହାମାରୀ ପ୍ରଶମିତ ହେବା ପରେ ବୋର୍ଡମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଦିବସରେ ପରୀକ୍ଷା ଦେଇପାରିବେ।
ସୂଚନାଯୋଗ୍ୟ, ପରୀକ୍ଷା ବାତିଲ ଦାବିରେ ନବୀନ ନିବାସ ସମ୍ମୁଖରେ ତଥା ମୟୂରଭଞ୍ଜ ଜିଲ୍ଲାପାଳଙ୍କ ବାସଭବନ ଆଗରେ ଦଶମ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ। ଏପରିକି ଜିଲ୍ଲାପାଳଙ୍କ ବାସଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ବିଭିନ୍ନ ଆଡ଼ୁ ପ୍ରତିବାଦ ଆରମ୍ଭ ହେବା ପରେ ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବଡ଼ ଘୋଷଣା କରାଯାଇଥିଲା।
ହେଲେ ଯୁକ୍ତ ୨ ଛାତ୍ରଛାତ୍ରୀ ଦଶମ ଛାତ୍ରଛାତ୍ରୀଙ୍କଠାରୁ ବୟସରେ ବଡ଼ ହୋଇଥିବାରୁ ସେମାନେ ପରୀକ୍ଷା ବାତିଲ ଦାବି ନ କରି ପାଠପଢ଼ାରେ ମନୋନିବେଶ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
The post ଯୁକ୍ତ ୨ ପରୀକ୍ଷା ବାତିଲ ପ୍ରସଙ୍ଗ; ମନ୍ତ୍ରୀ କହିଲେ-ଜିଦି କରନି, ତୁମେ ବଡ଼ ପିଲା appeared first on Odisha Reporter.
from Odisha Reporter https://ift.tt/3ats5uC
No comments:
Post a Comment