ବେଙ୍ଗାଲୁରୁ: ସାରା ଦେଶ ଏବେ କରୋନା ମହାମାରୀ ସହିତ ଲଢ଼େଇ କରୁଛି। ସରକାର, ପ୍ରଶାସନିକ ଅଧିକାରୀ ଓ ସମ୍ମୁଖ ଯୋଦ୍ଧା- ସମସ୍ତେ ଏଥିରେ ଲାଗି ପଡ଼ିଛନ୍ତି। ତେବେ ଆହୁରି ଅନେକ ଲୋକ ଅଛନ୍ତି, ଯେଉଁମାନେ ସ୍ୱେଚ୍ଛାକୃତ ଭାବେ ଏହି ଲଢ଼େଇରେ ନିଜକୁ ସାମିଲ କରିଛନ୍ତି। ଏହି ଲୋକଙ୍କ ମଧ୍ୟରୁ ଜଣେ ହେଉଛନ୍ତି କନ୍ନଡ଼ ଅଭିନେତା ଅର୍ଜୁନ ଗୌଡ଼ା। ସେ ଆରମ୍ଭ କରିଛନ୍ତି ଆମ୍ୱୁଲାନ୍ସ ସେବା, ଯାହାର ନାଁ- ରଖିଛନ୍ତି ପ୍ରୋଜେକ୍ଟ ସ୍ମାଇଲ ଟ୍ରଷ୍ଟ। ବେଙ୍ଗାଲୁରୁରେ କରୋନା ରୋଗୀ ମାନଙ୍କୁ ସାହାଯ୍ୟ କରିବା ପାଇଁ ଅର୍ଜୁନ ଆରମ୍ଭ କରିଛନ୍ତି ଏହି ଆମ୍ୱୁଲାନ୍ସ ସେବା।
ଅର୍ଜୁନ ଅର୍ଜୁନ ନିଜେ ଆମ୍ୱୁଲାନ୍ସରେ କରୋନା ଆକ୍ରାନ୍ତମାନଙ୍କୁ ଡାକ୍ତରଖାନାରେ ପହଂଚାଉଛନ୍ତି। କେବଳ ସେତିକି ନୁହେଁ, କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ଶବକୁ ଶ୍ମଶାନ ପର୍ଯ୍ୟନ୍ତ ପହଂଚାଇବାର କାର୍ଯ୍ୟ ବି ସେ କରୁଛନ୍ତି। ଏଥିପାଇଁ ସେ ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି। ନିଜକୁ ସୁରକ୍ଷିତ ରଖି ସେ ଏହି କାର୍ଯ୍ୟ କରୁଛନ୍ତି। ଆସନ୍ତା କିଛି ମାସ ପର୍ଯ୍ୟନ୍ତ ସେ ନିଜକୁ ଏହି ସେବାରେ ନିୟୋଜିତ ରଖିବେ ବୋଲି କହିଛନ୍ତି।
ବାଙ୍ଗାଲୋର ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଅର୍ଜୁନ କହିଛନ୍ତି, ବେଶ୍ କିଛି ଦିନ ହେବ ମୁଁ ରାସ୍ତାକୁ ଓହ୍ଲାଇଛି। ଏହା ମଧ୍ୟରେ ଅଧ ଡଜନେରୁ ଅଧିକ ଲୋକଙ୍କ ମୃତଦେହକୁ ଶେଷକୃତ୍ୟ ପାଇଁ ଶ୍ମଶାନରେ ପହଂଚାଇ ସାରିଛି। ଆମେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛୁ।
ଅର୍ଜୁନ ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଏକ ଆମ୍ୱୁଲାନ୍ସ ମଧ୍ୟ ରହିଛି। ଏହି ପୋଷ୍ଟରେ ସେ ବାଙ୍ଗାଲୋର ଟାଇମ୍ସକୁ ଧନ୍ୟବାଦ ଜଣାଇଛନ୍ତି। ଏଥିରେ ତାଙ୍କର ଏହି କାର୍ଯ୍ୟ ସଂପର୍କିତ ଖବର ପ୍ରକାଶିତ ହୋଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି। ତା’ସହିତ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିବା ସମସ୍ତ ଲୋକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଏହା ତାଙ୍କ ପାଇଁ ବହୁତ କିଛି ଅର୍ଥ ରଖେ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହା ସହିତ କଣ୍ଣାର୍ଟକାବାସୀଙ୍କ ସେବା କରିବା ତାଙ୍କ ପାଇଁ ସମ୍ମାନର କଥା ବୋଲି ସେ ଲେଖିଛନ୍ତି।
ଅର୍ଜୁନ ବେଶ୍ କିଛି କନ୍ନଡ଼ ହିଟ୍ ଫିଲ୍ମରେ କାମ କରିଛନ୍ତି। ଯୁବରତ୍ନ, ଓଡେୟା, ରୁସ୍ତମ ଓ ଅଦୃଶ୍ୟ ଭଳି ଫିଲ୍ମରେ ତାଙ୍କର ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି।
The post ଭିନ୍ନ ଏକ ଯୁଦ୍ଧର ଯୋଦ୍ଧା ସାଜିଛନ୍ତି ଅଭିନେତା ଅର୍ଜୁନ, ଚଲାଉଛନ୍ତି ଆମ୍ୱୁଲାନ୍ସ appeared first on Odisha Reporter.
from Odisha Reporter https://ift.tt/3eaaQRv
No comments:
Post a Comment