ଆଳି (ବନମାଳି ସାହୁ): ‘ମୁଁ ରମାଦେବୀ କଲେଜରେ ଯୁକ୍ତ ୨ରେ ପଢୁଛି। ନବୀନ ପଟ୍ଟନାୟକଙ୍କୁ ସବୁ ବର୍ଷ ରାକ୍ଷୀ ବାନ୍ଧିବାକୁ ଯାଏ। ସେ ମୋ ଭାଇ। ତାଙ୍କୁ ସବୁ ଜଣାଇବି। ସେ ମୋତେ ନ୍ୟାୟ ଦେବେ। ସେ ମୋତେ ବହୁତ ସୁବିଧା ସାହାଯ୍ୟ ଦେଇଛନ୍ତି। କେବେ ନିରାଶ କରି ନାହାନ୍ତି।’ ଥାନାକୁ ନ୍ୟାୟ ପାଇଁ ଯାଇ ଦୁର୍ବ୍ୟବହାରର ଶିକାର ହୋଇଥିବା ଜଣେ ଦିବ୍ୟାଙ୍ଗ ଛାତ୍ରୀ ଦେଇଛନ୍ତି ଏହି ପ୍ରତିକ୍ରିୟା।
ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲାର। ଏହି ଦିବ୍ୟାଙ୍ଗ ଛାତ୍ରୀଙ୍କ ନାଁ ପ୍ରମିଳା ଜେନା। ସେ ଦୃଷ୍ଟି ବାଧିତ। ତାଙ୍କ ଘର ଛେଦଶ ଗାଁରେ। ଜମିବାଡ଼ି ବିବାଦକୁ ନେଇ ଗତ ୨୩ ତାରିଖରେ ତାଙ୍କର ଜଣେ ଭାଇ-ଭାଉଜ ତାଙ୍କୁ ଗାଳି ଗୁଲଜ କରିଥିଲେ। ଫଳରେ ଅନ୍ୟ ଜଣେ ଭାଇଙ୍କ ସହାୟତାରେ ସେ ରାଜକନିକା ଥାନାରେ ଏନେଇ ଏତଲା ଦେଇଥିଲେ।
ପ୍ରମିଳା ଅଭିଯୋଗ କରିବାର ତିନି ଦିନ ପରେ ଅର୍ଥାତ ଏପ୍ରିଲ ୨୬ ତାରିଖରେ ରାଜକନିକା ଥାନା ମହିଳା ଏସ୍୍ଆଇ ତାଙ୍କୁ ଡକାଇଥିଲେ। ହେଲେ ମାମଲାର ସମାଧାନ କରିବା ବଦଳରେ ଏସ୍୍ଆଇ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ। ତାଙ୍କୁ ଅନ୍ଧୁଣୀ ବୋଲି ମଧ୍ୟ କହିଥିଲେ ବୋଲି ଅଭିଯୋଗ ହୋଇଛି।
ପ୍ରମିଳା କହିଛନ୍ତି, ମୋ ଜାଗାବାଡ଼ି ଉପରେ ଷ୍ଟେ ଅର୍ଡର କରିଛି ଘନ ଜେନା। ମୋ ଭାଇମାନେ ପଇସା ଦେଇ କେସ୍ ଲଢୁଥିବା ବେଳେ ଜଣେ ଭାଇ ପଇସା ଦେଉ ନାହାନ୍ତି। ତାଙ୍କୁ ପଇସା ମାଗିବାକୁ ଯାଇଥିବା ବେଳେ ସେ ଓ ଭାଉଜ ମୋତେ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଘଟଣା ସଂପର୍କରେ ଥାନାରେ ଅଭିଯୋଗ କରିଥିଲି। ହେଲେ ମହିଳା ଏସ୍୍ଆଇ କାନନବାଳା ସାହୁ ମୋତେ ଅନ୍ଧୁଣୀ କହିବା ସହିତ ପାଟି ଚୁପ୍ ରଖିବାକୁ କହିଥିଲେ। ପାଟି ଚୁପ୍ ନରଖିଲେ ଜେଲରେ ପୂରାଇ ଦେବେ ବୋଲି କହିଥିଲେ।
ଏ ଘଟଣା ସଂପର୍କରେ ପ୍ରମିଳା ଇ-ମେଲ କରି ତଥା ସ୍ପୀଡ୍ ପୋଷ୍ଟ ମାଧ୍ୟରେ କେନ୍ଦ୍ରାପଡ଼ା ଏସପିଙ୍କୁ ଜଣାଇଛନ୍ତି। ଏସଆଇଙ୍କ ବ୍ୟବହାର ତାଙ୍କୁ କଷ୍ଟ ଦେଇଛି ବୋଲି ପ୍ରମିଳା କହିଛନ୍ତି। ତା’ସହିତ ନ୍ୟାୟ ନ ମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଏସଆଇଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିବେଦନ କରିଛନ୍ତି।
ଅନ୍ୟପକ୍ଷରେ ପ୍ରମିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାଜକନିକା ଥାନା ମହିଳା ଏସଆଇ କାନନବାଳା ସାହୁ। ସେ କହିଛନ୍ତି, ମୁଁ ସେମାନଙ୍କୁ କହିଲି ତୁମମାନଙ୍କର ଜମିବାଡ଼ି ସମସ୍ୟା। ତୁମ ନିଜ ଭିତରେ ଏହାର ସମାଧାନ କରି ନିଅ। ନହେଲେ ସମସ୍ତଙ୍କୁ ବାନ୍ଧିବି। ହେଲେ ଅନ୍ଧୁଣୀ ବୋଲି କହି କାହାକୁ ଗାଳି କରିନି। ମୋତେ କ’ଣ ମୋ ଚାକିରି ପିତା ଲାଗିଲାଣି ଯେ ତାକୁ ଅନ୍ଧୁଣୀ କହିବି। ଏସବୁ ବେକାର କଥା। ଯଦି କରିଥିବି, କରିଥିବି।
The post ‘ନବୀନ ପଟ୍ଟନାୟକ ମୋ ଭାଇ, ସେ ମୋତେ ନ୍ୟାୟ ଦେବେ’ appeared first on Odisha Reporter.
from Odisha Reporter https://ift.tt/3sZHCJe
No comments:
Post a Comment