ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ପେଟ ପାଇଁ ଦାନା ଯୋଗାଡ଼ କରିବାକୁ ବଲାଙ୍ଗିର ଜିଲ୍ଲାର ୨ ନାବାଳକ ଦାଦନ ଖଟିବାକୁ ଯାଇଛନ୍ତି ଆନ୍ଧ୍ରପ୍ରଦେଶ। ହେଲେ ଦେହ ଭଲ ନ ଥିବାରୁ ଖଟିବାକୁ ମନା କରିବାରୁ ସଇତାନ ପାଲଟିଗଲା ସର୍ଦ୍ଦାର ରାଜା ଖାନ । ନିର୍ଦ୍ଦୟ ଓ ନୃଶଂସ ଭାବେ ଏକ ମୋଟା ବାଉଁଶରେ ପିଟି ଚାଲିଲା ୨ ନାବାଳକଙ୍କୁ। ଛାଡ଼ିବା ପାଇଁ ହଜାର କାକୁତି ମିନତି ହେବା ପରେ ବି ତରଳି ନ ଥିଲା ଏହି ନିର୍ଦ୍ଦୟୀ ସର୍ଦ୍ଦାର। ଏଭଳି ନିର୍ଯାତନାର ଭିଡିଓ ଏବେ ବେଶ୍ ଭାଇରାଲ ହେଉଥିବା ବେଳେ ଏହାକୁ ଦେଖି ଯେକୌଣସି ଲୋକ ବିଚଳିତ ହେବା ସ୍ୱାଭାବିକ।
ନାବାଳକଙ୍କ ଉପରେ ଏପରି ନିର୍ଯାତନା ଜାମିନବିହୀନ ଅପରାଧ ବୋଲି ଶିଶୁ ଅଧିକାର ସୁରକ୍ଷା କର୍ମୀ କହୁଥିବା ବେଳେ ପୁଲିସ୍ କିନ୍ତୁ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗିରଫ କରିବା ନାଁ ଧରୁ ନ ଥିବାରୁ ବିଭିନ୍ନ ମହଲରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ସର୍ଦ୍ଦାର ରାଜା ଖାନ ନାଁରେ ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ ସଙ୍ଗିନ ମାମଲା ଥିବା ବେଳେ କଣ୍ଟାବାଞ୍ଜିରେ ରହିଛି ତାର ଦବଦବା। କଣ୍ଟାବାଞ୍ଜି ଷ୍ଟେଶନରୁ ରାଜା ଖାନ ବେଆଇନ ଭାବେ ବହୁ ଦାଦନ ଶ୍ରମିକ ଚାଲାଣ କରୁଥିବା ଅଭିଯୋଗ ହେଉଥିବା ସତ୍ତ୍ୱେ ପୁଲିସ୍ ତାକୁ ଗିରଫ କରିବା ନାଁ ଧରୁନି।
ନିର୍ଯତନାର ଶିକାର ହୋଇଥିବା ଦୁଇ ନାବାଳକ ଆନ୍ଧ୍ରପ୍ରଦେଶର ଏକ ଇଟାଭାଟିକୁ କାମ କରିବା ପାଇଁ ଯାଇଥିଲେ । ସେଠାରେ ସେମାନଙ୍କ ଦେହ ଖରାପ ହୋଇଯିବାରୁ କାମ କରିବାକୁ ମନା କରିଥିଲେ। ତେଣୁ ଇଟାଭାଟି ମାଲିକ ସର୍ଦ୍ଦାରକୁ ଡକାଇଥିଲେ । ସର୍ଦ୍ଦାର ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲା ।
ଏହା ଜାମିନବିହୀନ ଅପରାଧ। ନାବାଳକକୁ ଉଦ୍ଧାର କରି ମେଡିକାଲ ପଠାଇବା କଥା ବୋଲି କହିଛନ୍ତି ଶିଶୁ ଅଧିକାର ସୁରକ୍ଷା କର୍ମୀ ଘାସିରାମ ପଣ୍ଡା।
ଏନେଇ ବଲାଙ୍ଗିର ସିଡବ୍ଲୁସି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି କହିଛନ୍ତି, ଏହା ଅତି ସାଂଘାତିକ ଅମାନୁଷିକ କାମ। ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା କଥା। ଏନେଇ ଏସ୍ପି ତଥା ସମ୍ପୃକ୍ତ ଥାନାଧିକାରୀଙ୍କୁ ଲିଖିତ ଭାବେ ଜଣାଯିବା ସହ ଜିଲ୍ଲାପାଳଙ୍କୁ ଅବଗତ କରାଯିବ। ସମ୍ପୃକ୍ତ ସର୍ଦ୍ଦାର ମାଡ଼ ମାରୁଥିବାର ଭିଡିଓ ଭାଇରାଲ ହେବା ସତ୍ତ୍ୱେ ତାଙ୍କୁ ଗିରଫ ନ କରି ପୁଲିସ୍ କ’ଣ ପଚରାଉଚରା କରୁଛି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି।
The post ସଇତାନ ସର୍ଦ୍ଦାରର ବର୍ବର କାଣ୍ଡ; ୨ ନାବାଳକଙ୍କୁ ନିର୍ଧୂମ ପିଟିଲା appeared first on Odisha Reporter.
from Odisha Reporter https://ift.tt/3wJITXY
No comments:
Post a Comment