ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ବାଚସ୍ପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ୨୫ ସଦସ୍ୟଙ୍କ ସମର୍ଥନ ଲୋଡ଼ା। ଗୃହରେ ଆମର ୨୨ ଜଣ ସଦସ୍ୟ ଅଛନ୍ତି। ଯଦି କଂଗ୍ରେସ ଆମକୁ ସହଯୋଗ କରିବ, ତା’ହେଲେ ଦୁଇ ଦଳ ମିଶି ବାଚସ୍ପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବୁ।’ ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଏହି କଥା କହିଛନ୍ତି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର।
ଗତକାଲି ବିଧାନସଭାରେ ବିଲ୍ ପାରିତ ହେବା ବେଳେ ବିରୋଧୀ ଦଳ ନେତାଙ୍କୁ ବାଚସ୍ପତି କହିବାକୁ ନଦେବା ଓ ଚପଲ ଫିଙ୍ଗା ଘଟଣାରେ ୩ ବିଧାୟକଙ୍କୁ ସସ୍ପେଣ୍ଡ କରାଯିବା ପ୍ରତିବାଦରେ ରାତିସାରା ଧାରଣାରେ ଦେବା ପରେ ଆଜି ସକାଳେ ବିଜେପି ବିଧାୟକମାନେ ଏହି ସାମ୍ବାଦିକ ସମ୍ମିଳନୀ ଡାକିଥିଲେ।
ଏଥିରେ ଜୟନାରାୟଣ ମିଶ୍ର ବାଚସ୍ପତିଙ୍କ ପୋଡିୟମକୁ ଚପଲ ଫିଙ୍ଗା ଘଟଣାକୁ ନେଇ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ବିଶୃଙ୍ଖଳା ସୃଷ୍ଟି କରିବାକୁ ବାଚସ୍ପତି ବାଧ୍ୟ କରିଛନ୍ତି। ରକ୍ତମାଂସର ଶରୀର କେତେ ସହିବ। ବିଧାନସଭା ଯେଉଁ ଭଳି ଭାବେ ଚାଲିଛି, ତାକୁ ସେମିତି ମୃତବତ୍ ଦେଖି ରହିପାରିବୁ ନାହିଁ। ଯଦି ବିଧାନସଭାରେ ତର୍କ ହେବନି, ମନ୍ତ୍ରୀ ଯାହା କହିବେ ତାହା ତଳସ୍ତରରେ କାର୍ଯ୍ୟକାରୀ ହେବନି, ତା’ହେଲେ ବିଧାନସଭାକୁ ଚଲାଇବା କ’ଣ ଦରକାର ଅଛି?
ସେ କହିଛନ୍ତି, ଯେତେବେଳେ ଗୃହ ବିଭାଗ ଓ ଖଣି କଥା ଉଠୁଛି ସରକାର କାହିଁକି ଏହାଠୁ ଦୂରେଇ ଯାଉଛନ୍ତି। କାହିଁକି ସରକାର ଏ ବିଷୟରେ ଆଲୋଚନା କରିବାକୁ ପଛ ଘୁଞ୍ଚା ଦେଉଛନ୍ତି। ପରୀ ହତ୍ୟା କଥା ଉଠିବାରୁ ମାସେ ପୂର୍ବରୁ ବିଧାନସଭା ଅଧିବେଶନକୁ ମୁଲତବୀ ଘୋଷଣା କରି ଦେଇଥିଲେ। ଏବେ ଖଣି କଥା ଉଠାଇବାରୁ ୫ଟି କାର୍ଯ୍ୟ ଦିବସ ବାକି ଥାଇ ଆଗୁଆ ବିଧାନସଭା ଅଧିବେଶନକୁ ଶେଷ କରି ଦେଲେ।
ଶ୍ରୀ ମିଶ୍ର କହିଛନ୍ତି ଯେ ଗତକାଲି ବିଧାନସଭାରେ ଘଟିଥିବା କାର୍ଯ୍ୟ ନିନ୍ଦନୀୟ ହୋଇପାରେ। କିନ୍ତୁ ସେ ଏଥିପାଇଁ ଆଦୌ ଦୁଃଖିତ ନୁହନ୍ତି। ଯଦି ଏହା ଓଡ଼ିଶାବାସୀଙ୍କ ମନରେ ଆଘାତ ଦେଇଥିବ, ତା’ହେଲେ ବିନା ଦ୍ୱିଧାରେ ସେ ସେମାନଙ୍କୁ କ୍ଷମା ପ୍ରାର୍ଥନା କରିନେବେ। କିନ୍ତୁ ବାଚସ୍ପତିଙ୍କୁ କ୍ଷମା ମାଗିବାର ପ୍ରଶ୍ନ ଉଠୁ ନାହିଁ।
ଏହା ସହିତ କାହିଁକି ସେମାନଙ୍କ ବିରୋଧରେ (ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଓ ଜୟନାରାୟଣ ମିଶ୍ର) କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ବାଚସ୍ପତି ପକ୍ଷ ରଖିବାକୁ ସୁଯୋଗ ଦେଲେ ନାହିଁ ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି।
ସେହିପରି ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଉପସ୍ଥିତ ରହି କହିଥିଲେ, ବିଧେୟକ ପାରିତ ହେଲାବେଳେ ବିଧାୟକଟିଏ କହିବାକୁ ଚାହୁଁଥିଲେ ତାକୁ ସୁଯୋଗ ଦିଆଯିବା କଥା। ମାତ୍ର ଦୁଇଟି ବିଲ୍ ପାରିତ ହୋଇଗଲା, କିନ୍ତୁ ମୋତେ କହିବାକୁ ସୁଯୋଗ ଦିଆଗଲା ନାହିଁ। ବିରୋଧୀ ଦଳ ନେତା ଭାବେ ମୁଁ ଛିଡ଼ା ହୋଇ ରହିଥିଲେ ମଧ୍ୟ ବାଚସ୍ପତି ଅନାଇ ନଥିଲେ। ଆମ ଦଳର ବିଧାୟକମାନଙ୍କ ଅନୁରୋଧ ସତ୍ତ୍ୱେ ବାଚସ୍ପତି ଆମ ଆଡ଼େ ଦେଖିଲେ ନାହିଁ। ତେଣୁ କିଏ ଇୟରଫୋନ୍ ଫିଙ୍ଗିଲେ ତ କିଏ ପେନ୍ ଫିଙ୍ଗିଲେ। ଆଉ ଏଥିପାଇଁ କେବଳ ବାଚସ୍ପତି ଦାୟୀ। ସେ ବିଜେଡିର ଖେଳଣା ଭଳି କାମ କରୁଛନ୍ତି। ପୁଣି ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେବା ପୂର୍ବରୁ ଆମକୁ ପକ୍ଷ ରଖିବାକୁ ବାଚସ୍ପତି ସୁଯୋଗ ଦେଲେ ନାହିଁ।
ବିରୋଧୀ ଦଳ ନେତା କହିଛନ୍ତି, ଯେଉଁ ବିଲ୍ ଗୃହରେ ପାରିତ ହୋଇଛି, ତାକୁ ପୁର୍ନବିଚାର କରିବାକୁ ଗୃହକୁ ଫେରାଇ ଦେବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରାଯିବ।
The post କଂଗ୍ରେସ ସହଯୋଗ କଲେ ବାଚସ୍ପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବୁ: ଜୟନାରାୟଣ appeared first on Odisha Reporter.
from Odisha Reporter https://ift.tt/3rOZ5TV
No comments:
Post a Comment