‘ବୁଢ଼ୀ ତା’ କଲା କର୍ମର ଫଳ ଭୋଗୁଛି, ମରିଗଲେ ଗାଁ ପିଲା ନିଆଁ ଦେଇ ଦେବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 30, 2021

‘ବୁଢ଼ୀ ତା’ କଲା କର୍ମର ଫଳ ଭୋଗୁଛି, ମରିଗଲେ ଗାଁ ପିଲା ନିଆଁ ଦେଇ ଦେବ’

ଆଠଗଡ଼ (ନୀଳକଣ୍ଠ ଦୋରା): ‘ବୁଢ଼ୀ ତା’ କଲା କର୍ମର ଫଳ ଭୋଗୁଛି। ଆମେ କିଛି କରିପାରିବୁନି। ଯଦି ସେ ମରିଯାଏ, ତା’ହେଲେ ତୁମେ ଗାଁ ପିଲା ତାକୁ ନିଆଁ ଦେଇ ଦେବ।’ ଜଣେ ୮୦ ବର୍ଷର ଶଯ୍ୟାଶାୟୀ ମହିଳାଙ୍କ ଦୁଃଖ ଦେଖି ଗ୍ରାମବାସୀଙ୍କ ବୁକୁ ଫାଟି ଯାଉଥିବା ବେଳେ ତାଙ୍କର ଚାରି ଚାରି ଜଣ ଚାକିରିଆ ପୁଅ ଫୋନ୍ ଯୋଗେ ଦେଉଛନ୍ତି ଏହିଭଳି ନିର୍ଦ୍ଦୟ ଉତ୍ତର। ହୁଏତ ହୋସ୍ ରହୁଥିଲେ ଏଭଳି ଉତ୍ତର ଶୁଣି ଆଖି ବୁଜି ସାରନ୍ତାଣି ସେହି ଅଭାଗିନୀ ମା’। କିନ୍ତୁ ସେ ବିଛଣାରୁ ଉଠିପାରୁନି, ଜାଣିପାରୁନି ତା’ ପିଲାମାନେ ତା ଆଖପାଖରେ ନାହାନ୍ତି ବୋଲି। ଦିନେ ପାଞ୍ଚ ପାଞ୍ଚଟା ପୁଅ (ଜଣେ ପୁଅଙ୍କ ପରଲୋକ ହୋଇଯାଇଛି)ଙ୍କୁ ଜନ୍ମ ଦେଇ କେବେ କେମିତି ଛାତି କୁଣ୍ଢେମୋଟ କରିଥିବା ମା’ଟିକୁ ତା’ ପୁଅମାନେ ଗାଁରେ ଏକୁଟିଆ ଛାଡ଼ି ଦେଇ ସମସ୍ତେ ବାହାରେ ରହୁଛନ୍ତି।

କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ନୂଆବନ୍ଧ ଗାଁର ଲାବଣ୍ୟ ମହାରାଣା ଏବେ ଶଯ୍ୟାରୁ ଉଠି ପାଣି ମୁନ୍ଦେ ପିଇବାକୁ ଅକ୍ଷମ। ପୁଅ-ବୋହୂମାନେ ମୁହଁ ମୋଡ଼ି ଦେଇଥିବା ବେଳେ ଗାଁ ଲୋକେ ସାଜିଛନ୍ତି ତାଙ୍କର ସାହାଭରସା। ସେମାନେ ଲାବଣ୍ୟଙ୍କ ଚାକିରିଆ ପିଲାଙ୍କ ଭଳି ତାଙ୍କୁ ଏକୁଟିଆ ଛାଡ଼ି ଦେଇ ପାରିନାହାନ୍ତି। ସାହି ପଡ଼ିଶା ପାଳି କରି ତାଙ୍କ ସେବା କରିବା ସହିତ ଖାଇବାପିଇବାକୁ ମଧ୍ୟ ଦେଉଛନ୍ତି।

ଥରେ ନୁହେଁ, ମା’ର ଦୁଃଖ ଦୁର୍ଦ୍ଦଶା ସଂପର୍କରେ ଗାଁ ଲୋକେ ବାରମ୍ବାର ଫୋନ୍ କରିଛନ୍ତି ପୁଅବୋହୂମାନଙ୍କୁ। ହେଲେ ଅଧିକ ଦୂର ନୁହେଁ, ଭୁବନେଶ୍ୱରରେ ବଡ଼ ବଡ଼ ଚାକିରି କରି ରହୁଥିବା ପୁଅମାନେ କେତେବେଳେ କରୋନାର ଦ୍ୱାହି ଦିଅନ୍ତି ତ ଆଉ କେତେବେଳେ ଆଜି ଯିବି, କାଲି ଯିବି କହି ରହିଯା’ନ୍ତି।

ଗାଁର ଦାଶରଥି ପ୍ରଧାନ କହିଛନ୍ତି, ୪/୫ ମାସ ହେଲାଣି ସେ ପଡ଼ି ରହିଛନ୍ତି। ତାଙ୍କର ସବୁ ପୁଅ ଚାକିରିଆ। ତିନି ଜଣ ପୁଅ ଭୁବନେଶ୍ୱରରେ ଅଛନ୍ତି। ସେମାନେ ବଡ଼ ବଡ଼ ପୋଷ୍ଟରେ ଅଛନ୍ତି। କିନ୍ତୁ କେହି ବୁଢ଼ୀର ଭଲମନ୍ଦ ବୁଝୁ ନାହାନ୍ତି। ସେ କେମିତି ରହୁଛି, କେମିତି ଖାଉଛି, କେହି ବୁଝୁ ନାହାନ୍ତି। ଗାଁ ଲୋକେ ଖାଇବାକୁ ଦେଉଛନ୍ତି। ତାଙ୍କ ପୁଅମାନଙ୍କ ସହି ଯୋଗାଯୋଗ ହୋଇଛି। କିନ୍ତୁ କୋଭିଡ୍ ଯୋଗୁ ସେମାନେ ଆସିପାରିବେ ନାହିଁ ବୋଲି କହୁଛନ୍ତି। କହୁଛନ୍ତି, ବୁଢ଼ୀ ତା’ କଲା କର୍ମର ଫଳ ଭୋଗୁଛି। ଆମେ କିଛି କରିପାରିବୁନି। ଯଦି ତା’ର କିଛି ହୋଇଯାଏ, ତୁମେ ଗାଁ ପିଲା ତାକୁ ନିଆଁ ଦେଇ ଦେବ। ଏ ଘଟଣା ନେଇ ଥାନାରେ ମାମଲା ହେଉ। ଏହାର ତଦନ୍ତ ହେଉ। ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ଗାଁର ମାନସ ସାହୁ କହିଛନ୍ତି, ଫୋନ୍ କଲେ ତାଙ୍କ ପୁଅମାନେ ଆଜି ଆସିବେ, କାଲି ଆସିବେ ବୋଲି କହୁଛନ୍ତି। କିନ୍ତୁ କେବେ ଆସୁ ନାହାନ୍ତି। ଆମେ ସାଇପଡ଼ିଶା ପୁଅପୁତୁରା ହୋଇ ଚାଲୁଛୁ ବୋଲି ମିଳିମିଶି ତାଙ୍କ ସେବା କରୁଛୁ। ସାଇପଡ଼ିଶା ଯିଏ ଯାହା ଦେଉଛନ୍ତି, ତାହା ସେ ଖାଉଛନ୍ତି। ଆମେ ତାଙ୍କୁ ଖୁଆଇ ଦେଉଛୁ।

ମୁହଁ ଖୋଲି କେବେ ନ କହିଲେ ବି ଯେଉଁ ସମୟରେ ସନ୍ତାନସନ୍ତତିଙ୍କ ଉପସ୍ଥିତିକୁ ବାପାମା’ ଅଧିକ ଲୋଡ଼ି ଥା’ନ୍ତି, ସେହି ସମୟରେ ଲାବଣ୍ୟଙ୍କ ହାତ ଛାଡ଼ି ଦେଇଛନ୍ତି ପୁଅମାନେ। କାରଣ ଯାହା ବି ହୋଇଥାଉ, ଏମିତି ଏକ ଦୃଶ୍ୟର ସାକ୍ଷୀ ହୋଇଥିବା ଗ୍ରାମବାସୀ ଏବେ କହୁଛନ୍ତି ଏମିତି ପୁଅ ଥାଇ ଲାଭ କ’ଣ।

The post ‘ବୁଢ଼ୀ ତା’ କଲା କର୍ମର ଫଳ ଭୋଗୁଛି, ମରିଗଲେ ଗାଁ ପିଲା ନିଆଁ ଦେଇ ଦେବ’ appeared first on Odisha Reporter.



from Odisha Reporter https://ift.tt/3paqIHp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages