ଭୋପାଲ: କିଛି ଦିନ ହେଲା ଜ୍ୱରରେ ପୀଡ଼ିତ ଥିବାରୁ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରିଥିଲେ। ଟେଷ୍ଟ କରିବା ପୂର୍ବରୁ ସେ ଏତେ ଡରି ଯାଇଥିଲେ ଯେ କରୋନାରୁ ମୁକ୍ତି ପାଇବା ପାଇଁ ସେ ଜଣେ ବନ୍ଧୁଙ୍କ ପରାମର୍ଶକ୍ରମେ କିରାସିନ ପିଇଦେଇଥିଲେ।
ତେବେ କିରାସିନ ପିଇ ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୃତ୍ୟୁ ପରେ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା। ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ରିପୋର୍ଟ ନେଗେଟିଭ ଆସିଥିଲା।
ମଧ୍ୟପ୍ରଦେଶର ରାଜଧାନୀ ଭୋପାଲ ଅନ୍ତର୍ଗତ ଅଶୋକା ଗାର୍ଡେନ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ମୃତକ ଜଣଙ୍କ ନାଁ ହେଉଛି ମହେନ୍ଦ୍ର। ସେ ଭୋପାଲରେ ସିଲେଇ କାମ କରନ୍ତି। କିଛି ଦିନ ଧରି ସେ ଜ୍ୱରରେ ପୀଡ଼ିତ ଥିଲେ। ତେଣୁ ସେ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ କରିଥିଲେ।
ଏହି ସମୟରେ ତାଙ୍କର ଜଣେ ବନ୍ଧୁ ମହେନ୍ଦ୍ରଙ୍କୁ କରୋନାରୁ ସୁସ୍ଥ ହେବା ପାଇଁ କିରାସିନ ପିଇବାକୁ କହିଥିଲେ। ଏଥିରେ ବିଶ୍ୱାସ କରି ସେ କିରାସିନ ପିଇ ଦେଇଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଗୋଟିଏ ଘରୋଇ ହସ୍ପିଟାଲକୁ ନେଇଥିଲେ।
କିନ୍ତୁ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସି ନଥିଲା। ଫଳରେ ତାଙ୍କୁ ଆଉ ଗୋଟିଏ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ମୃତ୍ୟୁ ପରେ ଡାକ୍ତର ତାଙ୍କ ଶରୀରରୁ ନମୁନା ନେଇ କୋଭିଡ୍ ପରୀକ୍ଷା କରାଇଥିଲେ। ଟେଷ୍ଟ ବେଳେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଏହି ଘଟଣା ପୂରା ଅଞ୍ଚଳରେ ଶୋକରଚ୍ଛାୟା ଖେଳାଇ ଦେଇଛି।
The post କରୋନାରୁ ମୁକ୍ତି ପାଇଁ କିରାସିନ ପିଇଦେଲେ, ମୃତ୍ୟୁ ପରେ ରିପୋର୍ଟ ନେଗେଟିଭ appeared first on Odisha Reporter.
from Odisha Reporter https://ift.tt/2QsqFKd
No comments:
Post a Comment