ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ କେନ୍ଦ୍ର ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ଟିକାର ଅଭାବ। ନିକଟରେ ବିଦେଶୀ ଟିକା କମ୍ପାନୀ ଚଳିତ ବର୍ଷ ଶେଷ ଆଡକୁ ଟିକା ଦେଇପାରନ୍ତି ବୋଲି କହିଥିଲେ ନୀତି ଆୟୋଗର ସଦସ୍ୟ ଭି.କେ ପାଲ୍। ଏବେ କିନ୍ତୁ ସେ କହିଛନ୍ତି ଜୁଲାଇରେ ଫାଇଜର (Pfizer) ଟିକା ମଧ୍ୟ ଭାରତରେ ଉପଲବ୍ଧ ହୋଇପାରେ। ଯଦି ଫାଇଜର ଟିକା ଭାରତ ଗ୍ରହଣ କରିବ ତାହେଲେ ଏହା ଚତୁର୍ଥ ଟିକା ହେବ ଯାହା କରୋନା ଟିକାକରଣ କାର୍ଯ୍ୟକ୍ରମରେ ସାମିଲ୍ ହେବ। କୋଭାକ୍ସିନ୍, କୋଭଶିଲ୍ଡ ଏବଂ ସ୍ପୁଟନିକ୍ ଟିକା ଏବେ ବ୍ୟବହାର ହେଉଛି।
ନୀତି ଆୟୋଗ ସଦସ୍ୟ ଡାକ୍ତର ପାଲ କହିଛନ୍ତି ଯେ ଫାଇଜର ସହ କେନ୍ଦ୍ର ସରକାର ଆଲୋଚନା ଜାରି ରଖିଛନ୍ତି। ଭାରତ ପାଇଁ ଟିକା ଯୋଗାଇ ଦେବ ବୋଲି କମ୍ପାନୀ ସୂଚନା ଦେଇଥିବା ସେ କହିଛନ୍ତି। ଜୁଲାଇରୁ ଅକ୍ଟୋବର ମଧ୍ୟରେ ଫାଇଜର ୫ କୋଟି ଟିକା ଦେବ ବୋଲି ସୂଚନା ରହିଛି।
ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ପାଲ କହିଛନ୍ତି ଯେ ଫାଇଜର କମ୍ପାନୀ ସହ କେନ୍ଦ୍ର ସରକାରଙ୍କ ଆଲୋଚନା ଚାଲିଛି। ସେ କହିଛନ୍ତି ଯେ ଟିକା ନେବା ପରେ ଯଦି କିଛି ପାର୍ଶ୍ୱ ପ୍ରତିକ୍ରିୟା ଆସିବ ସେ ବାବଦରେ ସୁରକ୍ଷା ଲୋଡିଛି ଫାଇଜର। ଭାରତ ସରକାର ଏହାକୁ ନେଇ ବିଚାର ବିମର୍ଶ କରୁଛନ୍ତି। ଖୁବ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବ। ସେ କହିଛନ୍ତି ଯେ ଆମେରିକା ସମେତ ସମସ୍ତ ଦେଶରେ ଫାଇଜର ଏହି ପ୍ରକାର ସୁରକ୍ଷା ମାଗିଛି। ତେଣୁ ଭାରତକୁ ଟିକା ଦେବା ପୂର୍ବରୁ ଆଗୁଆ ସୁରକ୍ଷା ଲୋଡ଼ିଛି।
ପାଲ୍ କହିଛନ୍ତି ଯେ ଦେଶରେ ଟିକା ଉପଲବ୍ଧତା କମ୍ ଥିବାରୁ ପ୍ରତିଦିନ କେବଳ ୧୫-୨୦ ଲକ୍ଷ ଟିକା ନେଉଛନ୍ତି। ପୂର୍ବରୁ କିନ୍ତୁ ଟିକାକରଣ ଆରମ୍ଭ ବେଳେ ଏହି ସଂଖ୍ୟା ୩୦ ଲକ୍ଷରୁ ଅଧିକ ରହିଥିଲା। ଆମେରିକାର ଏହି ଟିକା କମ୍ପାନୀ ଚଳିତ ବର୍ଷ ୫୦ ନିୟୁତ ଟିକା ଯୋଗାଇବାକୁ ପ୍ରସ୍ତୁତ ବୋଲି କହିଛି। କିନ୍ତୁ କ୍ଷତିପୂରଣ ସମେତ କେତେକ ନିୟାମକ ଅବସ୍ଥାରେ କୋହଳ ପାଇଁ କମ୍ପାନୀ ଦାବି କରିଛି।
The post ଗୁଡ୍ ନ୍ୟୁଜ! ଜୁଲାଇରେ ଭାରତକୁ ମିଳିପାରେ ଫାଇଜର ଟିକା appeared first on Odisha Reporter.
from Odisha Reporter https://ift.tt/3yLx6cE
No comments:
Post a Comment