ଗୌହାଟୀ: କରୋନା ସଂକ୍ରମଣ ବଢ଼ୁଥିବାରୁ କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି ଆସାମ ସରକାର। ସଂକ୍ରମଣକୁ ଦୃଷ୍ଟିରେ ରଖି ସହାରାଞ୍ଚଳରେ ଥିବା ସମସ୍ତ ଅଫିସ, ଧାର୍ମିକ ଅନୁଷ୍ଠାନ, ସାପ୍ତାହିକ ମାର୍କେଟ ପ୍ରମୁଖକୁ ୧୫ ଦିନ ପାଇଁ ବନ୍ଦ ରଖିବାକୁ ଆସାମ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଅର୍ବାନ ଓ ସେମି-ଅର୍ବାନ ଅଞ୍ଚଳରେ ଏହି ନିୟମ କାର୍ଯ୍ୟକାରୀ ହେବ। ଏହାବାଦ ଦିନ ୨ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଲୋକଙ୍କ ଯାତାୟାତ ଉପରେ ମଧ୍ୟ ସଂପୂର୍ଣ୍ଣ ବ୍ୟାନ୍ ଲଗାଯାଇଛି। ନୂଆ ନିର୍ଦ୍ଦେଶନାମା ଜାରି କରି ମୁଖ୍ୟ ଶାସନ ସଚିବ ଜିଷ୍ଣୁ ବରାଉ କହିଛନ୍ତି, ଏକାକୀ ରହିଥିବା ଦୋକାନ ଗୁଡ଼ିକ ସବୁଦିନ ଏଣିକି ଦିନ ୧ଟାରେ ବନ୍ଦ ହେବ।
ସଂପୂର୍ଣ୍ଣ ଲକଡାଉନ ଗୋଟିଏ ବିକଳ୍ପ। କିନ୍ତୁ ଆମେ ପର୍ଯ୍ୟାୟକ୍ରମେ ସେ ଦିଗରେ ବଢ଼ିବୁ। ଆମର ଆଶା ଏବେ ଲାଗିଥିବା କଟକଣା ୨ରୁ ୩ ଦିନ ଭିତରେ ତା’ର ଫଳାଫଳ ଦେଖାଇବ। ଗୁରୁବାର ଠାରୁ ହିଁ ନୂଆ ନିୟମ ଲାଗୁ ହେବ। ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ଆସନ୍ତା ୧୫ ଦିନ ପାଇଁ ସହାରାଞ୍ଚଳ ଓ ସେମି ଅର୍ବାନରେ ଥିବା ସମସ୍ତ ପ୍ରକାରର ହାଟ, ବଜାର, ଶିକ୍ଷାନୁଷ୍ଠାନ, ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ସଂପୂର୍ଣ୍ଣ ବନ୍ଦ ରହିବ।
ସରକାରୀ ଅଫିସ ଗୁଡ଼ିକକୁ କେବଳ ଡେପୁଟି ପାହ୍ୟା ଓ ତା’ ଉପର ରାଙ୍କର ଅଧିକାରୀମାନେ ଆସିପାରିବେ। ସେହିପରି ଘରୋଇ ସଂସ୍ଥାଗୁଡ଼ିକରେ କେବଳ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଓ କିଛି ହାତ ଗଣତି ଷ୍ଟାଫଙ୍କୁ ଆସିବାକୁ ଅନୁମତି ମିଳିବ। କେବଳ ଜରୁରୀ କାମ ପାଇଁ ଏହା ଲାଗୁ ହେବ। ତେବେ ଦିନ ୧ଟା ପରେ ଏଗୁଡ଼ିକ ବନ୍ଦ ହେବ।
ଅନ୍ୟପକ୍ଷରେ ଜରୁରୀ ସେବା ଓ କାମରେ ନିୟୋଜିତ ଥିବା ସଂସ୍ଥା ଗୁଡ଼ିକ ପାଇଁ କୌଣସି କଟକଣା ଲାଗୁ ହେବନାହିଁ। ସେମାନେ ଉପଯୁକ୍ତ ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ। ଅନ୍ତିମ ସଂସ୍କାରରେ ୧୦ ଜଣଙ୍କୁ ସାମିଲ ହେବାର ଅନୁମତି ମିଳିବ। ସେହିପରି ବାହାଘର କାର୍ଯ୍ୟକ୍ରମ ବି ୧୦ ଜଣଙ୍କ ଉପସ୍ଥିତିରେ ହେବ। କୌଣସି ବାହାଘରରେ ଭୋଜନ ବ୍ୟବସ୍ଥା ହେବନାହିଁ।
ସପ୍ତାହେ ଧରି କୌଣସି ଅଞ୍ଚଳ ବା ଜିଲ୍ଲାରେ ପଜିଟିଭିଟି ରେଟ୍ ୫% ଉପରେ ଥିଲେ, ସେଠାରେ କଣ୍ଟେନମେଣ୍ଟ ଜୋନ ଲାଗୁ କରାଯିବ।
ସାଧାରଣ ପରିବହନ ଗାଡ଼ି ୩୦% ଲୋକଙ୍କୁ ନେଇ ସେବା ଯୋଗାଇବ। ଅଟୋ ଓ ଟ୍ୟାକ୍ସିରେ ଡ୍ରାଇଭରଙ୍କ ବ୍ୟତୀତ ସର୍ବାଧିକ ୨ ଜଣ ବସି ପାରିବେ।
ବାଇକ୍ରେ ଦୁଇ ଜଣ ବସି ଯାଇ ପାରିବେ ନାହିଁ। କେବଳ ମହିଳା ଓ ଶିଶୁମାନଙ୍କ ପାଇଁ ଏହି କଟକଣା ଲାଗୁ ହେବନି। ସକାଳ ୫ଟାରୁ ୨ଟା ମଧ୍ୟରେ ଯୁଗ୍ମ ଅଯୁଗ୍ମ ଫର୍ମୁଲାରେ ଘରୋଇ ଗାଡ଼ିଗୁଡ଼ିକ ଚାଲିପାରିବ। ଦିନ ୨ଟାରୁ ତା’ ପରଦିନ ୫ଟା ଯାଏ ଲୋକଙ୍କ ଯାତାୟାତ ଉପରେ କଟକଣା ଲାଗୁ ହେବ।
ସୂଚନାଯୋଗ୍ୟ, ଆସାମରେ ଗତ ୨୪ ଘଣ୍ଟାରେ ରେକର୍ଡ ୧୨୭ ଜଣଙ୍କ ଜୀବନ ଯାଇଥିବା ବେଳେ ୬,୨୫୮ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।
The post କଡ଼ାକଡ଼ି ହେଲା କଟକଣା: ୧୫ ଦିନ ପାଇଁ ସହରାଞ୍ଚଳର ସବୁ ଅଫିସ ବନ୍ଦ appeared first on Odisha Reporter.
from Odisha Reporter https://ift.tt/3obzSTB
No comments:
Post a Comment