ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାକ୍ ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଉତ୍ତର ଓଡ଼ିଶା ଓ ସୁନ୍ଦରବନ ମଧ୍ୟରେ ସ୍ଥଳଭାଗ ଛୁଇଁବ। ତେବେ ତା’ର ଗତି, ବେଗ ଓ ତୀବ୍ରତା କେତେ ରହିବ, ସେ ନେଇ ଆଇଏମ୍ଡି ପକ୍ଷରୁ କିଛି କୁହାଯାଇନାହିଁ। ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ କୁମାର ଜେନା ଆଜି ସୂଚନା ଦେବା ବେଳେ ଏହି କଥା କହିଛନ୍ତି।
ସେ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ନେଇ ଆଜି ଆଇଏମ୍ଡି ଓ ଏନ୍ଡିଏମ୍ଏ ସହିତ ବୈଠକ ହୋଇଛି। ଆଇଏମ୍ଡିର ଆକଳନ ଅନୁସାରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨୩ ତାରିଖରେ ଏହା ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି। ଆଉ ୨୪ ତାରିଖରେ ଏହା ବାତ୍ୟାର ରୂପ ନେଇପାରେ। ପ୍ରାକ୍ ଆକଳନ ଅନୁସାରେ ୨୬ ତାରିଖ ବେଳକୁ ଏହା ସ୍ଥଳଭାଗ ମୁହାଁ ହେବ ଏବଂ ଉତ୍ତର ଓଡ଼ିଶା ଓ ସୁନ୍ଦରବନ ମଧ୍ୟରେ କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବ ବୋଲି କୁହାଯାଇଛି। ତେବେ ଏହି ସମ୍ଭାବ୍ୟ ବାତ୍ୟାର ଗତିପଥ କ’ଣ ରହିବ, କେତେ ବେଗରେ ଏହା ଗତି କରିବ, ତା’ର ଭୟାବହତା କ’ଣ ରହିବ ଓ କେତେ ବର୍ଷା ହେବ, ସେନେଇ ଆଇଏମ୍ଡି ପାଖରେ କୌଣସି ସ୍ପଷ୍ଟ ସୂଚନା ନାହିଁ। ସେ ସଂପର୍କରେ ଆକଳନ ଚାଲିଛି। କିନ୍ତୁ ଏହି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆମେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରି ଦେଲୁଣି।
ଏସ୍ଆର୍ସି ଶ୍ରୀ ଜେନା କହିଛନ୍ତି, ଓଡ୍ରାଫ, ଅଗ୍ନିଶମ ଓ ଏନ୍ଡିଆର୍ଏଫ୍ ଟିମ୍କୁ ପଠାଯାଉଛି। ଗୁଜରାଟ ଯାଇଥିବା ଏନ୍ଡିଆର୍ଏଫ୍ର ୫ଟି ଟିମ୍ ଆଜି ଫେରିବ। ସେହିପରି ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଛଡ଼ା ଯାଉନି। ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ସେମାନେ ଫେରିଆସିବେ। ଯେଉଁ ମାଛଧରା ବୋଟ୍ ସମୁଦ୍ରରେ ଅଛନ୍ତି ସେମାନଙ୍କୁ କୋଷ୍ଟଗାର୍ଡ ଫେରାଇ ଆଣୁଛି।
ସେ ଆହୁରି କହିଛନ୍ତି, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସହରରେ ଲାଗିଥିବା ହାଇମାଷ୍ଟ ଲାଇଟ୍ ତଳକୁ ଖସାଇ ଅଣାଯିବ। ବିଜ୍ଞାପନ ପାଇଁ ଲାଗିଥିବା ବିଭିନ୍ନ ହୋର୍ଡିଂ ଓ ବୋର୍ଡ ଖୋଲି ଦେବାକୁ କୁହାଯାଇଛି। ୨୪ ତାରିଖ ସୁଦ୍ଧା ସେଗୁଡ଼ିକୁ ନଖୋଲିଲେ ପୌର କର୍ମଚାରୀ ଜୋର୍ କରି ଖୋଲି ଦେବେ।
ସମ୍ଭାବ୍ୟ ବାତ୍ୟା ‘ୟାସ୍’କୁ ନେଇ ଜଳସମ୍ପଦ ବିଭାଗ ପ୍ରସ୍ତୁତ ଥିବା କହିଛନ୍ତି ଏହାର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ। ସେ କହିଛନ୍ତି ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ଜଳ ସମ୍ପଦ- ଏହି ତିନି ବିଭାଗର ସମନ୍ୱୟରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ। ତା’ସହିତ ଗୋଟିଏ ଟୋଲ ଫ୍ରି ନମ୍ବର ଜାରି କରାଯିବ। ଯେଉଁଠି ଯାହା ଅସୁବିଧା ହେବ ସେହି ନମ୍ବରରେ ଲୋକେ ଜଣାଇ ପାରିବେ।
ସେ କହିଛନ୍ତି, ଯେହେତୁ ଖରା ଦିନେ ବାତ୍ୟା ଆସୁଛି, ତେଣୁ ବନ୍ୟା ସ୍ଥିତି ଉପଜିବ ନାହିଁ। କେବଳ ଫ୍ଲାସ୍ ଫ୍ଲଡ଼ ସ୍ଥିତି ଆସିପାରେ। ସେହିପରି ବିଭିନ୍ନ ବନ୍ଧରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ।
The post ପ୍ରାକ୍ ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଉତ୍ତର ଓଡ଼ିଶା ଓ ସୁନ୍ଦରବନ ମଧ୍ୟରେ ସ୍ଥଳଭାଗ ଛୁଇଁବ: ଏସ୍ଆର୍ସି appeared first on Odisha Reporter.
from Odisha Reporter https://ift.tt/3ubA7PQ
No comments:
Post a Comment