ଚେନ୍ନାଇ: ତାମିଲନାଡୁରେ ବିପୁଳ ଜନମତ ସହ ବିଜୟ ଲାଭ କରିଥିବା ଡିଏମକେ ଓ କଂଗ୍ରେସ ମେଣ୍ଟ ଆସନ୍ତା ୭ ତାରିଖରେ ସରକାର ଗଠନ କରିବେ। ଦୀର୍ଘ ୧୦ ବର୍ଷ ଧରି ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଥିବା ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନ ଆସନ୍ତା ୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।
୨୦୧୧ ବିଧାନସଭା ନିର୍ବାଚନରେ ଡିଏମକେ ତୃତୀୟ ସ୍ଥାନରେ ଥିବା ବେଳେ ୨୦୧୬ରେ ଦ୍ୱିତୀୟ ସ୍ଥାନକୁ ଉଠିଥିଲା। ଏବେ ଦଳ କ୍ଷମତାସୀନ ଏଆଇଏଡିଏମକେ ଓ ବିଜେପି ମେଣ୍ଟକୁ ପରାସ୍ତ କରିବାରେ ସକ୍ଷମ ହୋଇଛି।
୨୩୪ ଆସନ ବିଶିଷ୍ଟ ତାମିଲନାଡୁରେ ଡିଏମକେ ଓ କଂଗ୍ରେସ ମେଣ୍ଟ ୧୫୭ଟି ଆସନରେ ଜିତିଥିବା ବେଳେ ଆଇଏଡିଏମକେ ମେଣ୍ଟ ମାତ୍ର ୭୫ଟି ଆସନରେ ଜିତିବାକୁ ସକ୍ଷମ ହୋଇଛି। ଅନ୍ୟାନ୍ୟ ଦଳ ଦୁଇ ଆସନରେ ବାଜିମାତ କରିଛନ୍ତି। ତାମିଲନାଡୁରେ ବିଧାନସଭା ନିର୍ବାଚନରେ ସାଉଥ ଷ୍ଟାର କମଲ ହାସନ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ହେଁ ଗୋଟିଏ ବି ସ୍ଥାନରେ ଜିତିପାରି ନାହାନ୍ତି। ନିଜେ କମଲ ହାସନ ଦକ୍ଷିଣ କୋଏମ୍ବାଟୁର ଆସନରୁ ପ୍ରାର୍ଥୀ ହୋଇଥିଲେ। ହେଲେ ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ସରକାର ଗଠନ ପାଇଁ ତାମିଲନାଡୁରେ ୧୧୮ ଆସନ ଆବଶ୍ୟକ। ଏହାକୁ ଠାରୁ ଯଥେଷ୍ଟ ଅଧିକ ଆସନରେ ଷ୍ଟାଲିନଙ୍କ ଡିଏମକେ ବାଜିମାତ କରିଛି। କରୋନା ଯୋଗୁ ଶପଥ ଉତ୍ସବ ନିରାଡ଼ମ୍ବର ଭାବେ ପାଳନ କରାଯିବ ବୋଲି ଷ୍ଟାଲିନ କହିଛନ୍ତି। ସେ କହିଛନ୍ତି, ମଙ୍ଗଳବାର ଦଳୀୟ ବିଧାୟକଙ୍କ ବୈଠକ ବସିବ। ଏହି ସମୟରେ ବିଧାୟକ ଦଳ ନେତା ନିର୍ବାଚିତ ହେବେ। ଏହାପରେ ସରକାର ଅଧିକାରୀଙ୍କ ପରାମର୍ଶକ୍ରମେ କରୋନା କଟକଣା ମଧ୍ୟରେ ସବୁ କିଛି ହେବ।
ଲୋକମାନେ ଡିଏମକେ ନେତୃତ୍ୱାଧୀନ ସେକ୍ୟୁଲାର ପ୍ରୋଗ୍ରେସିଭ ଆଲିଏନ୍ସକୁ ବିପୁଳ ସମର୍ଥନ ଦେଇଛନ୍ତି। ତାମିଲନାଡୁର ନୂଆ ସରକାର ସମସ୍ତଙ୍କୁ ଖୁସି କଲା ଭଳି କାମ କରିବ। ଏଆଇଏଡିଏମକେ ଶାସନ କାଳରେ ତାମିଲନାଡୁ ତଳକୁ ଚାଲିଯାଇଥିବା ଲୋକେ ଜାଣିଛନ୍ତି।
ଏଥିପାଇଁ ସେମାନେ ଡିଏମକେକୁ ଭୋଟ ଦେଇଛନ୍ତି। ଲୋକମାନଙ୍କ ସ୍ୱପ୍ନ ପୂରଣ କରିବାକୁ ଦଳ ସବୁ ବେଳେ ଚେଷ୍ଟା କରିବ। ସେହିପରି ଶପଥ ପାଠ ଉତ୍ସବ ଅତ୍ୟନ୍ତ ସାଧାରଣ ରହିବ ବୋଲି ସେ କହିଛନ୍ତି।
ଷ୍ଟାଲିନ କୋଲାଥୁର ଆସନରୁ ପ୍ରାର୍ଥୀ ହୋଇ ଏକତରଫା ବିଜୟ ହାସଲ କରିଛନ୍ତି। ସେ ନିର୍ବାଚନ କମିଶନଙ୍କ ଠାରୁ ବିଜୟ ପ୍ରମାଣପତ୍ର ପାଇବା ପରେ ସିଧା ତାଙ୍କ ବାପା ତଥା ଡିଏମକେ ପ୍ରତିଷ୍ଠା କରୁଣାନିଧିଙ୍କ ସମାଧିକୁ ଯାଇଥିଲେ। ସେଠାରେ ସେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।
The post ୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଷ୍ଟାଲିନ appeared first on Odisha Reporter.
from Odisha Reporter https://ift.tt/3tifFfz
No comments:
Post a Comment