ନୂଆଦିଲ୍ଲୀ: ଆଜି ମୋଦି ସରକାରର ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷ। ଦୀର୍ଘ ୭ ବର୍ଷ ହେବ ମୋଦି ସରକାର ଦେଶରେ ସରକାରରେ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ୭୦ ବର୍ଷର ସରକାରକୁ ଚଳିତ ୭ ବର୍ଷର ସରକାର ସହ ତୁଳନା କରି ନିଜ ସରକାରର ଉପଲବ୍ଧ ରଖିଛନ୍ତି ମନ୍ କି ବାତ ଜରିଆରେ। ସେ କହିଛନ୍ତି ଦେଶ ଏବେ ଅନେକ ପରିବର୍ତ୍ତନ ହୋଇଛି। ସାଟେଲାଇଟରୁ ସଡ଼କ ସବୁଥିରେ ଉପଲବ୍ଧି ହୋଇଛି।
ସେ କହିଛନ୍ତି ଯେ ଏହି ୭ ବର୍ଷରେ ଯାହା କିଛି ସଫଳତା ମିଳିଛି, ତାହା ଦେଶ ଓ ଦେଶବାସୀଙ୍କର। ଏବେର ଭାରତ ଅନ୍ୟ ଦେଶର ଚିନ୍ତାଧାରା ଏବଂ ଚାପରେ ନାହିଁ। ଦେଶ ନିଜ ସଂକଳ୍ପ ସହିତ ଚାଲୁଛି। ଏଥିପାଇଁ ଆମେ ସମସ୍ତେ ଗର୍ବିତ। ଯେଉଁମାନେ ଆମ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି ସେମାନଙ୍କୁ ଉପଯୁକ୍ତ ଉତ୍ତର ଦେଉଛି ଦେଶ। ଯାହାକି ଆମର ଆତ୍ମବିଶ୍ୱାସ ବଢ଼ାଉଛି।
ଭାରତ ଜାତୀୟ ନିରାପତ୍ତା ପ୍ରସଙ୍ଗରେ ଆପୋଷ ବୁଝାମଣା କରେ ନାହିଁ। ଯେତେବେଳେ ଆମ ସେନାର ଶକ୍ତି ବଢେ ସେତେବେଳେ ଆମେ ଅନୁଭବ କରୁ ଯେ ଠିକ୍ ରାସ୍ତାରେ ଅଛୁ। ସେ କହିଛନ୍ତି ଯେ ଖୁସି ଲାଗେ ଯେତେବେଳେ ଲୋକମାନେ ଧନ୍ୟବାଦ ଦିଅନ୍ତି ଦୀର୍ଘ ୭୦ ବର୍ଷ ପରେ ପ୍ରଥମ ଥର ପାଇଁ ସେମାନଙ୍କ ଗାଁରେ ବିଜୁଳି ପହଞ୍ଚିଛି। ସେମାନଙ୍କ ପୁଅ ଓ ଝିଅ ପଙ୍ଖା ତଳେ ବସି ପାଠ ପଢୁଛନ୍ତି। ଗାଁର ପକ୍କା ରାସ୍ତା ସହ ସହର ସହିତ ସଂଯୁକ୍ତ ହୋଇଛି।
ସ୍ୱାଧୀନତାର ସାତ ଦଶନ୍ଧିରେ କେବଳ ତିନି କୋଟି ଗାଁରେ ପାଣି ସଂଯୋଗ ହୋଇଥିଲା। କିନ୍ତୁ ଗତ ୨୧ ମାସ ମଧ୍ୟରେ ତାଙ୍କ ସରକାର ସାଢ଼େ ଚାରି କୋଟି ଘରକୁ ବିଶୁଦ୍ଧ ଜଳ ସଂଯୋଗ ଦେଇଛନ୍ତି। ଏଥିମଧ୍ୟରୁ ୧୫ ମାସ କରୋନାକାଳ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ‘ଆୟୁଷ୍ମାନ ଭାରତ ଯୋଜନା’ ଜରିଆରେ ଦେଶକୁ ଏକ ନୂଆ ବିଶ୍ୱାସ ଆସିଛି, ଯେତେବେଳେ ଜଣେ ଚିକିତ୍ସିତ ହୋଇ ଘରକୁ ଫେରନ୍ତି ସେତେବେଳେ ପରିବାର ଲୋକେ ଅନୁଭବ କରନ୍ତି ଯେ ଏହା ତାଙ୍କୁ ଏକ ନୂଆ ଜୀବନ ଦେଇଛି।
ସେହିପରି ଏବେ ଦେଶର କୋଣ ଅନୁକୋଣରେ ଡିଜିଟାଲ ନେଣଦେଣ ହୋଇପାରୁଛି ବୋଲି କହିଛନ୍ତି। କରୋନା ମହାମାରୀ ବେଳେ ଏହି ଡିଜିଟାଲ ପେମେଣ୍ଟ ବହୁତ ଲାଭ ଦାୟକ ସାବ୍ୟସ୍ତ ହୋଇଛି ବୋଲି ସେ କହିଛନ୍ତି। ଉତ୍ତର-ପୂର୍ବରୁ କଶ୍ମୀର ପର୍ଯ୍ୟନ୍ତ ଶାନ୍ତି ଏବଂ ବିକାଶର ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି ହୋଇଛି। ଆମେ ଅନେକ ସାଟେଲାଇଟ୍ ଉତକ୍ଷେପଣ କରି ରେକର୍ଡ ତିଆରି କରିଛୁ। ଏହି ୭ ବର୍ଷ ମଧ୍ୟରେ ଦେଶର ଅନେକ ପୁରୁଣା ବିବାଦ ମଧ୍ୟ ସମ୍ପୂର୍ଣ୍ଣ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ସହିତ ସମାଧାନ ହୋଇଛି ବୋଲି ମୋଦି ମନ୍ କୀ ବାତ୍ ଜରିଆରେ କହିଛନ୍ତି।
ସେହିଭଳି କେହି କେହି ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ଖୁସି ବାଣ୍ଟନ୍ତି। ସରକାରଙ୍କ ବିଭିନ୍ନ ସ୍କିମ୍ ଜରିଆରେ ଲୋକମାନେ ଋଣ ନେଇ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାରେ ସଫଳ ହେଲେ ମଧ୍ୟ ଖୁସି ଲାଗେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବା ପରେ ଅନେକ ଲୋକ ଧନ୍ୟବାଦ ଦେଇଛନ୍ତି ବୋଲି ସେ କହିଛନ୍ତି। ୭ ବର୍ଷରେ ଏମିତି ଅନେକ ଖୁସି ଅଛି ଯାହାକୁ ନେଇ ଆଜି ଦେଶ ଆଗକୁ ବଢ଼ୁଛି ବୋଲି ସେ କହିଛନ୍ତି।
The post ୭୦ ବର୍ଷ ବନାମ ୭ ବର୍ଷ: ସାଟେଲାଇଟରୁ ସଡକ, ସବୁଥିରେ ବଢ଼ିଛି ଦକ୍ଷତା appeared first on Odisha Reporter.
from Odisha Reporter https://ift.tt/3i3dCKx
No comments:
Post a Comment