ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୪ରେ ନେବ ବାତ୍ୟାର ରୂପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 22, 2021

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୪ରେ ନେବ ବାତ୍ୟାର ରୂପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ‘ୟାସ’ ନେଇ ଆଇଏମ୍‌ଡିର ପୂର୍ବ ଆକଳନ ଠିକ୍ ସାବ୍ୟସ୍ତ ହୋଇଛି। ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହି ଲଘୁଚାପ କ୍ରମେ ଘନୀଭୂତ ହୋଇ ୨୪ ତାରିଖରେ ବାତ୍ୟାରେ ପରିଣତ ହେବ।

ଆଇଏମ୍‌ଡି ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ ଏହି ବାତ୍ୟା କ୍ରମେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଉପକୂଳ ମୁହାଁ ହେବ। ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉପକୂଳ ମୁହାଁ ହେବ।୨୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ଉପକୂଳ ଛୁଇଁବ। ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ତଟ ମଧ୍ୟରେ ଏହା ଉପକୂଳ ଛୁଇଁବ।

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଏପର୍ଯ୍ୟନ୍ତ ଆମେ ଏହା ନିର୍ଦ୍ଦିଷ୍ଟ ଭାବେ କେଉଁଠି ସ୍ଥଳ ଭାଗ ଛୁଇଁବ, ତାହା ଆକଳନ କରିନାହୁଁ। ତେବେ ଆଉ ଗୋଟିଏ ପାଦ ଆଗକୁ ଯାଇ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ତଟ ମଧ୍ୟରେ ଏହା ଉପକୂଳ ଛୁଇଁବ ବୋଲି ଆକଳନ କରିଛୁ। ତେବେ ଆସନ୍ତାକାଲି ଏହା ଅବପାତର ରୂପ ନେବା ପରେ କେଉଁଠି ଲ୍ୟାଣ୍ଡଫଲ କରିବ, ତା’ର ଆକଳନ କରାଯାଇପାରିବ।

ଶ୍ରୀ ମହାପାତ୍ର କହିଛନ୍ତି, ଏହି ଲଘୁଚାପ ପ୍ରଭାବରେ ଏବେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଶାନ୍ତ ରହିଛି। ୨୪ ତାରିଖ ପର୍ଯ୍ୟନ୍ତ ଏସବୁ ଅଞ୍ଚଳ ଅଶାନ୍ତ ରହିବ। ତା’ପରେ ଉତ୍ତର ବଙ୍ଗୋପସାଗର ଏବଂ ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗର ୨୪ ତାରିଖରୁ ୨୭ ତାରିଖ ଯାଏ ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ବର୍ତ୍ତମାନ ସମୁଦ୍ର ଭିତରକୁ ଯିବା ଠିକ୍ ନୁହେଁ।

ସେ ଆହୁରି କହିଛନ୍ତି ଯେ ଏହା ଏକ ଅତି ଭୀଷଣ ବାତ୍ୟା ହୋଇଥିବାରୁ ସ୍ଥଳଭାଗ ଛୁଇଁବା ବେଳେ ଘଣ୍ଟାପ୍ରତି ସର୍ବାଧିକ ୧୬୫ କି.ମି ବେଗରେ ପବନ ହେବ। ଘଣ୍ଟାପ୍ରତି ସର୍ବନିମ୍ନ ୧୨୦ କି.ମି ବେଗରୁ ପବନ ବୋହିବ। ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟା ପ୍ରତି ୧୮୫ କି.ମି ହେବ।

ଓଡ଼ିଶା ଉପରେ ପ୍ରଭାବ

ଆଇଏମ୍‌ଡି ଡିଜିଙ୍କ ସୂଚନା ଅନୁଯାୟୀ, ୨୪ ତାରିଖ ସନ୍ଧ୍ୟାରୁ ଉତ୍ତର ଓଡ଼ିଶା ଉପକୂଳରେ ଯେଉଁ ସମୁଦ୍ର ରହିଛି, ସେଠାରେ ପବନ ହେବ। ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ସେଠାରେ ପବନ ହେବ। ଧୀରେ ଧୀରେ ପବନର ବେଗ ବଢ଼ିବ। ୨୫ ତାରିଖ ସକାଳ ବେଳକୁ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ହୋଇପାରେ। ଏବଂ ୨୬ ତାରିଖ ବେଳକୁ ଏହା ବଢ଼ିବ। ବିଶେଷ କରି ପଶ୍ଚିମବଙ୍ଗକୁ ଲାଗି ଉତ୍ତର ଓଡ଼ିଶାର ଯେଉଁ ଉପକୂଳ ଅଞ୍ଚଳ ରହିଛି ସେଠାରେ ପବନର ବେଗ ସବୁଠୁ ଅଧିକ ରହିବ ବୋଲି ଅନୁମାନ କରାଯାଉଛି।

ସେ କହିଛନ୍ତି, ୨୪ ତାରିଖରୁ ବର୍ଷା ହେବନି। ୨୫ ତାରିଖ ଅପରାହ୍ଣ ବା ସନ୍ଧ୍ୟାରୁ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇପାରେ ଏବଂ ଧୀରେ ଧୀରେ ଏହା ବଢ଼ି ପ୍ରବଳ ବର୍ଷା ହୋଇପାରେ। ତେବେ କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବ, ତାହା ନିର୍ଭର କରେ ବାତ୍ୟାର ଗତିପଥ ଉପରେ। ତେବେ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୨୫ ଓ ୨୬ ତାରିଖରେ ବର୍ଷା ରହିବ। ସେହିପରି ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ୨୬ ଓ ୨୭ ତାରିଖରେ ପ୍ରବଳ ବର୍ଷା ହୋଇପାରେ।

ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଆଜି ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକର ପ୍ରସ୍ତୁତି ସମ୍ପର୍କରେ ଏଥିରେ ଆଲୋଚନା କରାଯିବ।

ଆଜି ଅପରାହ୍ନ ୫ଟା ୩୦ରେ ଏହି ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା, ୧୪ଟି ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।

ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏସ୍ଆରସି, ପୁଲିସ୍ ଡିଜି, ଅଗ୍ନିଶମ ଡିଜି, ଶକ୍ତି, ଜଳ ସମ୍ପଦ, ରାଜସ୍ୱ ଓ ବିପର୍ଯ୍ୟୟ ଭଳି ବିଭାଗର ଅଧିକାରୀ ଯୋଗ ଦେଇଥିଲେ।

The post ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୪ରେ ନେବ ବାତ୍ୟାର ରୂପ appeared first on Odisha Reporter.



from Odisha Reporter https://ift.tt/3hMILBY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages