ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦୀର୍ଘ ଦିନ ହେଲା ଆନ୍ଦୋଳନ କରୁଥିବା ଚାଷୀମାନେ ପୁଣି ନିଜର ଆଭିମୁଖ୍ୟକୁ କଠୋର କରିଛନ୍ତି। ମହାମାରୀ କରୋନାର ଦ୍ରୁତ ସଂକ୍ରମଣ ଭିତରେ ମଧ୍ୟ ଶତାଧିକ ଚାଷୀ ଦିଲ୍ଲୀ ସୀମାରେ ସେମତି ଆନ୍ଦୋଳନ କରୁଛନ୍ତି।
ଏବେ ଦିଲ୍ଲୀରେ ପ୍ରବଳ ବର୍ଷା ହେଉଥିଲେ ହେଁ ଚାଷୀମାନେ ନିଜ ଜିଦରେ ଅଟଳ ରହିଛନ୍ତି। ସେମାନେ ସେମତି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏସବୁ ଭିତରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚରମବାଣୀ ଶୁଣାଣିଛି। ମୋର୍ଚ୍ଚା କହିଛି ଯେ ଆମ ଧୈର୍ଯ୍ୟର ଆଦୌ ପରୀକ୍ଷା ନିଅନାହିଁ। ଶୀଘ୍ର କଥାବାର୍ତ୍ତା ଆରମ୍ଭ କର ଓ ଚାଷୀଙ୍କ ଦାବିକୁ ପୂରଣ କର ବୋଲି ମୋର୍ଚ୍ଚା ଦାବି କରିଛି।
କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ବିରୋଧ କରି ପଞ୍ଜାବ, ହରିଆଣା ଓ ପଶ୍ଚିମ ଉତ୍ତର ପ୍ରଦେଶ ସମେତ ଏକାଧିକ ରାଜ୍ୟର ଶତାଧିକ ଚାଷୀମାନେ ଦିଲ୍ଲୀର ସିଙ୍ଘୁର, ଟିକରି ଓ ଗାଜିପୁର ସୀମାରେ ଦୀର୍ଘ ୬ ମାସ ହେଲାଣି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେମାନେ କେନ୍ଦ୍ର ଆଣିଥିବା ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବା ସହ ଏମଏସ୍ପି ଉପରେ ଆଇନଗତ ବ୍ୟବସ୍ଥା କରିବାକୁ ଦାବି କରୁଛନ୍ତି।
ମୋର୍ଚ୍ଚା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଏହି ଅଭିଯାନରେ ୪୭୦ରୁ ଅଧିକ ଚାଷୀ ସହିଦ ହୋଇସାରିଲେଣି। ଅନେକ ଆନ୍ଦୋଳନକାରୀ ସେମାନ ଚାକିରି, ଶିକ୍ଷା ଓ ଅନ୍ୟ କାମଧନ୍ଦା ହରାଇ ସାରିଲେଣି। ତଥାପି ସରକାର ଦେଶର ନିଜ ଲୋକ ଓ ଅନ୍ନଦାତାଙ୍କ ପ୍ରତି ଅମାନବୀୟ ଆଚରଣ ପ୍ରଦର୍ଶନ କରି ଚାଲିଛନ୍ତି। ଯଦି ସରକାର ପ୍ରକୃତରରେ ଚାଷୀଙ୍କ ହିତ କଥା ଚାହାନ୍ତି ଓ ସେମାନଙ୍କୁ ସମ୍ମାନ କରନ୍ତି, ତା’ହେଲେ ଆଲୋଚନା ଆରମ୍ଭ କରନ୍ତୁ। ସେହିପରି ଚାଷୀଙ୍କ ଦାବିକୁ ମଧ୍ୟ ପୂରଣ କରନ୍ତୁ।”
ସୂଚନାଯୋଗ୍ୟ, ବିବାଦର ସମାଧାନ କରିବାକୁ ଚାଷୀ ଓ ସରକାରଙ୍କ ମଧ୍ୟରେ ୧୧ଥର ଆଲୋଚନା ହୋଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଜାନୁଆରୀ ମାସରେ ସରକାର କୃଷି ଆଇନ ଉପରେ ୧୨ରୁ ୧୮ ମାସ ରୋକ ଲଗାଇବାକୁ ରାଜି ଥିବା କହିଥିଲେ। ହେଲେ ଚାଷୀମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସୁପ୍ରିମକୋର୍ଟ କୃଷି ଆଇନର କାର୍ଯ୍ୟକାରିତା ଉପରେ ରୋକ ଲଗାଇବା ସହ ସମାଧାନ କରିବାକୁ କମିଟି ଗଠନ କରିଛନ୍ତି।
The post ସରକାରଙ୍କୁ ଚାଷୀ ସଂଗଠନର ଚରମବାଣୀ: ଆମ ଧୈର୍ଯ୍ୟକୁ ଆଉ ପରୀକ୍ଷା କରନି appeared first on Odisha Reporter.
from Odisha Reporter https://ift.tt/3bYfS23
No comments:
Post a Comment