ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ଆସିବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ୍’ ଭୀଷଣ ବା ଅତିଭୀଷଣ ଆକାରର ହୋଇପାରେ । ଆଇଏମ୍ଡିର ସାଇକ୍ଲୋନ୍ ୱାର୍ଣ୍ଣିଂ ସେଣ୍ଟରର ମୂଖ୍ୟ ଆର.କେ ଜେନାମଣି ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ମେ’ ୨୨ ତାରିଖରେ ବାତ୍ୟା ନେଇ ସଠିକ୍ ଆକଳନ କରାଯାଇପାରିବ। ବାତ୍ୟା ତ ନିଶ୍ଚିତ ହେବ। କିନ୍ତୁ କେଉଁଠି ଏହା ଲ୍ୟାଣ୍ଡଫଲ କରିବ, ତାହା ୨୨ରେ କହିହେବ। ତେବେ ଏହା ଭୀଷଣ ବା ଅତିଭୀଷଣ ଆକାରର ବାତ୍ୟା ହୋଇପାରେ।
ଶ୍ରୀ ଜେନାମଣି କହିଛନ୍ତି, ମେ’ ୨୨ରେ ସୃଷ୍ଟ ଲଘୁଚାପ ମେ’ ୨୪ରେ ବାତ୍ୟାରେ ରୂପାନ୍ତରିତ ହେବ। ଏହାର ପ୍ରଭାବରେ ମେ’ ୨୫ରେ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ। ବାତ୍ୟାର ପ୍ରଭାବ ଉତ୍ତର ଓଡ଼ିଶାର ଜିଲ୍ଲାମାନଙ୍କରେ ବେଶି ରହିବ। ୨୧ ତାରିଖରୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଥିବା ସେ କହିଛନ୍ତି।
ସମୀକ୍ଷା ବୈଠକ କଲେ ଏସ୍ଆର୍ସି
ସମ୍ଭାବ୍ୟ ବାତ୍ୟା ‘ୟାସ’ର ମୁକାବିଲା ପାଇଁ ସ୍ପେଶାଲ୍ ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା ଆଜି ଏକ ସମୀକ୍ଷା ବୈଠକ କରିଥିଲେ। ଆଇଏମ୍ଡି ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ସହିତ ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ଆଲୋଚନା କରିଥିଲେ। ସମ୍ଭାବ୍ୟ ବାତ୍ୟା ପାଇଁ ସଜାଗ ରହିବାକୁ ସେ ବିଭାଗୀୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମ୍ୟାନ୍ ପାୱାର ଓ ମେସିନାରୀ ପ୍ରସ୍ତୁତ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି। ତା’ସହିତ ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ ଆଗୁଆ ପଦକ୍ଷେପ ନେବାକୁ ସିଏମ୍ଓରୁ ନିର୍ଦ୍ଦେଶ ଆସିଥିବା ମଧ୍ୟ ଶ୍ରୀ ଜେନା ଟ୍ୱିଟ୍ କରି ଜଣାଇଛନ୍ତି।
The post ସମ୍ଭାବ୍ୟ ବାତ୍ୟା ‘ୟାସ୍’ ଭୀଷଣ ବା ଅତିଭୀଷଣ ହୋଇପାରେ appeared first on Odisha Reporter.
from Odisha Reporter https://ift.tt/3wnWAKT
No comments:
Post a Comment