ବ୍ୟାରିକେଡ୍ ବାନ୍ଧି ବାଉଁଶ ଖାଇଥିଲେ, ଏବେ ବୁଢ଼ାବୁଢ଼ିଙ୍କ ଟଙ୍କା ଖାଇଗଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 30, 2021

ବ୍ୟାରିକେଡ୍ ବାନ୍ଧି ବାଉଁଶ ଖାଇଥିଲେ, ଏବେ ବୁଢ଼ାବୁଢ଼ିଙ୍କ ଟଙ୍କା ଖାଇଗଲେ!

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ସାରା ଦେଶରେ କରୋନା ଆତଙ୍କ ଜାରି ରହିଛି। କରୋନାର ଚେନକୁ ଭାଙ୍ଗିବା ପାଇଁ ଜାରି ରହିଛି ଲକଡାଉନ ଓ ଶଟଡାଉନ। ଲକଡାଉନ୍ ଓ ଶଟଡାଉନ୍ ସମୟରେ କଣ୍ଟେନମେଣ୍ଟ ଜୋନରେ ବ୍ୟାରିକେଡ୍ ବାନ୍ଧିବା ପାଇଁ ବାଉଁଶ ଟଙ୍କା ଖାଇଯାଇଥିବା ଅଭିଯୋଗ ପୂର୍ବରୁ ଆସିଥିଲା। ଏବେ ଗରିବ ହିତାଧିକାରୀଙ୍କ ଟଙ୍କା ମଧ୍ୟ ହଡ଼ପ ହୋଇଥିବା ଅଭିଯୋଗ ଆସିଛି।

ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବଲାଙ୍ଗିର ସହର ଉପକଣ୍ଠ ସଦେଇପାଲି ପଞ୍ଚାୟତରୁ। ପଞ୍ଚାୟତ ଦାୟିତ୍ୱରେ ଥିବା କର୍ମଚାରୀ ଶହ ଶହ ହିତାଧିକାରୀଙ୍କ ହଜାର ହଜାର ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା ହଡ଼ପ କରିଥିବା ଅଭିଯୋଗ ଆସିଛି। ମହାମାରୀ ସମୟରେ କାମଧନ୍ଧା ହରାଇଥିବା ଗରିବଙ୍କ ପାଇଁ ସରକାରୀ ସାହାଯ୍ୟ ହିଁ ଏକମାତ୍ର ଭରସା। ମହାମାରୀ ସମୟରେ ପିଡିଏସ ଚାଉଳ ଓ ଭତ୍ତା ଟଙ୍କା ଗରିବଙ୍କ ପାଇଁ ସଂଜିବନୀ ସାଜିଛି। କିନ୍ତୁ ଅସହାୟଙ୍କ ସାହା ପାଲଟିଥିବା ଭତ୍ତା ଟଙ୍କାକୁ ମିଳିମିଶି ଖାଇଯାଉଛନ୍ତି ପଞ୍ଚାୟତର ଲୋକ ପ୍ରତିନିଧି ଓ ସରକାରୀ ବାବୁ। ଯାହା ଫଳରେ ଭୋକ ଉପାସରେ ଏ ଅଫିସରୁ ସେ ଅଫିସକୁ ଦଉଡ଼ି ଦଉଡ଼ି ନୟାନ୍ତ ହୋଇଛନ୍ତି ହିତାଧିକାରୀ।

ଏ ନେଇ ସଦେଇପାଲି ପଞ୍ଚାୟତର ଜିଆରଏସ ଏସ ରାଜେଶ ହରପାଲ ନିଜ ମୁହଁରେ କହୁଛନ୍ତି ଯେ ଭତ୍ତା ନଦେଇ ପାଞ୍ଚ ମାସ ହେବ ଟଙ୍କା ନିଜ ପାଖରେ ରଖିଛନ୍ତି। ଏହା ସହ ତାଙ୍କର ଭୁଲ୍ ବୋଲି କହିଛନ୍ତି ଜିଆରସ୍। ତଦନ୍ତ ଆଗୁଆ ନିଜ ଭୁଲକୁ ମାନିଯାଉଛନ୍ତି ଜିଆରଏସ ବାବୁ। ଜିଆରଏସଙ୍କ କାମ ହେଉଛି ପଞ୍ଚାୟତ ଇଓଙ୍କ ସହିତ ମିଶି ବୃଦ୍ଧ ଓ ବୃଦ୍ଧାଙ୍କୁ ଭତ୍ତା ଟଙ୍କା ବାଣ୍ଟିବା। କିନ୍ତୁ ଅସହାୟ ନିଃସହାୟ ବୁଢ଼ାବୁଢ଼ିଙ୍କ ଟଙ୍କା ଉପରେ ଏମାନଙ୍କ ଲୋଭ।

ଗତ ଜାନୁୟାରୀ ମାସରେ ଜିଆରଏସଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟିବା ପାଇଁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ସମସ୍ତଙ୍କୁ ନୁହେଁ, କିଛି ହିତାଧିକାରୀଙ୍କୁ ଟଙ୍କା ଦେଇ ବାକି ତକ ହଡ଼ପ କରିଛନ୍ତି। କେବଳ ଜାନୁୟାରୀ ମାସର ଭତ୍ତା ଟଙ୍କା ଦିଆଯାଇନାହିଁ ବରଂ ଆଉ କିଛି ଲୋକଙ୍କ ଓଲଟା ପାଲଟା ଟିପଚିହ୍ନ ଦେଇ ବି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଭତ୍ତା ନପାଇ ଗତ ମାସ ଦୁଇ ତିନିଜଣଙ୍କର ମୃତ୍ୟୁ ବି ହୋଇଗଲାଣି।

କରୋନା ମହାମାରୀ ପାଇଁ ଲକଡାଉନରେ ଘରେ ବସିଛନ୍ତି ବିଚରା ଗରିବ ଓ ଅସହାୟ। ସରକାରୀ ସାହାଯ୍ୟ ହିଁ ଏକମାତ୍ର ସାହାରା। କିନ୍ତୁ ଏ ସମୟରେ ବି ସରକାରୀ ଯୋଜନାକୁ ଖାଇଯାଉଛନ୍ତି ସରକାରୀ ବାବୁ। ଭତ୍ତା ମାଗିଲେ ଇଓ ଓ ଜିଆରଏସ ଗାଳିଗୁଲଜ କରୁଥିବା ବୁଢ଼ାବୁଢ଼ି ଅଭିଯୋଗ କରିଛନ୍ତି। ଏପରିକି ପଞ୍ଚାୟତର ଇଓ ଓ ଜିଆରଏସଙ୍କ ଦବଙ୍ଗଗିରୀରେ ତ୍ରାହି ତ୍ରାହି ନିର୍ବାଚିତ ପ୍ରତିନିଧି। ଏବେ ପୂରା ପଞ୍ଚାୟତ ଘଟଣାର ତଦନ୍ତ ହେବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଏବେ ଜାନୁୟାରୀ ମାସର ଭତ୍ତା ବଣ୍ଟନର ଦଲିଲ ଦସ୍ତାବିଜ ଗଣମାଧ୍ୟମ ହାତରେ ଲାଗିଛି। ଏହି ଡକ୍ୟୁମେଣ୍ଟ ହିଁ ପୂରା ଦୁର୍ନୀତିର ଖୁଲାସା କରିଛି। ଜାନୁୟାରୀ ମାସରେ ଭତ୍ତା ଟଙ୍କା ବଣ୍ଟନ ବାବଦକୁ ସଦେଇପାଲି ପଞ୍ଚାୟତକୁ ୨ ଲକ୍ଷ ୭୨ ହଜାର ୯ ଶହ ଟଙ୍କା ଆସିଥିଲା। ସେଥିରୁ ୨ ଲକ୍ଷ ୪୨ ହଜାର ୯ ଶହ ଟଙ୍କା ବଣ୍ଟାଯାଇଥିବା ଉଲ୍ଲେଖ କରାଯାଇଛି। ଆଉ ବାକି ୩୦ ହଜାର ଟଙ୍କା ବାକି ରହିଛି। ପ୍ରତ୍ୟେକ ମାସରେ ପଞ୍ଚାୟତର ଇଓଙ୍କୁ ଟଙ୍କା ବଣ୍ଟନର ଦାୟିତ୍ୱ ଦିଆଯାଉଥିବା ବେଳେ ଜାନୁୟାରୀ ମାସରେ ଜିଆରଏସ ରାଜେଶ ହରପାଲଙ୍କୁ ଟଙ୍କା ବଣ୍ଟନର ଦାୟିତ୍ୱ ଦିଆଯାଇଥିଲା।

ଜିଆରଏସଙ୍କ କହିବା ଅନୁସାରେ, କିଛି ଲୋକ ଅନୁପସ୍ଥିତ ଥିବାରୁ ୩୦ ହଜାର ଟଙ୍କା ବକେୟା ରହିଯାଇଛି। ହେଲେ ନିୟମ ଅନୁସାରେ ବକେୟା ଭତ୍ତା ଟଙ୍କା ତୁରନ୍ତ ବିଡିଓଙ୍କ ଆକାଉଣ୍ଟରେ ଡିପୋଜିଟ କରିଦେବା କଥା, କିନ୍ତୁ ପାଞ୍ଚମାସ ପରେ ବି ସରକାରୀ ଖାତାକୁ ଫେରିପାରିନି ଟଙ୍କା। କାରଣ ବିପତ୍ତି ସମୟରେ ସଂପତ୍ତି ଠୁଳ ପାଇଁ ମସଗୁଲ ଇଓ ଓ ଜିଆରଏସ ଟଙ୍କା ହଡପ ଘଟଣା ଜଣାପଡିବା ପରେ ଏବେ ହରଡଘଣାରେ ପଞ୍ଚାୟତର ଇଓ ଓ ଜିଆରଏସ। ହେଲେ ଲକଡାଉନ ବାହାନାରେ ଇଓ ମୁହଁ ଲୁଚାଉଥିବା ବେଳେ ଜିଆରଏସ ବିଭିନ୍ନ ବାହାନା ଦେଖାଉଛନ୍ତି। ତଥାପି ଭୁଲ ମାନିଛନ୍ତି ଏବଂ ନିଜ ପାଖରେ ଟଙ୍କା ରଖିବା ଭୁଲ ବୋଲି ନିଜ ମୁହଁରେ ସ୍ୱୀକାର କରିଛନ୍ତି ଜିଆରଏସ। ଅବଶ୍ୟ ଘଟଣା ଜାଣିଲା ପରେ ଏହାର ତଦନ୍ତ କରି କାର୍ଯାନୁଷ୍ଠାନ ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

The post ବ୍ୟାରିକେଡ୍ ବାନ୍ଧି ବାଉଁଶ ଖାଇଥିଲେ, ଏବେ ବୁଢ଼ାବୁଢ଼ିଙ୍କ ଟଙ୍କା ଖାଇଗଲେ! appeared first on Odisha Reporter.



from Odisha Reporter https://ift.tt/3fZflxK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages