ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ଓ ଅନ୍ୟତମ ସର୍ବବୃହତ ଫାର୍ମା କଂପାନୀ ଡକ୍ଟର ରେଡିସ୍ର ମିଳିତ ସହଯୋଗରେ ପ୍ରସ୍ତୁତ କରୋନା ଔଷଧ ଟୁ-ଡିଜି (2DG)ର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି।
ଗୋଟିଏ ସକେଟ୍ ଟୁ-ଡିଜି ଔଷଧର ଦାମ୍ ୯୯୦ ଟଙ୍କା ରଖିଛି ଡକ୍ଟର ରେଡିସ୍ କଂପାନୀ। ତେବେ ସରକାରୀ ହସ୍ପିଟାଲ ଦ୍ୱାରା ଏହି ଔଷଧକୁ ରିହାତିରେ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।
ମେ’ ୨୧ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡର ହର୍ଷବର୍ଦ୍ଧନ ଏହି ଔଷଧର ଶୁଭାରମ୍ଭ କରିଥିଲେ। କରୋନା ବିରୋଧରେ ଏହି ଔଷଧ ଭଲ କାମ କରୁଥିବା ବେଳେ ଶରୀର ପ୍ରତି ସଂପୂର୍ଣ୍ଣ ନିରାପଦ ବୋଲି ପ୍ରମାଣିତ ମଧ୍ୟ ହୋଇଛି।
ତିନି ପର୍ଯ୍ୟାୟ ଟ୍ରାଏଲ ରିପୋର୍ଟକୁ ଅନୁଧ୍ୟାନ କଲା ପରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI) ଏହି ଔଷଧର ବ୍ୟବହାର ଲାଗି ଅନୁମତି ଦେଇଛନ୍ତି।
ହାଇଦ୍ରାବାଦର ଡକ୍ଟର ରେଡିସ୍ ଲାବୋରେଟୋରୀ ସହାୟତାରେ ଡିଆରଡିଓ ୨୦୨୦ ମେ’ରୁ ଅକ୍ଟୋବର ଯାଏ ଏହି ଔଷଧର ମାନବ ପରୀକ୍ଷଣ କରିଥିଲା। ଔଷଧ ମଣିଷ ଶରୀର ପ୍ରତି ସଂପୂର୍ଣ୍ଣ ନିରାପଦ ହୋଇଥିବା ବେଳେ ଭୂତାଣୁ ବିରୋଧରେ ମଧ୍ୟ ଭଲ କାମ କରୁଥିବା ନଜରକୁ ଆସିଥିଲା। ଦେଶର ୧୧ଟି ହସପିଟାଲରେ ଏହି ପରୀକ୍ଷଣ କରାଯାଇଥିଲା। ଦେଶର ବିଭିନ୍ନ ହସପିଟାଲରେ ୨୨୦ କରୋନା ଆକ୍ରାନ୍ତଙ୍କ ଉପରେ ହୋଇଥିବା ତୃତୀୟ ପର୍ଯ୍ୟାୟ ପରୀକ୍ଷଣରୁ ସନ୍ତୋଷଜନକ ପରିଣାମ ମିଳିଥିଲା। ଏହା ପରେ ଗତ ୧ ତାରିଖରେ ଏହି ଔଷଧର ବ୍ୟବହାର ଲାଗି DCGI ଅନୁମତି ଦେଇଥିଲେ।
The post କରୋନା ଔଷଧ ‘ଟୁ-ଡିଜି’ର ମୂଲ୍ୟ ନିର୍ଦ୍ଧାରଣ କଲା କଂପାନୀ appeared first on Odisha Reporter.
from Odisha Reporter https://ift.tt/3c14vpN
No comments:
Post a Comment