ତିରୁପତି: ମହମାରୀ କରୋନା ସଂକ୍ରମଣ ଭିତରେ ପୁଣି ଅକ୍ସିଜେନ ସଙ୍କଟର ଦାରୁଣ ଚିତ୍ର ସାମ୍ନାକୁ ଆସିଛି। ଅକ୍ସିଜେନ ସପ୍ଲାଏ ଠିକ୍ ଭାବେ ହୋଇ ନ ପାରିବାରୁ ଆନ୍ଧ୍ର ପ୍ରଦେଶର ତିରୁପତିରେ ଥିବା ଶ୍ରୀ ଭେଙ୍କଟେଶ୍ୱର ରାମନାରାୟଣ ରୁଇଆ ସରକାରୀ ଜେନେନାଲ ହସ୍ପିଟାଲରେ ୧୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହି ସମସ୍ତ ରୋଗୀ ଆଇସିୟୁରେ ଅକ୍ସିଜେନ ସହାୟତାରେ ରହିଥିଲେ। କିନ୍ତୁ ଅକ୍ସିଜେନ୍ ସପ୍ଲାଏରେ ବିଭ୍ରାଟ ଉପୁଜିବାରୁ ଏମାନଙ୍କର ମୃତ୍ୟୁ ଘଟିଛି।
ଜିଲ୍ଲାପାଳ ଏମ ହରି ନାରାୟଣ କହିଛନ୍ତି, ଅକ୍ସିଜେନ ସହାୟତାରେ ଥିବା ୧୧ ଜଣଙ୍କ ଜୀବନ ଯାଇଥିଲେ ହେଁ ଅନେକଙ୍କୁ ମୃତ୍ୟୁମୁଖରୁ ରକ୍ଷା କରାଯାଇ ପାରିଛି। ତିରୁପତି, ଚିତ୍ତୋର, ନେଲୋର ଓ କଡ଼ପାର ପ୍ରାୟ ହଜାରେ କରୋନା ରୋଗୀ ଏହି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସୋମବାର ସନ୍ଧ୍ୟା ୮.୩୦ ପରେ ଅକ୍ସିଜେନ ସପ୍ଲାଏର ପ୍ରେସର ହ୍ରାସ ପାଇବା ଆରମ୍ଭ କରିଥିଲା। ଅକ୍ସିଜେନ ସପ୍ଲାଏକୁ ଠିକ୍ କରିବାକୁ ୫ ମିନିଟ୍ ସମୟ ଲାଗିଥିଲା। ତଥାପି ଏହି ସମୟ ଭିତରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଶୀଘ୍ର ପ୍ଲାଣ୍ଟକୁ ଠିକ୍ କରାଯିବାରୁ ବହୁ ରୋଗୀଙ୍କ ଜୀବନ ବଞ୍ଚି ଯାଇଛି।
ଆଇସିୟୁ ଓ ଅକ୍ସିଜେନ ବେଡ୍ରେ ପ୍ରାୟ ୭୦୦ ରୋଗୀ ଥିବା ବେଳେ ସାଧାରଣ ୱାର୍ଡରେ ୩୦୦ କରୋନା ରୋଗୀ ରହିଛନ୍ତି। ହସ୍ପିଟାଲରେ ଅକ୍ସିଜେନର ଅଭାବ ନାହିଁ। କେବଳ ସପ୍ଲାଏ ପ୍ରେସର ହ୍ରାସ ପାଇଥିଲା ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଘଟଣାକୁ ନେଇ ରୋଗୀଙ୍କ ସମ୍ପର୍କୀୟମାନେ ଆଇସିୟୁରେ ପଶି ପ୍ରବଳ ଭଙ୍ଗାରୁଜା କରିଛନ୍ତି। ସ୍ଥିତି ଅଣାୟାତ୍ତ ହେବାରୁ ଡାକ୍ତର ଓ ନର୍ସମାନେ ଆଇସିୟୁରୁ ଚାଲି ଯାଇଥିଲେ। ପୁଲିସ୍ ହସ୍ପିଟାଲକୁ ଆସିବା ପରେ ସେମାନେ ପୁଣି ନିଜ ନିଜର କାମ ଆରମ୍ଭ କରିଥିଲେ।
ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି। ଏଥିସହ ସେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
The post ଅକ୍ସିଜେନ ଅଭାବରୁ ଆଇସିୟୁରେ ଚାଲିଗଲା ୧୧ ରୋଗୀଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/33zAxos
No comments:
Post a Comment