ନୂଆଦିଲ୍ଲୀ: ‘ୟାସ୍’କୁ ଅତି ଭୀଷଣ ବାତ୍ୟା ଶ୍ରେଣୀରେ ରଖିଲା ଭାରତୀୟ ପାଣିପାଗ ବିଭାଗ। ବାତ୍ୟା ‘ୟାସ୍’ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ମେ’ ୨୬ ସନ୍ଧ୍ୟାରେ ଏହି ବାତ୍ୟା ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳ ଦେଇ ଯିବ। ଏହି ସମୟରେ ୧୫୫-୧୬୫ କିଲୋମିଟର ବେଗରେ ପବନ ବହିବ। ସର୍ବାଧିକ ବେଗ ୧୮୫ କିଲୋମିଟର ରହିବ ବୋଲି ସମ୍ଭାବନା ରହିଛି।
ଏହାର ପ୍ରଭାବରେ ପଶ୍ଚିମବଙ୍ଗ ଏବଂ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡି ଦୁଇ ରାଜ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଝଡ଼ ସୃଷ୍ଟି ହେବାର ମଧ୍ୟ ଚେତାବନୀ ଦେଇଛି। ଉଦ୍ଧାର କାର୍ଯ୍ୟ ପାଇଁ ମୋଟ ୭୫ ଟି ଟିମକୁ ଏନଡିଆରଏଫ ନିୟୋଜିତ କରିବ ବୋଲି କହିଛି।
୭୫ ଟିମ ମଧ୍ୟରୁ ୫୯ ଟି ଘଟଣାସ୍ଥଳରେ ନିୟୋଜିତ ହେବ ଏବଂ ୧୬ ଟି ଷ୍ଟାଣ୍ଡ ବାଇରେ ରଖାଯିବ ବୋଲି ଏନଡିଆରଏଫର ମହାନିର୍ଦ୍ଦେଶକ ସତ୍ୟ ନାରାୟଣ ପ୍ରଧାନ କହିଛନ୍ତି। ଓଡିଶାରେ ଏନଡିଆରଏଫ ୧୮ ଟି ଟିମ୍ ନିୟୋଜିତ ହୋଇଛନ୍ତି।
ବାଲେଶ୍ୱରରେ ୭ଟି, ଭଦ୍ରକରେ ୪ ଟି, କେନ୍ଦ୍ରାପଡା ୩ଟି, ଯାଜପୁରରେ ୨ଟି, ଜଗତସିଂହପୁର ଏବଂ ମୟୂରଭଞ୍ଜରେ ଗୋଟିଏ ଲେଖାଏଁ ଟିମ୍ ନିୟୋଜିତ ହୋଇଛନ୍ତି। ଏଏନଆଇର ରିପୋର୍ଟ ଅନୁଯାୟୀ ଚାରିଟି ଟିମକୁ ରିଜର୍ଭ ଭାବରେ ରଖାଯାଇଛି।
ସେହିପରି ପଶ୍ଚିମବଙ୍ଗର ୧୧ଟି ଜିଲ୍ଲାରେ ଏନଡିଆରଏଫ ଟିମ୍ ନିୟୋଜିତ ହୋଇଛନ୍ତି। ପଶ୍ଚିମବଙ୍ଗ ଏବଂ ଓଡିଶାର ମତ୍ସ୍ୟଜୀବୀଙ୍କୁ ମେ’ ୨୩ ସନ୍ଧ୍ୟା ଠାରୁ ସମୁଦ୍ର ଭିତରକୁ ନଯିବା ପାଇଁ କୁହାଯାଇଛି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ଏହି ବୈଠକରେ ରାଜ୍ୟ ତଥା କେନ୍ଦ୍ର ସରକାରର ଅନେକ ଅଧିକାରୀ ଉପସ୍ଥିତ ଥିଲେ। ବିପଦପୂର୍ଣ୍ଣ ଏରିଆରେ ଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ବିଦ୍ୟୁତ୍ ସରବରାହ, ଟେଲିଫୋନ୍ ନେଟୱର୍କ ବ୍ୟାହତ ହେଲେ କମ୍ ସମୟରେ ସଜାଡିବାକୁ ପ୍ରଧାନମନ୍ତ୍ରୀ ମୋଦି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ରିଲିଫ, ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ନୌସେନା ଜାହାଜ ଏବଂ ହେଲିକପ୍ଟରକୁ ଆଲର୍ଟ ରଖାଯାଇଛି।ଗୃହ ମନ୍ତ୍ରଣାଳୟ ମଧ୍ୟ ପରିସ୍ଥିତିର ସମୀକ୍ଷା କରୁଛି।
The post ‘ୟାସ୍’ ଅତି ଭୀଷଣ ବାତ୍ୟା : ଆଇଏମଡି appeared first on Odisha Reporter.
from Odisha Reporter https://ift.tt/3udL8An
No comments:
Post a Comment