ବେଙ୍ଗାଲୁରୁ: ମହାମାରୀ କରୋନାର ତୃତୀୟ ୱେଭ ଆସିବ ବୋଲି ଚାରିଆଡ଼େ ଚର୍ଚ୍ଚା। କିଛି ରାଜ୍ୟ ଏବେଠାରୁ ଏହାର ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସେହିପରି ସମ୍ଭାବ୍ୟ ତୃତୀୟ ୱେଭ ଛୋଟ ପିଲାମାନଙ୍କୁ ଅଧିକ ସଂକ୍ରମିତ କରିବ ବୋଲି ଆଶଙ୍କା କରାଯାଉଛି।
ଏସବୁ ଭିତରେ କର୍ଣ୍ଣାଟକା ସରକାର ୩ୟ ୱେଭକୁ ଦୃଷ୍ଟିରେ ରଖି ଗଠନ କରିଥିବା ବିଶେଷଜ୍ଞ କମିଟି ବଡ଼ ବୟାନ ଦେଇଛି। ହୃଦରୋଗ ସର୍ଜନ ଡା ଦେବୀ ସେଟ୍ଟୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ରାଜ୍ୟ ସରକାରଙ୍କୁ ସମସ୍ତ ସ୍କୁଲ ପୁଣି ଖୋଲିବାକୁ ପରାମର୍ଶ ଦେଇଛି। କିନ୍ତୁ ସ୍କୁଲରେ କ୍ଲାସ କରିବାକୁ ଆସୁଥିବା ପିଲାଙ୍କ ନାଁରେ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା କରିବାକୁ କମିଟି କହିଛି।
ଶନିବାର ତୃତୀୟ ୱେଭକୁ ରୋକିବା ଓ ଏହାର ମୁକାବିଲା କରିବା ପାଇଁ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଶନିବାର ତା’ର ଅନ୍ତରୀଣ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଛି। ଏଥିରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ଆବଶ୍ୟକତା ଓ ବିଭିନ୍ନ ଦିଗ ଉପରେ ତଥ୍ୟ ଉଲ୍ଲେଖ କରାଯାଇଛି।
କମିଟି କହିଛି ଯେ ଆମେ ସ୍କୁଲ ଆସୁଥିବା ପିଲାମାନଙ୍କ ପାଇଁ ସରକାର ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା କରିବାକୁ ପରାମର୍ଶ ଦେଉଛୁ। ଏହା ଜୀବନ ବୀମା ନୁହେଁ। ଏକାଧିକ ଦେଶରେ ଏଭଳି ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ସ୍କୁଲ ଛାଡ଼ିବାକୁ ଅଧିକ ବିଶ୍ୱାସ ଜୁଟାଇ ପାରିବେ।
ସ୍କୁଲ ଗୁଡ଼ିକ ସଂକ୍ରମଣର କେନ୍ଦ୍ର ପାଲିଟିଛି ବୋଲି ଏଯାଏ ବିଶ୍ୱର କୌଣସି ସ୍ଥାନରେ ପ୍ରମାଣ ମିଳିନି। ସ୍କୁଲରେ ସ୍ଥିତି ସ୍ୱାଭାବିକ କରିବା ନିହାତି ଜରୁରୀ। କମିଟି ପକ୍ଷରୁ ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ତୁରନ୍ତ ଖୋଲିବା ଦରକାର ବୋଲି କୁହାଯାଇଛି। ପ୍ରଥମେ ବଡ଼ ପିଲାଙ୍କ କ୍ଲାସ ଆରମ୍ଭ କରାଯାଉ। ଯେଉଁମାନେ ବିଭିନ୍ନ ରୋଗରେ ପୀଡ଼ିତ ସେମାନେ ସ୍କୁଲ ଆସିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ସ୍କୁଲ ଗୁଡ଼ିକ ପର୍ଯ୍ୟାପ୍ତ ସଂଖ୍ୟାରେ ଷ୍ଟାଫ ସହ ଜଣେ କାଉସିଲିର ଓ ମେଡିକାଲ ନର୍ସ ନିଯୁକ୍ତ କରନ୍ତୁ। ଯେଉଁ ସ୍କୁଲ କର୍ମଚାରୀଙ୍କ ବୟସ ୬୦ରୁ ଅଧିକ ଓ ଯେଉଁମାନେ ବହୁବିଧ ରୋଗରେ ପୀଡ଼ିତ ସେମାନେ ଘରୁ କାମ କରିପାରିବେ। ଯଦି ସ୍କୁଲ ଖୋଲିବାରେ ବିଳମ୍ବ ହେଉଛି, ତା’ହେଲେ ସରକାର ପିଲାମାନଙ୍କ ଘରେ ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା କରନ୍ତୁ ବୋଲି କମିଟି ପ୍ରସ୍ତାବ ଦେଇଛି।
The post ସ୍କୁଲ ଖୋଲିବାକୁ ୩ୟ ୱେଭ ପାଇଁ ଗଠିତ ବିଶେଷଜ୍ଞ କମିଟିର ପରାମର୍ଶ, କିନ୍ତୁ.. appeared first on Odisha Reporter.
from Odisha Reporter https://ift.tt/2SG1ntf
No comments:
Post a Comment