ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମିତ ବ୍ୟକ୍ତିଙ୍କ ଶବ ଏଣିକି ସେମାନଙ୍କ ପରିବାର ସଦସ୍ୟଙ୍କୁ ମିଳିପାରିବ। ଯଦି ସମ୍ପୃକ୍ତ ବ୍ୟକ୍ତି ମୃତ୍ୟୁବେଳକୁ କୋଭିଡ୍ ନେଗେଟିଭ୍ ଥିବେ ତେବେ ତାଙ୍କର ଶବକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ। ଏଥିପାଇଁ ଗତକାଲି ରାଜ୍ୟ ସରକାର ସର୍ତ୍ତମୂଳକ ଅନୁମତି ଦେଇଛନ୍ତି।
ସଂକ୍ରମଣ ଆଶଙ୍କା ଓ କୋଭିଡ୍ ଗାଇଡଲାଇନକୁ ଦୃଷ୍ଟିରେ ରଖି ଦୀର୍ଘ ଦେଢ଼ବର୍ଷ ଧରି କୋଭିଡ୍ ସଂକ୍ରମିତ ମୃତ ରୋଗୀଙ୍କ ଶବକୁ ଛୁଇଁବା ଅବା ଅନ୍ତିମ ସଂସ୍କାର କରିବା ପାଇଁ ପରିବାର ସଦସ୍ୟଙ୍କୁ ଅନୁମତି ମିଳୁନଥିଲା।
କୋଭିଡ୍ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କର ମୃତ୍ୟୁ ହେଲେ ସେମାନଙ୍କ ଅନ୍ତିମ ସଂସ୍କାରକୁ ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏନେଇ ସମସ୍ତ ଜିଲ୍ଲାପାଳ, ମହାନଗର କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଟେଣ୍ଡେଣ୍ଟଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି
ଏଥିରେ କୁହାଯାଇଛି, ପ୍ରଚଳିତ ସରକାରୀ ଗାଇଡଲାଇନ୍ ଅନୁସାରେ ଚିକିତ୍ସା ବେଳେ କୋଭିଡ୍-୧୯ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ସହ ବିଚାରବିମର୍ଶ କରି ତଥା କୋଭିଡ୍ ପ୍ରୋଟୋକଲକୁ ପାଳନ କରି ସ୍ଥାନୀୟ ପ୍ରଶାସନ ଦ୍ୱାରା ସମ୍ମାନଜନକ ଭାବେ ସମ୍ପୃକ୍ତ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଉଛି।
ତେବେ ଯଦି ମୃତ୍ୟୁ ବେଳକୁ କୌଣସି ଚିକିତ୍ସାଧୀନ ରୋଗୀ କୋଭିଡ୍ ନେଗେଟିଭ୍ ରହିଥାନ୍ତି ଓ ସମ୍ପୃକ୍ତ ରୋଗୀଙ୍କ ସମ୍ପର୍କୀୟମାନେ ତାଙ୍କ ମୃତଦେହକୁ ନେବାକୁ ଇଚ୍ଛାବ୍ୟକ୍ତ କରିବେ, ତେବେ କେତେକ ସର୍ତ୍ତ ସହ ସେହି ଶବକୁ ସମ୍ପୂର୍ଣ୍ଣ ସିଲ୍ କରି ହସ୍ତାନ୍ତର କରାଯାଇପାରିବ। ଯାହାଫଳରେ ପରିବାର ପକ୍ଷରୁ ପାରମ୍ପରିକ ରୀତିନୀତିରେ ଅନ୍ତିମ ସଂସ୍କାର କରାଯାଇପାରିବ। ଏହି ପରିପ୍ରେକ୍ଷୀରେ ଜିଲ୍ଲା, ମହାନଗର, ହସ୍ପିଟାଲ କର୍ତ୍ତୃପକ୍ଷ ନିଶ୍ଚିତ ଭାବେ କୋଭିଡ ନେଗେଟିଭ ରୋଗୀଙ୍କ ଶବକୁ ସେମାନଙ୍କର ସମ୍ପର୍କୀୟ ଅବା ପରିବାର ସଦସ୍ୟଙ୍କୁ ନିର୍ଦ୍ଧିଷ୍ଟ ୨ଟି ସତ୍ତ ରଖି ହସ୍ତାନ୍ତର କରିବେ।
ପ୍ରଥମତଃ, ଯେଉଁ ପରିବାର ସଦସ୍ୟ ଚାହିଁବେ ସେହିମାନଙ୍କୁ ହିଁ ଏକ ଅଣ୍ଢରଟେକିଂ ରଖି ଶବ ହସ୍ତାନ୍ତର କରାଯିବ। ସେମାନେ ଯେଭଳି ସିଲ୍ ହୋଇଥିବା ଶବ ବ୍ୟାଗକୁ ଖୋଲିବେ ନାହିଁ ଅବା ଶବକୁ ସ୍ପର୍ଶ ଅବା ଚୁମ୍ବନ କରିବେ ନାହିଁ ଏବଂ କୋଭିଡ୍ ଗାଇଡଲାଇନକୁ ପାଳନ କରିବେ ତାହା ସେମାନେ ଲିଖିତ ଭାବେ ଅଣ୍ଡରଟେକିଂରେ ଉଲ୍ଲେଖ କରିବେ।
ସେହିପରି ଦ୍ୱିତୀୟତଃ ଭାରତ ସରକାରଙ୍କ ଗାଇଡଲାଇନ ଅନୁସାରେ ଜିଲ୍ଲା ଅବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ଶବକୁ ନିଶ୍ଚିତ ଭାବେ ସାନିଟାଇଜ୍ ଓ ପ୍ୟାକିଂ କରାଯିବ ବୋଲି ଶ୍ରୀ ମହାପାତ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ କୋଭିଡ୍ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ଶବକୁ ଏବେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଅନ୍ତିମ ସଂସ୍କାର କରାଯାଉଛି। ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଉନଥିବାରୁ ସାଧାରଣ ଲୋକେ ନିଜର ସମ୍ପର୍କୀୟଙ୍କ ଶବକୁ ପାରମ୍ପରିକ ରୀତିନୀତିରେ ଶେଷ ସମ୍ମାନ ଜଣାଇବା ସମ୍ଭବପର ହୋଇପାରୁନି। ଏବେ ସୁଦ୍ଧା ରାଜ୍ୟରେ କୋଭିଡ ସଂକ୍ରମିତ ହୋଇ ୪୦୧୮ ଜଣ ପ୍ରାଣ ହରାଇଛନ୍ତି।
The post ଏଣିକି କୋଭିଡ୍ ନେଗେଟିଭଙ୍କ ମୃତଦେହକୁ ନେଇପାରିବେ ପରିବାର ସଦସ୍ୟ appeared first on Odisha Reporter.
from Odisha Reporter https://ift.tt/3jrX1Rj
No comments:
Post a Comment