ନୂଆଦିଲ୍ଲୀ: ବେଙ୍ଗଲରେ ଘଟିଥିବା ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣିରୁ ଜଣେ ବିଚାରପତି ଓହରି ଯାଇଛନ୍ତି। ଏହି ନିର୍ବାଚନୀ ପରବର୍ତ୍ତୀ ହିଂସାରେ ଏକାଧିକ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଏହାର ଶୁଣାଣି ସୁପ୍ରିମକୋର୍ଟରେ ହେବାର ଥିଲା। ହେଲେ ଶୁକ୍ରବାର ଜଷ୍ଟିସ ଇନ୍ଦିରା ବାନାର୍ଜୀ ନିଜ ଆଡ଼ୁ ଏହି ଆବେଦନର ଶୁଣାଣିରୁ ଓହରି ଯାଇଛନ୍ତି। ସେ କହିଛନ୍ତି, “ମୁଁ ଏହି ଆବେଦନର ଶୁଣାଣି କରିବାକୁ ଚାହୁଁନାହିଁ। ମୋ ପାଖରେ ଏହାକୁ ଉପସ୍ଥାପନ କରନାହିଁ।”
ହିଂସାରେ ପୀଡ଼ିତ ଲୋକଙ୍କ ପରିବାର ବର୍ଗ ଘଟଣାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଏହି ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ ବେଙ୍ଗଲ ସରକାରଙ୍କୁ ଜବାବ ତଲବ କରିଥିଲେ। ତେବେ ବେଙ୍ଗଲ ସରକାର ଏପରି ଆବେଦନ ରାଜନୀତିକ ଦୃଷ୍ଟିକୋଣରୁ କରାଯାଇଥିବା କହିଛନ୍ତି।
ଏଥିସହ ଭୋଟ ପରେ ଘଟୁଥିବା ପ୍ରତିଟି ହିଂସାକୁ କେବେ ହେଲେ ନିର୍ବାଚନ ପରବର୍ତ୍ତୀ ହିଂସା ଭାବେ ନାମିତ କରାଯିବା କଥା ନୁହେଁ ବୋଲି କହିଛନ୍ତି। ଗତ ମାସରେ ମମତା ବାନାର୍ଜୀ ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ତଥାକଥିତ ୨ ଜଣ ବିଜେପି କର୍ମୀଙ୍କ ହତ୍ୟା ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି।
ସୁପ୍ରିମକୋର୍ଟ ଏହାର ଶୁଣାଣି କରିବାକୁ ଥିବା ବେଳେ ଜଷ୍ଟିସ ବାନାର୍ଜୀ ଉକ୍ତ ଖଣ୍ଡପୀଠରୁ ଓହରି ଯାଇଛନ୍ତି। ତେଣୁ ଏବେ ଆଉ ଏକ ଖଣ୍ଡପୀଠକୁ ମାମଲାର ଶୁଣାଣି ପାଇଁ ଲିଷ୍ଟିଂ କରାଯିବ। ତେବେ ସେ କାହିଁକି ଶୁଣାଣିରୁ ଓହରିଲେ, ତାହା ଜଣାପଡ଼ିନି।
ହିଂସା ବେଳେ ଦୁଇ ଜଣ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ସେମାନେ ଘଟଣାର ତଦନ୍ତ ସ୍ୱତନ୍ତ୍ର ଟିମ କିମ୍ବା ସିବିଆଇ ଦ୍ୱାରା କରିବାକୁ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
The post ବେଙ୍ଗଲରେ ନିର୍ବାଚନୀ ହିଂସା ମାମଲା: ଶୁଣାଣିରୁ ଓହରିଲେ ବିଚାରପତି appeared first on Odisha Reporter.
from Odisha Reporter https://ift.tt/2SKaQj6
No comments:
Post a Comment