ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲାଙ୍ଗୀରରେ ବନ୍ଧୁକଧାରୀ ଯୁବକଙ୍କ ଆତଙ୍କରାଜ। ଟାଉନ ଥାନା ଅନ୍ତର୍ଗତ ଶାନ୍ତିପଡ଼ାରେ ଜଣେ ବନ୍ଧୁକଧାରୀ ଗୋଟିଏ ଘରେ ପଶି ପରିବାର ଲୋକଙ୍କୁ ବନ୍ଧକ ରଖିଥିବା ବେଳେ ଅପରେସନ୍ ଆରମ୍ଭ କରି ସେମାନଙ୍କୁ ସୁରକ୍ଷିତ ଭାବେ ସେଠାରୁ ବାହାର କରିବାରେ ସଫଳ ହୋଇଛି ପୁଲିସ୍।
ଘର ଭିତରୁ ଦୁଇ ଜଣ ପୁରୁଷ ଓ ଜଣେ ମହିଳାଙ୍କ ସମେତ ମୋଟ ତିନି ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ତେବେ ଖବର ଲେଖାଯିବା ସୁଦ୍ଧା ବନ୍ଧୁକଧାରୀ ଯୁବକଙ୍କୁ ଧରିବାରେ ସଫଳ ହୋଇନି ପୁଲିସ୍। ସେ ଏବେ ବି ଉକ୍ତ ଘର ଭିତରେ ଅଛି ଓ ତା’ ପାଖକୁ କେହି ଗଲେ ନିଜକୁ ନିଜେ ଗୁଳି କରି ଦେବ ବୋଲି ଧମକ ଦେଉଥିବା ଜଣାପଡ଼ିଛି।
ବନ୍ଧୁକଧାରୀ ଯୁବକ ଆଜି ସକାଳେ ଶାନ୍ତିପଡ଼ାରେ ରହୁଥିବା ମଦନ ମୋହନ ହୋତାଙ୍କ ଘରେ ପଶିଯାଇଥିଲା। ସେତେବେଳେ ଘରେ ୩ ଜଣ ସଦସ୍ୟ ଥିଲେ। ସେମାନେ ଗୋଟିଏ ରୁମ୍ରେ ନିଜକୁ ବନ୍ଦ କରି ଦେଇଥିବା ବେଳେ ବନ୍ଧୁକଧାରୀ ଘର ଭିତରେ ବସିରହିଥିଲେ। ପୁଲିସ୍ ଫୋନ୍ ଯୋଗେ ଉକ୍ତ ଯୁବକଙ୍କ ସହିତ ଆଲୋଚନା କରିଥିଲା। କିନ୍ତୁ ତାକୁ ବୁଝାଇବାରେ ପୁଲିସ୍ ବିଫଳ ହୋଇଥିଲା। ଏହା ପରେ ତାଙ୍କ ମା’ଙ୍କୁ ଘର ଭିତରକୁ ପଠାଯାଇଥିଲା। କିନ୍ତୁ ବିଶେଷ କିଛି ଫରକ ପଡ଼ି ନଥିଲା। ଯୁବକ ଜଣଙ୍କ କାହା କଥା ଶୁଣି ନଥିଲେ।
ଏହା ପରେ ପୁଲିସ୍ ପକ୍ଷରୁ ଆରମ୍ଭ କରାଯାଇଥିଲା ଅପରେସନ୍। ନିଜେ ଏସ୍ଡିପିଓ ସିଡି ସାହାଯ୍ୟରେ ଝରକା ଦେଇ ଘର ଭିତରେ ପଶିଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ବି ଘରେ ଭିତରେ ପଶିଥିଲେ ଓ ଘରେ ଥିବା ତିନି ସଦସ୍ୟଙ୍କୁ ଉଦ୍ଧାର କରିଥିଲେ।
ଏସ୍ଡିପିଓ ଘର ଭିତରେ ଥିବା ବେଳେ ଅନ୍ୟ ପୁଲିସ୍ କର୍ମଚାରୀ ଘରଟିକୁ ଚାରିପାଖରୁ ଘେରି ରହିଛନ୍ତି ଏବଂ ବନ୍ଧୁକଧାରୀ ଯୁବକଙ୍କୁ ଧରିବାକୁ ଅପରେସନ୍ ଜାରି ରହିଛି।
The post ବଲାଙ୍ଗୀରରେ ବନ୍ଧୁକଧାରୀଙ୍କ ଆତଙ୍କ, ୩ ବନ୍ଧକ ଉଦ୍ଧାର appeared first on Odisha Reporter.
from Odisha Reporter https://ift.tt/3iI2eUQ
No comments:
Post a Comment