ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):୧୩ ମାସ ଭିତରେ ପେଟ୍ରୋଲ ଦର ୨୫ ଟଙ୍କା ୭୨ ପଇସା ଓ ଡିଜେଲ ଦର ୨୩ ଟଙ୍କା ୯୩ ପଇସା ବଢ଼ିଛି l ଗତ ୫ ମାସରେ ୪୩ ଥର ତୈଳ ଦର ବଢ଼ିଛି। ଏମିତିକି ଦେଶର କେତେକ ସ୍ଥାନରେ ପେଟ୍ରୋଲ ଦର ଲିଟର ପ୍ରତି ଶହେ ଟଙ୍କା ଟପି ଗଲାଣି। ଏମିତି ସବୁ ଅଭିଯୋଗ ଆଣି ଆଜି ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ। ଏଆଇସିସିର ଆହ୍ୱାନ କ୍ରମେ ସାରା ଦେଶରେ ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ଦଳୀୟ କର୍ମୀମାନେ ଧାରଣା ଦେଇଥିବା ବେଳେ ରାଜ୍ୟ କଂଗ୍ରେସ ବି ଏଥିରେ ସାମିଲ ହୋଇଛି। ଟ୍ୟାକ୍ସ ପ୍ରତ୍ୟାହାର କରି ତୈଳ ଦର କମ୍ କରିବାକୁ ଦଳ ଦାବି କରିଛି।
ଦଳ ଅଭିଯୋଗ କରିଛି ଯେ, କରୋନା ମାଡ଼ରେ ଲୋକଙ୍କ ଜୀବନହାନୀ ହେଉଥିବା ବେଳେ ଲକ୍ଡାଉନ୍ ଓ ଶଟ୍ଡାଉନ୍ ଯୋଗୁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଗଲାଣି l ଏପରି ସମୟରେ ଲୋକଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବା ବଦଳରେ ବେଡି ଉପରେ କୋରଡ଼ା ମାଡ଼ କରି ଚାଲିଛନ୍ତି କେନ୍ଦ୍ର ସରକାର l ଲଗାତର ଭାବେ ପେଟ୍ରୋଲ ଡିଜେଲ ଦାମ୍ ବୃଦ୍ଧି ଯୋଗୁ ଅନ୍ୟ ସାମଗ୍ରୀର ଦରଦାମ ଵି ଆକାଶଛୁଆଁ ହେଲାଣି l
ଭୁବନେଶ୍ୱରରେ ଦଳୀୟ ନେତା ଓ କର୍ମୀଙ୍କ ସହ ଏକ ପେଟ୍ରୋଲ୍ ପମ୍ପରେ ଧାରଣାରେ ବସିଥିବା ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି କହିଛନ୍ତି, କେନ୍ଦ୍ର ସରକାର ଅତି ନିଷ୍ଠୁର ହୋଇଯାଇଛି। ନିଜ ପ୍ରତିଶ୍ରୁତି ପାଳନ କରୁନି। ପେଟ୍ରୋଲ୍ ଓ ଡିଜେଲ ଦରରେ ନିୟନ୍ତ୍ରଣ ଆଣିବା ପାଇଁ ଯେଉଁ ପ୍ରତିଶ୍ରୁତି ନିର୍ବାଚନ ବେଳେ ଦେଇଥିଲା, ତାହା ସଂପୂର୍ଣ୍ଣ ମିଥ୍ୟା ଥିଲା। ତୈଳ ଦର ୧୦୦ ଟଙ୍କା ପାର ହୋଇଗଲାଣି। ଏହା କେତେ ବାଧୁଛି, ତାହା କେବଳ ଗ୍ରାହକମାନେ ଜାଣିଛନ୍ତି। ସରକାର ପେଟ୍ରୋଲ୍ ଓ ଡିଜେଲ ଉପରେ ଯେଉଁ ୨୬୦% ଟିକସ ନେଉଛନ୍ତି, ତାକୁ ତୁରନ୍ତ ପ୍ରତ୍ୟାହାର କରି ନିଅନ୍ତୁ। ନ ହେଲେ ଲକ୍ଡାଉନ୍ ପରେ କଂଗ୍ରେସ ଦଳ ଏହାର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇବ।
ଅନ୍ୟପକ୍ଷରେ ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ଯେ ଯେତେବେଳେ କରୋନା ମହାମାରୀ ବିରୋଧରେ ଏ ଜାତି ଲଢ଼େଇ କରୁଛି ସେତେବେଳେ ଏଭଳି ବିଭ୍ରାନ୍ତିକର ରାଜନୈତିକ କାର୍ଯ୍ୟକ୍ରମ ସେମାନେ ହାତକୁ ନନିଅନ୍ତୁ। ପେଟ୍ରୋଲ୍ ଓ ଡିଜେଲ ଉପରେ ରାଜ୍ୟମାନେ ମଧ୍ୟ ଭାଟ୍ ଆଦାୟ କରନ୍ତି। କଂଗ୍ରେସ ଦୟା କରି ଓଡ଼ିଶାର ଜନସାଧାରଣ ମାନଙ୍କୁ କହୁ ଯେ ରାଜସ୍ଥାନ, ମହାରାଷ୍ଟ ଓ ପଞ୍ଜାବ ଭଳି ଯେଉଁ ରାଜ୍ୟରେ ସେମାନେ କ୍ଷମତାରେ ଅଛନ୍ତି ବା କ୍ଷମତାର ଅଂଶୀଦାର ଅଛନ୍ତି, ସେଠାରେ ଭାଟ୍ ହଟାଇ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ପେଟ୍ରୋଲ୍ ଓ ଡିଜେଲ୍ ଯୋଗାଇ ଦେଇଛନ୍ତି କି?
The post ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା appeared first on Odisha Reporter.
from Odisha Reporter https://ift.tt/3vg4IMJ
No comments:
Post a Comment