ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଯଦିଓ ଏବେ ଟିକିଏ ଧିମା ପଡ଼ିଛି ହେଲେ ଟିକାକରଣରେ କୌଣସି ଅଗ୍ରଗତି ହୋଇନି। ପୂର୍ବ ଭଳି ଧିମେଇ ଧିମେଇ ଚାଲିଛି। ଅନେକ ରାଜ୍ୟରେ ଟିକା କେନ୍ଦ୍ର ମଧ୍ୟ ଖାଲି ରହିଛି। ଦେଶର ଯୋଗ୍ୟ ବ୍ୟକ୍ତିକୁ କିନ୍ତୁ ବର୍ଷ ଶେଷ ସୁଦ୍ଧା ଟିକାକରଣ କରାଯିବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଛନ୍ତି। ଏହାରି ଭିତରେ କେନ୍ଦ୍ର ସରକାର ୩୦ କୋଟି ଟିକା ପାଇଁ ଅର୍ଡର କରିଛନ୍ତି।
ହାଇଦ୍ରାବାଦ ସ୍ଥିତ ମେସର୍ସ ବାୟୋଲଜିକାଲ-ଇ ଟିକା କମ୍ପାନୀ ପାଖରୁ ୩୦ କୋଟି ଟିକା କିଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଗୁରୁବାର କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଘୋଷଣା କରିଛି। ଏଥିପାଇଁ କେନ୍ଦ୍ର ଟିକା କମ୍ପାନୀକୁ ୧୫୦୦ କୋଟି ଟଙ୍କା ଦେଇଛି।
ମନ୍ତ୍ରାଳୟ କହିଛି, ଏହି ଟିକା ଚଳିତ ବର୍ଷ ଅଗଷ୍ଟ-ଡିସେମ୍ୱର ସୁଦ୍ଧା ଆସିଯିବ ବୋଲି ଆଶା ରହିଛି। ଏହି ଟିକା କିନ୍ତୁ ଏବେ କ୍ଲିନିକାଲ ଟ୍ରାଏଲରେ ରହିଛି। ପ୍ରଥମ ଓ ଦ୍ୱିତୀୟ ଟ୍ରାଏଲ ସଫଳ ହୋଇଥିବାକୁ ତୃତୀୟ ଟ୍ରାଏଲ ମଧ୍ୟ ସଫଳ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଶାବାଦୀ ରହିଛି। ଏହି ଟିକା ଆରବିଡି ପ୍ରୋଟିନ ସବ ୟୁନିଟ ପ୍ରକାରର।
ଏହି ଟିକାର ସଫଳ ଟ୍ରାଏଲ ହେଲେ ଭାରତର ଏହା ଦ୍ୱିତୀୟ ସ୍ୱଦେଶୀ ଟିକା ହେବ। ପୂର୍ବରୁ କରୋନା ବିରୋଧରେ ପ୍ରଥମ ସ୍ୱଦେଶୀ ଟିକା ଭାବରେ ଭାରତ ବାୟୋଟେକର କୋଭାକ୍ସିନ ମାନ୍ୟତା ପାଇସାରିଛି। ଟିକା ଉତ୍ପାଦନ ପାଇଁ କେନ୍ଦ୍ର ସରକାର ୧୦୦ କୋଟି ଟଙ୍କାର ସହାୟତା ଦେଇଛି।
ସୂଚନାଯୋଗ୍ୟ, ଗତକାଲି ଟିକା ନୀତି ନେଇ କେନ୍ଦ୍ର ସରକାର ଉପରେ ସୁପ୍ରିମକୋର୍ଟ ବର୍ଷିଥିଲେ। ଏମିତିକି ଟିକା ନୀତିର ସମୀକ୍ଷା ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କେନ୍ଦ୍ରକୁ ଟିକା ନୀତି ବାବଦରେ ବିସ୍ତୁତ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି। ସେହିପରି ଟିକା ପାଇଁ ସରକାର ଯେଉଁ ୩୫ ହଜାର କୋଟିର ବ୍ୟବସ୍ଥା କରିଛନ୍ତି ତାର ହିସାବ ମଧ୍ୟ ଦେବାକୁ କହିଛନ୍ତି ସର୍ବୋଚ୍ଚ କୋର୍ଟ।
ଜୁଲାଇ ଅଧାରୁ ଦୈନିକ ୧ କୋଟି ଲୋକଙ୍କୁ ସରକାର ଟିକାକରଣରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଭଳି ସ୍ଥିତିରେ ଟିକାର ଆବଶ୍ୟକତା ଅଧିକ ରହିଛି। ତେଣୁ କେନ୍ଦ୍ର ସରକାର ଋଷିଆର ସ୍ପୁଟନିକ ଭିକୁ ଅନୁମତି ଦେଇସାରିଛନ୍ତି। ସେହିପରି ଆମେରିକାର ତିନି ଟିକା କମ୍ପାନୀ ମୋର୍ଡେର୍ଣ୍ଣା, ଫାଇଜର ଏବଂ ଜନସନ ଆଣ୍ଡ ଜନସନକୁ ଭାରତରେ ସହଜରେ ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ସରକାର ନିୟମରେ ସଂଶୋଧନ କରିଛନ୍ତି। ଅର୍ଥାତ୍ ଏହି ତିନି ଟିକା କମ୍ପାନୀ ଏବେ ବିନା ଟ୍ରାଏଲରେ ଦେଶରେ ଟିକାକରଣରେ ସାମିଲ ହୋଇପାରିବେ। ସେହିପରି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ସରକାର ନିୟମ କୋହଳ କରିଥିବା ସୂଚନା ରହିଛି।
The post ଖୁବ ଶୀଘ୍ର ଆଉ ଏକ ସ୍ୱଦେଶୀ ଟିକାକୁ ମିଳିବ ଅନୁମତି, ୩୦ କୋଟି ଟିକା ଅର୍ଡର କଲା କେନ୍ଦ୍ର appeared first on Odisha Reporter.
from Odisha Reporter https://ift.tt/3g9bpuo
No comments:
Post a Comment