ଭଦ୍ରକ(ପାର୍ଥ ସାରଥୀ ନାୟକ): ଏଟିଏମ କାର୍ଡରେ ଟଙ୍କା ଉଠାଣକୁ ନେଇ କାଙ୍ଗାରୁ କୋର୍ଟ । ଦଉଡିରେ ବାନ୍ଧି ମାଡ଼ ମାରି ମାରି ଥାନା ପର୍ଯ୍ୟନ୍ତ ନିଆଗଲା । ଏମିତି ଘଟଣା ଘଟିଛି ଧାମନଗର ଥାନା ଅଞ୍ଚଳରେ । ଏହି ଭିଡ଼ିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବଡ଼ ବଜାର ନିକଟ ଜଣେ ଯୁବକଙ୍କୁ ଅତି ଅମାନୁଷିକ ଭାବେ ମାଡ଼ ମରାଯାଇଥିବା ଭିଡ଼ିଓ ଭାଇରାଲ ହେଉଛି ।
ନାୟକ ସାହି ଅଞ୍ଚଳର ଜଣେ ଯୁବକଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମହିଳା ଠିକା କର୍ମଚାରୀ ଏବଂ ତାଙ୍କ ସହଯୋଗୀ ଗୋଟିଏ ରଶିରେ ବାନ୍ଧି ଘୋଷାରି ଘୋଷାରି ପିଟିଛନ୍ତି। ପ୍ରଥମେ ବଡ଼ ବଜାର ପାଖରେ ଗୋଟିଏ ଇଲେକ୍ଟ୍ରିକ ଖୁଣ୍ଟରେ ସଂପୃକ୍ତ ଯୁବକଙ୍କୁ ବାନ୍ଧି ପିଟିଥିଲେ। ତା ପରେ ପୁଣି ତାଙ୍କୁ ଖୁଣ୍ଟରୁ ଖୋଲି ରାସ୍ତାରେ ପିଟି ପିଟି ଥାନା ଯାଏ ନେଇଥିଲେ।
ଶହ ଶହ ଲୋକଙ୍କ ଆଖି ଆଗରେ ମହିଳା କର୍ମଚାରୀଙ୍କ ବର୍ବରତା ଜାରି ରହିଥିଲା। ହେଲେ ସଂପୃକ୍ତ ମହିଳାଙ୍କ ଉଗ୍ର ରୂପ ଦେଖି କେହି ସାହସ ମଧ୍ୟ କରିନଥିଲେ । ମିଳିଥିବା ସୂଚନା ଅନୁସାରେ ମାଡ଼ ଖାଉଥିବା ଯୁବକ ଜଣକ ସଂପୃକ୍ତ ମହିଳା କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଡୁପ୍ଲିକେଟ୍ ଏଟିଏମ୍ କାର୍ଡ କରି ଟଙ୍କା ଉଠାଇ ନେଇଛନ୍ତି । ଏ ସଂପର୍କରେ ମହିଳା କର୍ମଚାରୀ ଜଣକ ଥାନାରେ ଏତଲା ଦେଇଥିଲେ । ତେବେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବକଙ୍କୁ କୋର୍ଟ ଚାଲାଣ ପରେ ଏହି ଭିଡ଼ିଓ ସୋଶାଲ ମିଡିଆ ରେ ଭାଇରାଲ ହେଉଛି । ଏନେଇ ଧାମନଗର ଥାନା ଅଧିକାରୀ ପ୍ରଦୀପ ମହନ୍ତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଯୁବକଙ୍କୁ ଟଙ୍କା ଚୋରି ଅଭିଯୋଗରେ ଗିରଫ କରାଯାଇଛି। ହେଲେ ମାଡ଼ ମରାଯାଇଥିବା ନେଇ କୌଣସି ଅଭିଯୋଗ ଆସିନି। ଭାଇରାଲ ଭିଡ଼ିଓକୁ ନେଇ ଅଧିକ ତଦନ୍ତ କରାଯିବା ସହ ସଂପୃକ୍ତ ମହିଳାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।
The post କଙ୍ଗାରୁ କୋର୍ଟ: ଦଉଡ଼ିରେ ବାନ୍ଧି ମାଡ଼ ମାରି ମାରି ଥାନାକୁ ନେଲେ appeared first on Odisha Reporter.
from Odisha Reporter https://ift.tt/2SPuoTh
No comments:
Post a Comment