ଭୋପାଲ: ମେସେଜିଂ ଆପ୍ ସିଗ୍ନାଲରେ ରାଜ୍ୟରେ କାର୍ଯ୍ୟରତ ସରକାରୀ ଅଧିକାରୀମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ଜଣେ ଯୁବ ଆଇଏଏସ୍ ଅଫିସର ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରିଛନ୍ତି। ଏଥିପାଇଁ ସେ ମଧ୍ୟପ୍ରଦେଶ ସରକାରଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ଅଫିସର ଜଣଙ୍କ ନିଜ ଜୀବନ ସହ ପରିବାର ଲୋକଙ୍କ ପ୍ରତି ବିପଦ ଥିବା ଦର୍ଶାଇ ଏପରି ସୁରକ୍ଷା ଆବେଦନ କରିଛନ୍ତି।
୨୦୧୪ ଆଇଏଏସ୍ ବ୍ୟାଚ୍ ଅଫିସର ଲୋକେଶ କୁମାର ଜଙ୍ଗିଡ ଆଇଏଏସ୍ ଅଫିସରମାନଙ୍କ ପାଇଁ ହୋଇଥିବା ମେସେଜିଂ ଗ୍ରୁପରେ ଦୁର୍ନୀତି ଅଭିଯୋଗ ସମ୍ପର୍କରେ ପୋଷ୍ଟ କରିଥିବାରୁ ସରକାର ପୂର୍ବରୁ ହିଁ ତାଙ୍କୁ ନୋଟିସ କରି ସାରିଛନ୍ତି। ସେ ଗ୍ରୁପ୍ରେ ଦୁର୍ନୀତି ଅଭିଯୋଗ ପୋଷ୍ଟ କରିଥିଲେ ହେଁ ଏହା ଲିକ୍ ହୋଇଯାଇଛି। ସପ୍ତାହକ ମଧ୍ୟରେ ତାଙ୍କୁ ଜବାବ ରଖିବାକୁ କୁହାଯାଇଛି।
ମଧ୍ୟପ୍ରଦେଶ ଡିଜିପି ବିବେକ ଜୋହରୀଙ୍କୁ ଆଇଏଏସ୍ ଅଫିସର ଲୋକେଶ ଶୁକ୍ରବାର ଚିଠି ଲେଖି କହିଛନ୍ତି ଯେ ମେସେଜିଂ ଆପ୍ ସିଗ୍ନାଲରେ ଗୁରୁବାର ରାତି ୧୧.୫୦ରେ ତାଙ୍କ ପାଖକୁ ଗୋଟିଏ ଅଜଣା ନମ୍ବରରୁ ଫୋନ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣଙ୍କ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି।
ବ୍ୟକ୍ତି ଜଣଙ୍କ ତାଙ୍କୁ ମିଡିଆରେ ଅଭିଯୋଗ କରିବାକୁ ବାରଣ କରିବା ସହ ନିଜର ଓ ନିଜ ପୁଅର ସୁରକ୍ଷା ପାଇଁ ୬ ମାସ ଛୁଟିରେ ଚାଲିଯିବାକୁ ଚେତାବନୀ ଦେଇଛନ୍ତି। କଲ କରିଥିବା ବ୍ୟକ୍ତି ଜଣଙ୍କ ମିଡିଆ ଆଗରେ ମୁହଁ ଖୋଲିଲେ ତାଙ୍କ ପରିବା ଲୋକଙ୍କ ପ୍ରତି ବିପଦ ସୃଷ୍ଟି ହେବ ବୋଲି କହିଥିବା ଆଇଏଏସ୍ ଲୋକେଶ କୁମାର ଅଭିଯୋଗ କରିଛନ୍ତି।
ଲୋକେଶ କୁମାରଙ୍କ ଏହି ଅଭିଯୋଗ ପରେ ଭୋପାଲ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଲୋକେଶ ସରକାରଙ୍କୁ ବ୍ୟକ୍ତିଗତ କାରଣ ଦର୍ଶାଇ ୩ ବର୍ଷ ପାଇଁ ନିଜ ରାଜ୍ୟ ମହାରାଷ୍ଟ୍ରକୁ ଡେପୁଟେସନରେ ପଠାଇବାକୁ ଅନୁରୋଧ କରିଛନ୍ତି। ଏଥିସହ ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦୁର୍ନୀତିକୁ ବିରୋଧ କରୁଥିବାରୁ ତାଙ୍କୁ ବାରମ୍ବାର ବଦଳି କରାଯାଉଥିବା ସେ ସଙ୍କେତ ମଧ୍ୟ ଦେଇଛନ୍ତି।
କାର୍ଯ୍ୟକାଳର ସାଢ଼େ ୪ ବର୍ଷ ମଧ୍ୟରେ ତାଙ୍କର ୯ ଥର ବଦଳି ହୋଇଥିବା ଲିକ୍ ମେସେଜ୍ରେ ଲୋକେଶ କୁମାର କହିଥିବା ଜଣାପଡ଼ିଛି।
The post ସରକାରଙ୍କ ଠାରୁ ପୁଲିସ୍ ସୁରକ୍ଷା ଚାହିଁଲେ ଯୁବ ଆଇଏଏସ ଅଫିସର appeared first on Odisha Reporter.
from Odisha Reporter https://ift.tt/3qd9HNs
No comments:
Post a Comment