ଅମୃତସର: ଦେଶ କରୋନା ବିରୋଧରେ ଲଢ଼େଇ କରୁଛି। କିନ୍ତୁ ପଞ୍ଜାବରେ କଂଗ୍ରେସ ନିଜର ଆଭ୍ୟନ୍ତରୀଣ କନ୍ଦଳ ସହ ଲଢେଇ କରୁଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ଚେକ୍ ଦେବା ଲକ୍ଷ୍ୟରେ ଥିବା ପୂର୍ବତନ କ୍ରିକେଟର ତଥା ପୂର୍ବତନ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ କିନ୍ତୁ ବାରମ୍ବାର ଏହି ରାଜନୀତିକ ପିଚରେ ନେତୃତ୍ୱ ନେବାକୁ ଗୋଟି ଚଳାଇ ବିଫଳ ହେଉଥିବା ଦେଖିବାକୁ ମିଳିଛି।
ଆଉ କ୍ୟାପଟେନ ମଧ୍ୟ ଚତୁରତାର ସହ ନେତୃତ୍ୱ ନେଇ ସିଦ୍ଧୁକୁ କୌଣସି ସ୍ଥିତିରେ ଷ୍ଟ୍ରାଇକ ଦେବା ଠିକ୍ ହେବନି କହି ହାଇକମାଣ୍ଡ ଆଗରେ ଯୁକ୍ତି ଉପସ୍ଥାପନା କରୁଛନ୍ତି। ତିନି ଦିନ ଧରି ଦିଲ୍ଲୀରେ କଂଗ୍ରେସର ଦୁଇ ନେତାଙ୍କ ମଧ୍ୟରେ ବିବାଦ ଶେଷ କରିବାକୁ ବୈଠକ ଚାଲିଛି। ଏହି ବୈଠକ ପରେ ସୋନିଆ ଅମରିନ୍ଦରଙ୍କ ମୁଣ୍ଡରେ ହାତ ରଖିଥିବା ନେଇ ସୂଚନା ରହିଛି। ଆଗକୁ ଅମରିନ୍ଦରଙ୍କ ନେତୃତ୍ୱରେ ପଞ୍ଜାବ କଂଗ୍ରେସ ନିର୍ବାଚନ ଲଢ଼ିବ ବୋଲି ସୋନିଆଙ୍କ ପକ୍ଷରୁ ଗ୍ରୀନ ସିଗନାଲ ମିଳିଥିବା ସୂଚନା ରହିଛି। ଏହାପରେ ସିଦ୍ଧୁ ନିଜ ଅସନ୍ତୋଷକୁ ନିଜ ଭିତରେ ରଖୁଥିବା ସୂଚନା ରହିଛି।
ଆଗକୁ ବିଧାନସଭା ନିର୍ବାଚନ ରହିଛି। ଏହାକୁ ଦୃଷ୍ଟିରେ ରଖି କ୍ୟାପଟେନ ଅମରିନ୍ଦର ସିଦ୍ଧୁଙ୍କୁ ତାଙ୍କ ଟିମରେ ସାମିଲ କରିବାକୁ ରାଜି ହୋଇଛନ୍ତି। କିନ୍ତୁ ସିଦ୍ଧୁଙ୍କୁ ନେତୃତ୍ୱ କିମ୍ୱା ବଡ଼ ଦାୟିତ୍ୱ ଦେବାକୁ ଚାହୁଁ ନାହାନ୍ତି ମୁଖ୍ୟମନ୍ତ୍ରୀ। ଦୀର୍ଘ ଦିନ ଧରି ଦୁଇ ନେତାଙ୍କ ମଧ୍ୟରେ ଚାଲିଥିବା ବିବାଦରେ ତାଳି ପକାଇବାକୁ ରାଜ୍ୟସଭାର ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାଡଗେଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ ସୋନିଆ ଗାନ୍ଧୀ। ରବିବାର କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟରେ ଏହି କମିଟି ରିପୋର୍ଟ ଦାଖଲ କରିବ। ଏହି କମିଟିର ଜଣେ ସଦସ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଧାୟକ ତଥା ରାଜ୍ୟ କଂଗ୍ରେସ ନେତାଙ୍କ ମଧ୍ୟରେ ଅସନ୍ତୋଷ ନାହିଁ। କିଛି ବିଧାୟକ କିନ୍ତୁ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଗୁରୁତ୍ୱ ଦିଆଯାଉନି।
ଖାଡଗେ କମିଟି ଆଗରେ କ୍ୟାପଟେନ ଅମରନ୍ଦିର କହିଛନ୍ତି ଅନ୍ୟ ଜଣେ ଶିଖ ନେତାଙ୍କୁ ରାଜ୍ୟ ସଭାପତି କରିବାକୁ ଠିକ୍ ହେବନି। ଏଭଳି କହି ସିଦ୍ଧୁଙ୍କ ରାଜନୀତିକ ଅଭିଳାଷକୁ ନୋ ବୋଲର ଇସାରା ଦେଇଛନ୍ତି ଅମରିନ୍ଦର। ଏଥି ସହିତ ସିଦ୍ଧୁଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ସେ ପ୍ରସ୍ତୁତ ନୁହନ୍ତି ବୋଲି ଖୋଲାଖୋଲି କହିଥିବା ସୂଚନା ରହିଛି। କିନ୍ତୁ କ୍ୟାବିନେଟରେ ସିଦ୍ଧୁଙ୍କୁ ସାମିଲ କରିବାକୁ କ୍ୟାପଟେନ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।
କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ସିଦ୍ଧୁ ଏବଂ ଅନ୍ୟ ନେତାଙ୍କ ବିଦ୍ରୋହ ସତ୍ତ୍ୱେ କ୍ୟାପଟେନ ଅମରିନ୍ଦର ଦଳକୁ ବିଜୟୀ କରାଇ କଡ଼ା ଜବାବ ଦେବେ। କାରଣ ପଞ୍ଜାବର ପ୍ରତ୍ୟେକ ସ୍ଥାନରେ ଅମରିନ୍ଦରଙ୍କର ଏକ ପ୍ରଭାବ ରହିଛି। ହେଲେ ସିଦ୍ଧୁ କେବଳ ଅମୃତସରରେ ସୀମିତ।
The post ସିଦ୍ଧୁଙ୍କୁ ଷ୍ଟ୍ରାଇକ୍ ଦେବା ମୁଡରେ ନାହାନ୍ତି ଅମରିନ୍ଦର appeared first on Odisha Reporter.
from Odisha Reporter https://ift.tt/3vVGFE3
No comments:
Post a Comment