କଟକ (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ମାଟ୍ରିକ୍ ରେଜଲ୍ଟକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ପ୍ରକାଶ କରିଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ) ଜୁଲାଇ ମାସରେ ଅଫ୍ଲାଇନ୍ ପରୀକ୍ଷା କରିବାକୁ ପ୍ରସ୍ତୁତ ହୋଇଛି। ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କ ନମ୍ବରକୁ ନେଇ ଅସନ୍ତୁଷ୍ଟ ଥିବେ, ସେମାନେ ଅଫ୍ଲାଇନ୍ରେ ପରୀକ୍ଷା ଦେଇପାରିବେ।
ଅଫ୍ଲାଇନ୍ ପରୀକ୍ଷା ପାଇଁ ଜୁଲାଇ ୫ ତାରିଖରୁ ଫର୍ମ ଫିଲ୍ଅପ୍ ଆରମ୍ଭ ହେବ। ୧୦ ଦିନ ମଧ୍ୟରେ ଫର୍ମ ଫିଲ୍ଅପ୍ ଶେଷ କରିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛନ୍ତି।
ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଜୁଲାଇ ମାସରେ ପରୀକ୍ଷା କରି ଶୀଘ୍ର ରେଜଲ୍ଟ ପ୍ରକାଶ କରାଯିବ। ତା’ହେଲେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ପାଇଁ ଯୁକ୍ତ ଦୁଇରେ ନାମ ଲେଖାରେ ସମସ୍ୟା ହେବନି।
ଅନ୍ୟପକ୍ଷରେ ମାଟ୍ରିକ୍ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଦେଖା ଦେଇଥିବା ଅସନ୍ତୋଷ ଓ ଦ୍ୱନ୍ଦ୍ୱକୁ ଆଜି ବୋର୍ଡ ପକ୍ଷରୁ ଦୂର କରିବା ପାଇଁ ପ୍ରୟାସ କରାଯାଇଛି। ଏଥିପାଇଁ ବୋର୍ଡ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ବୋର୍ଡ ସଭାପତି ରାମାଶିଷ ହାଜରା କହିଥିଲେ ଯେ ମୂଲ୍ୟାୟନ ପଦ୍ଧତି ନେଇ ସବୁ କିଛି ତଥ୍ୟ ବୋର୍ଡ ୱେବସାଇଟରେ ଥିଲା। ସ୍ୱତନ୍ତ୍ର କୋର୍ କମିଟି ଗଠନ କରି ମୂଲ୍ୟାୟନର ତର୍ଜମା ହୋଇଛି। ୪ ବର୍ଷର ପ୍ରଦର୍ଶନକୁ ବିଚାର କରି ମୂଲ୍ୟାୟନ ହୋଇଛି। ମୂଲ୍ୟାୟନ ବେଳେ ୨୦୧୭, ୨୦୧୮, ୨୦୧୯, ୨୦୨୦ ବର୍ଷର ପ୍ରଦର୍ଶନ ବିଚାର କରାଯାଇଛି।
ନିର୍ଦ୍ଦିଷ୍ଟ କିଛି ସ୍କୁଲରୁ ଆସିଥିବା ଅଭିଯୋଗ ନେଇ ମଧ୍ୟ ବୋର୍ଡ ସଭାପତି ସ୍ପଷ୍ଟୀକରଣ ଦେଇଥିଲେ। କିଭଳି କିଛି ସ୍କୁଲ୍ କିପରି ନମ୍ବର ବଢ଼ାଇ ଦେଇଥିଲେ, ତାହା ସେ ପ୍ରକାଶ କରିଥିଲେ। ବିଗତ ବର୍ଷ ତୁଳନାରେ ସେମାନେ ଯଥେଷ୍ଟ ମାର୍କ ବଢ଼ାଇ ଦେଇଥିଲେ ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ, ମାଟ୍ରିକ୍ ରେଜଲ୍ଟକୁ ନେଇ ରାଜ୍ୟର ବିଭିନ୍ନ ସ୍କୁଲ୍ର ପିଲାଏ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତକାଲି ପୁରୀ, କଟକ, ଭୁବନେଶ୍ୱର, ଭଦ୍ରକ ଓ ଅନ୍ୟ କିଛି ସ୍ଥାନରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଥିବା ବେଳେ ପୁନଃମୂଲ୍ୟାୟନ ଦାବି କରିଥିଲେ। ଆଜି ମଧ୍ୟ ବାଲେଶ୍ୱର ଓ ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି ସ୍କୁଲ୍ର ଛାତ୍ରଛାତ୍ରୀ ପ୍ରତିବାଦ କରିଛନ୍ତି।
The post ଜୁଲାଇରେ ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷା appeared first on Odisha Reporter.
from Odisha Reporter https://ift.tt/3y4C2rP
No comments:
Post a Comment