ନୂଆଦିଲ୍ଲୀ: ବିଶ୍ୱର ୧ ନଂ ତୀରନ୍ଦାଜି ଖେଳାଳି ବନି ଯାଇଛନ୍ତି ଭାରତର ଦୀପିକା କୁମାରୀ। ପ୍ୟାରିସରେ ଚାଲିଥିବା ବିଶ୍ୱକପ ଷ୍ଟେଜ-୩ରେ ସେ ହ୍ୟାଟ୍ରିକ ସ୍ୱର୍ଣ୍ଣ ପଦକ ଜିତିବା ପରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ୨୭ ବର୍ଷୀୟ ଦୀପିକା କୁମାର ୨୦୧୨ରେ ପ୍ରଥମଥର ବିଶ୍ୱ ତୀରନ୍ଦାଜ ରାଙ୍କର ୧ନଂ ସ୍ଥାନ ହାସଲ କରିଥିଲେ।
ଏହାପରେ ସେ ଏହାକୁ ହରାଇ ଦେଇଥିଲେ। କିନ୍ତୁ ରବିବାର ସେ ୩ଟି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ପୁଣି ଏହି ୧ନଂ ସ୍ଥାନ ଦଖଲ କରିଛନ୍ତି। ଦୀପିକା ମହିଳା ଏକକ, ମହିଳା ଟିମ ଇଭେଣ୍ଟ ଓ ମିକ୍ସଡ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମିକ୍ସିଡ ଇଭେଣ୍ଟରେ ଦୀପିକାଙ୍କ ପାର୍ଟନର ଥିଲେ ତାଙ୍କ ଜୀବନ ସାଥୀ ଅତୁନ ଦାସ।
ତେବେ ରାଞ୍ଚିରେ ଜନ୍ମ ଗ୍ରହଣ କରିଥିବା ଦୀପିକା ବିଶ୍ୱର ୧ ନଂ ସ୍ଥାନରେ ପହଞ୍ଚିବା ପାଇଁ ଅନେକ ସଂଘର୍ଷ କହିଛନ୍ତି। ତାଙ୍କ ସଂଘର୍ଷର କାହାଣୀ କୌଣସି ଫିଲ୍ମ ଠାରୁ କମ ନୁହେଁ। ତାଙ୍କ ବାପା ଜଣେ ଅଟୋ ରିକ୍ସା ଚାଳକ ହୋଇଥିବା ବେଳେ ମା’ ହେଉଛନ୍ତି ଜଣେ ନର୍ସ।
ରାଞ୍ଚି ଠାରୁ ୧୫ କିମି ଦୂର ରାତୁ ଛାତି ଗାଁରେ ୧୯୯୪ ମସିହା ଜୁନ୍ ୧୩ରେ ଜନ୍ମ ଗ୍ରହଣ କରିଥିଲେ ଦୀପିକା। ସେ ପିଲାଟି ବେଳୁ ଗଛରେ ଫଳିଥିବା ଆମ୍ବକୁ ଟେକା ମାରି ଲକ୍ଷ୍ୟଭେଦ କରିବାର ଅଭ୍ୟାସ ଆରମ୍ଭ କରିଥିଲେ। ତାଙ୍କର ଲକ୍ଷ୍ୟଭେଦ କ୍ଷମତା ଭଲ ଥିବାରୁ ସମସ୍ତେ ତାଙ୍କୁ ଜଣେ ତୀରନ୍ଦାଜ ହେବାକୁ ପରାମର୍ଶ ଦେଇଥିଲେ।
ହେଲେ ଆର୍ଥିକ ସଙ୍କଟ ଦୀପିକାଙ୍କ ଏହି ସ୍ୱପ୍ନ ବାଟରେ କଣ୍ଟା ହୋଇ ଛିଡ଼ା ହୋଇଥିଲା। ତଥାପି ସେ ହାର ମାନିବାକୁ ପ୍ରସ୍ତୁତ ନଥିଲେ। ପରିବାର ଲୋକଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ତାଙ୍କୁ ଅଭ୍ୟାସ ପାଇଁ ତୀର କିମ୍ବା ଧନୁ ମିଳିପାରୁ ନଥିଲା। ହେଲେ ଦୀପିକା ବାଉଁଶ ତିଆରି ଧନୁ ଓ ତୀରରେ ଅଭ୍ୟାସ ଆରମ୍ଭ କରିଥିଲେ। ଦୀପିକାଙ୍କ ଏହି ଇଚ୍ଛା ଶକ୍ତି ଦେଖି ତାଙ୍କର ଜଣେ ସମ୍ପର୍କୀୟ ବିଦ୍ୟା କୁମାରୀ ସହଯୋଗ କରିବା ଆରମ୍ଭ କରିଥିଲେ। ସେତେବେଳେ ବିଦ୍ୟା ଟାଟା ତୀରନ୍ଦାଜି ଏକାଡେମୀରେ ରହୁଥିଲେ। ସେ ହିଁ ଦୀପିକାଙ୍କୁ ତୀର ଚଳାଇବାର ତାଲିମ ଦେବାର ବ୍ୟବସ୍ଥା କରିଥିଲେ।
୨୦୦୫ରେ ଦୀପିକା ଅର୍ଜୁନ ତୀରନ୍ଦାଜି ଏକାଡେମୀରେ ଭର୍ତ୍ତି ହେବାର ସୁଯୋଗ ପାଇଥିଲେ। ତେବେ ତାଙ୍କ ପ୍ରଫେସନାଲ ତୀର ଚାଳନା ଅଭିଯାନ ୨୦୦୬ରୁ ଆରମ୍ଭ ହୋଇଥିଲା। ଏହି ସମୟରେ ସେ ଜାମସେଦପୁରରେ ଥିବା ଟାଟା ତୀରନ୍ଦାଜି ଏକାଡେମୀରେ ଯୋଗଦେଇଥିଲେ।
ଏଠାରେ ସେ ଉପଯୁକ୍ତ ଖେଳ ସାମଗ୍ରୀ ଓ ୟୁନିଫର୍ମରେ ଅଭ୍ୟାସ କରିବା ଆରମ୍ଭ କରିଥିଲେ। ତାଙ୍କୁ ମାସିକ ୫୦୦ ଟଙ୍କା ଲେଖାଏ ଷ୍ଟାଇପେଣ୍ଡ ମଧ୍ୟ ମିଳୁଥିଲା। ୨୦୦୯ ନଭେମ୍ବର ମାସରେ ସେ କ୍ୟାଡେଟ ୱାର୍ଲ୍ଡ ଚାମ୍ପିୟନଶିପ ଟାଇଟଲ ଜିତିଥିଲେ। ଏହାପରେ ସେ ନିଜ ଘରକୁ ଫେରିଥିଲେ। ଅର୍ଥାତ ସେ ୩ ବର୍ଷ କାଳ ଘରକୁ ଆସି ନଥିଲେ।
ଏହିଠାରୁ ଦୀପିକା ସଫଳତାର ଗୋଟିଏ ପରେ ଗୋଟିଏ ଶିଢ଼ି ଚଢ଼ିବା ଆରମ୍ଭ କରିଥିଲେ। ୨୦୧୦ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ସେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ। ଏହି ଇଭେଣ୍ଟରେ ସେ ମହିଳା ଟିମ ବର୍ଗରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ଓ ୨୦୧୬ ରିଓ ଅଲିମ୍ପିକ୍ସରେ ସେ ଭାଗ ନେଇଥିଲେ। ଏଠାରେ ସେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରି ଥିଲେ। ୨୦୧୨ ବିଶ୍ୱକପର ବ୍ୟକ୍ତିଗତ ଷ୍ଟେଜ ରିକର୍ଭ ଇଭେଣ୍ଟରେ ଦୀପିକା ପ୍ରଥମଥର ସ୍ୱର୍ଣ୍ଣ ଜିତିଥିଲେ।ଏହାପରେ ସେ ବିଶ୍ୱର ୧ନଂ ଖେଳାଳି ହୋଇଥିଲେ। ୨୦୧୨ରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଛି। ୨୦୧୬ରେ ଭାରତ ସରକାର ଦୀପିକାଙ୍କୁ ପଦ୍ମଶ୍ରୀ ଦେଇଛନ୍ତି।
ଏବେ ସେ ବିଶ୍ୱର ୧ନଂ ସ୍ଥାନରେ ପହଞ୍ଚିବା ସହ ୩ଟି ସ୍ୱର୍ଣ୍ଣ ଜିତିଛନ୍ତି। ତେଣୁ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଅଲିମ୍ପିକ୍ସରେ ସେ ନିଶ୍ଚିତ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ସମସ୍ତେ ଆଶା କରିଛନ୍ତି। ତାଙ୍କ ସ୍ୱାମୀ ଅତୁନ ଦାସ ମଧ୍ୟ ଜଣେ ତୀରନ୍ଦାଜ। ୨୦୨୦ ମସିହା ଜୁନ୍ ୩୦ରେ ଦୀପିକା ସବୁଦିନ ପାଇଁ ତାଙ୍କ ହାତ ଧରିଥିଲେ। ଉଭୟ ଭାରତକୁ ପ୍ରତିନିଧିତ୍ୱ କରି ୱାର୍ଲ୍ଡକପ ଷ୍ଟେଜ-୩ରେ ସ୍ୱର୍ଣ୍ଣ ଜିତିଛନ୍ତି।
The post ଦୀପିକା କୁମାରୀଙ୍କ ସଂଘର୍ଷର କାହାଣୀ, ଅଟୋ ଚାଳକଙ୍କ ଝିଅରୁ ବିଶ୍ୱର ୧ନଂ ଖେଳାଳି appeared first on Odisha Reporter.
from Odisha Reporter https://ift.tt/3qz594a
No comments:
Post a Comment