ଭୋପାଲ: ମଧ୍ୟପ୍ରଦେଶର ଭୋପାଲ ପୁଲିସ୍ରେ ଅଭାବନୀୟ ଘଟଣା ଘଟିଛି। ଜଣେ ଏସ୍ପିକୁ ୩ ଜଣ କନଷ୍ଟେବଲ ରାସ୍ତା ମଝିରେ ମଦ ପିଇ ମାଡ଼ ମାରିଛନ୍ତି। ଏସ୍ପିଙ୍କୁ ମାଡ଼ ମାରିବା ବେଳେ ତାଙ୍କ ପରିବାର ଲୋକ ମଧ୍ୟ ଉପସ୍ଥିତ ରହିଥିଲେ। କନଷ୍ଟେବଲମାନଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ଏସ୍ପି ଜଣଙ୍କ ମଧ୍ୟ ନାକେଦମ ହୋଇ ଶେଷରେ ୧୦୦ ନମ୍ବରକୁ ଫୋନ କରି ସାହାଯ୍ୟ ମାଗିଥିଲେ।
ସୂଚନା ଅନୁସାରେ, ଏସ୍ପି ବିଏମ ଶକୟା ଘରକୁ ଯାଉଥିବା ବେଳେ ଭୋପାଲର ଡେପୋଟ ଛକରେ ଏହି ଘଟଣା ଘଟିଛି। ଘରକୁ ଯିବା ବେଳେ ଶକୟା ପୁଲିସ୍ ୟୁନିଫର୍ମ ପିନ୍ଧି ନଥିଲେ। କିନ୍ତୁ ସେ ତାଙ୍କ ସରକାରୀ ଗାଡ଼ି ଚଳାଉଥିଲେ। ଘରକୁ ଯିବା ବେଳେ ରାସ୍ତାରେ ପଡ଼ିଥିବା କିଛି ପଥରକୁ ସେ ଗାଡ଼ି ରଖି ହଟାଇବାକୁ ଚେଷ୍ଟା କରିଥିଲେ।
ଏହି ସମୟରେ ୩ ଜଣ ଯୁବକ ବାଲେନୋ କାର୍ ଯୋଗେ ସେଠାରେ ପହଞ୍ଚିଥିଲେ। ସେମାନେ ଏସ୍ପି ଶକୟାଙ୍କୁ ଗାଳି ଗୁଲଜ କରିବା ସହ ଆଗକୁ ବଢ଼ିଥିଲେ। ଏହା ଦେଖି ଶକୟା ସେ ପୁଲିସ୍ ବିଭାଗରେ କାମ କରନ୍ତି ବୋଲି କହିଥିଲେ। ବାସ୍ ଏତିକି ଶୁଣି ୩ ଜଣ ଯାକ ଯୁବକ ସେମାନେ ମଧ୍ୟ ପୁଲିସ୍ରେ ଅଛନ୍ତି ବୋଲି କହିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିଥିଲା। ଶେଷରେ ସେମାନେ ଏସ୍ପି ଶକୟାଙ୍କୁ ମାଡ଼ ମାରିବା ସହ ଧମକ ଚମକ ଦେଇଥିଲେ।
୩ ଜଣ ଯାକ ମଦ ପିଇଥିବାରୁ ଶକୟା ୧୦୦ ନମ୍ବରକୁ ଫୋନ କରିଥିଲେ। ଅଧିକ ପୁଲିସ୍ ଟିମ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ସେଠାରୁ କାର୍ ଯୋଗେ ୩ ଜଣ ଯାକ ଫେରାର ହୋଇଯାଇଥିଲେ। କିନ୍ତୁ ଅଫିସର ଜଣଙ୍କ ସେମାନଙ୍କ କାର ନମ୍ବର ନୋଟ କରିସାରିଥିଲେ।
ଘଟଣାକୁ ନେଇ ଏସ୍ପି ଶକୟା ଟିଟି ନଗର ପୁଲିସ୍ ଷ୍ଟେସନରେ ଏଫଆଇଆର ରୁଜୁ କରିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ କାରଟି ୨୫ତମ ବାଟାଲିୟମରେ କନଷ୍ଟେବଲ ଭାବେ କାମ କରୁଥିବା ବିନୋନ୍ଦ ପାରଶରଙ୍କ ନାଁରେ ପଞ୍ଜିକୃତ ହୋଇଛି। ତାଙ୍କ ସହ ଘଟଣା ବେଳେ ନେହରୁ ନଗର ପୁଲିସ୍ ଲାଇନରେ କାମ କରୁଥିବା ଅନୀଲ ଜାଠ ଓ ଟ୍ରାଫିକ ବିଭାଗରେ କାର୍ଯ୍ୟ କରୁଥିବା କନଷ୍ଟେବଲ ଅଭଦେଶ ଜାଠ ରହିଥିଲେ। ଅଜିତ ଜାଠ ପୂର୍ବରୁ ନିଲମ୍ବିତ ହୋଇଥିବା ବେଳେ ଏବେ ବିନୋନ୍ଦ ଓ ଅଭଦେଶ ନିଲମ୍ବିତ ହୋଇଛନ୍ତି।
The post ରାସ୍ତା ମଝିରେ ଏସ୍ପିଙ୍କୁ ପିଟିଲେ ୩ କନଷ୍ଟେବଲ, ଜାଣନ୍ତୁ କାରଣ appeared first on Odisha Reporter.
from Odisha Reporter https://ift.tt/2SsBkWo
No comments:
Post a Comment