ମୋହନା (ମିହିର ଯତି): ଗୁଣିଗାରେଡ଼ି ଭଳି ଅନ୍ଧ ବିଶ୍ୱାସକୁ ନେଇ ପୁଣି ଘଟିଛି ହତ୍ୟାକାଣ୍ଡ। ଗଜପତି ଜିଲ୍ଲା ଅଡ଼ବା ଥାନା ମୁଠାଗୁଡ଼ା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡା। ବାପପୁଅଙ୍କୁ ଅତିନିର୍ମମ ଭାବେ ଗାଁର କିଛି ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତକ ଦ୍ୱୟ ହେଉଛନ୍ତି, ଲୁକ ଦଳବେହେରା ଓ ତାଙ୍କ ପୁଅ ଅନକ ଦଳବେହେରା। ସେମାନେ ମୁଠାଗୁଡ଼ା ଗାଁର ବାସିନ୍ଦା ଥିଲେ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଗାଁର କିଛି ଲୋକ ବୈଠକ କରି ଏହି ବାପପୁଅଙ୍କୁ ନିକଟସ୍ଥ ଜଙ୍ଗଲକୁ ଡାକି ନେଇଥିଲେ। ସେଠାରେ ଉଭୟଙ୍କୁ ନିର୍ଧୁମ ପିଟି ଥିଲେ। ଲୋକଙ୍କ ମାଡ଼ରେ ଲୁକ ଦଳବେହେରାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। କିନ୍ତୁ ତାଙ୍କ ପୁଅ ଅନକ ସେଠାରୁ ଖସି ପଳାଇ ଆସିଥିଲେ। ତେବେ ରାତିରେ ଘରେ ତାଙ୍କର ମୃତ୍ୟୁ ଘଟିଥିଲା।
ଘଟଣା ସଂପର୍କରେ ସ୍ଥାନୀୟ ସରପଞ୍ଚ ଥାନାରେ ଅଭିଯୋଗ କରିବା ପରେ ଆର.ଉଦୟଗିରି ଏସ୍ଡିପିଓ ଦିଲ୍ଲୀପ କୁମାର ନାୟକ ଅନ୍ୟ ଅଧିକାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ୍ ପକ୍ଷରୁ ଘଟଣାସ୍ଥଳରେ ତଦନ୍ତ କରାଯାଇଛି। ବିଭିନ୍ନ ଦିଗ ଉପରେ ତଦନ୍ତ ପରେ ପୂରା ଘଟଣା ସାମ୍ନାକୁ ଆସିବ ବୋଲି କହିଛନ୍ତି ଆର.ଉଦୟଗିରି ଏସ୍ଡିପିଓ।
ଲୁକ ଦଳବେହେରା ଗୁଣିଗାରେଡ଼ି କରି ଗାଁରେ ଲୋକଙ୍କୁ ହତ୍ୟା କରୁଛି ବୋଲି କିଛି ଲୋକ ସନ୍ଦେହ କରିଆସୁଥିଲେ। କିଛି ଦିନ ପୂର୍ବରୁ ଗାଁରେ ଜଣେ ନାବାଳକର ମୃତ୍ୟୁ ହେବା ପରେ ଲୋକେ ତାଙ୍କ ଉପରେ ଦୋଷ ଲଦିଥିଲେ। ସେଥିପାଇଁ ତାଙ୍କୁ ଓ ତାଙ୍କ ପୁଅକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
The post ଗୁଣିଗାରେଡ଼ି ସନ୍ଦେହରେ ବାପପୁଅଙ୍କୁ ହତ୍ୟା appeared first on Odisha Reporter.
from Odisha Reporter https://ift.tt/35mJSk5
No comments:
Post a Comment